ପୁଷ୍ପମିତ୍ର ମହାନ୍ତି

ପତ୍ନୀଙ୍କ କ୍ୟାନ୍ସର ଆରୋଗ୍ୟକୁ ନେଇ ନବଜୋତ ସିଂହ ସିଦ୍ଧୁଙ୍କ ବୟାନ ପରେ ମୁଣ୍ଡ ଟେକିଛି ବିବାଦ।

ରାଜନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁ ସବୁବେଳେ ଚର୍ଚ୍ଚା, ବିତର୍କ ଓ ବଳୟ ମଧ୍ୟରେ ରହିଆସିଛନ୍ତି। ଏବେ ଆଉ ଏକ ନୂଆ ବିବାଦରେ ଛନ୍ଦି ହୋଇଛନ୍ତି ସିଦ୍ଧୁ। ପତ୍ନୀ ନବଜୋତ କୌର ସିଦ୍ଧୁଙ୍କ ଚତୁର୍ଥ ପର୍ଯ୍ୟାୟ କ୍ୟାନ୍ସର ଆରୋଗ୍ୟ ପାଇଁ ଉନ୍ନତ ଚିକିତ୍ସା ଏବଂ ଆୟୁର୍ବେଦିକ ଅନୁପ୍ରାଣିତ ଡାଏଟ୍ ପ୍ଲାନର ମିଶ୍ରଣକୁ ଶ୍ରେୟ ଦେବା ପରେ ଅଡ଼ୁଆରେ ପଡ଼ିଛନ୍ତି ସିଦ୍ଧୁ।

ନବଜୋତ ସିଂହ ସିଦ୍ଧୁଙ୍କ ଏହି ବୟାନ ପରେ ବିଭିନ୍ନ ଡାକ୍ତରୀ ସଂଗଠନ ଏହାର କଡ଼ା ସମାଲୋଚନା କରିଛନ୍ତି। ଏପରିକି ଆୟୁର୍ବେଦିକ ଡାଏଟ ପ୍ଲାନ ଯୋଗୁଁ ପତ୍ନୀ ନବଜୋତ କୌର ସିଦ୍ଧୁ କ୍ୟାନ୍ସର ରୋଗରୁ ସୁସ୍ଥ ହୋଇଥିବା ପ୍ରମାଣ ଦେବାକୁ ତାଙ୍କୁ କୁହାଯାଇଛି। ୪୦ ଦିନ ମଧ୍ୟରେ ସିଦ୍ଧୁ ଦମ୍ପତି ଏହା ପ୍ରମାଣ କରିନପାରିଲେ ୮୫୦ କୋଟି ଟଙ୍କା ଜୋରିମାନା ଦେବା ଲାଗି ଛତିଶଗଡ଼ ସିଭିଲ ସୋସାଇଟି ପକ୍ଷରୁ ଏକ ଲିଗାଲ ନୋଟିସ ଜାରି କରାଯାଇଛି।

ସିଦ୍ଧୁ ପ୍ରକାଶ କରିଛନ୍ତି ଯେ ନିକଟରେ କର୍କଟ ମୁକ୍ତ ଘୋଷଣା ହୋଇଥିବା ତାଙ୍କ ପତ୍ନୀ ଅସ୍ତ୍ରୋପଚାର, କେମୋଥେରାପି, ହର୍ମୋନ୍ ଥେରାପି ଏବଂ ଟାର୍ଗେଟେଡ୍ ଥେରାପି ସମେତ ପାରମ୍ପରିକ ଚିକିତ୍ସା ସହିତ କଠୋର ଆହାର ପଦ୍ଧତି ଅନୁସରଣ କରିଥିଲେ। ଭାରତୀୟ ଆୟୁର୍ବେଦର ନୀତି ଏବଂ ଜାପାନର ବୈଜ୍ଞାନିକ ୟୋଶିନୋରି ଓହସୁମିଙ୍କ ଅଟୋଫାଜି ଉପରେ ନୋବେଲ ପୁରସ୍କାର ବିଜେତା ଗବେଷଣାରୁ ଅନୁପ୍ରାଣିତ ହୋଇ ଏହି ଖାଦ୍ୟ ପ୍ରସ୍ତୁତ କରାଯାଇଛି।

ଡାଏଟ୍ ପ୍ଲାନରେ କ’ଣ ଥିଲା?

ସିଦ୍ଧୁଙ୍କ କହିବା ଅନୁଯାୟୀ ଡାଏଟ ପ୍ଲାନରେ ହଳଦୀ, ନିମ୍ବ ପତ୍ର, ଲେମ୍ବୁ ପାଣି, ଆପଲ ସାଇଡର ଭିନେଗାର, ଅଖରୋଟ ସହିତ ବିଟ୍, ଗାଜର ଏବଂ ଅଁଳାର ରସ ମିଶ୍ରଣ ରହିଥିଲା। ଏଥିରେ ଚିନି, ଦୁଗ୍ଧ ଓ ଗହମକୁ ବାଦ୍ ଦିଆଯାଇଥିଲା, ଯାହା ଶରୀରର ଆରୋଗ୍ୟ ପ୍ରକ୍ରିୟାରେ ସହାୟକ ହୋଇଥିଲା ବୋଲି ନବଜୋତ ସିଂହ ସିଦ୍ଧୁ ଦାବି କରିଛନ୍ତି। ସିଦ୍ଧୁ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ପତ୍ନୀ ନିଜ ସିଷ୍ଟମରେ ସନ୍ତୁଳନ ବଜାୟ ରଖିବା ପାଇଁ ୭ ପିଏଚ୍ ସ୍ତର ବିଶିଷ୍ଟ ପାଣି ପିଉଥିଲେ।

ସିଦ୍ଧୁ କହିଛନ୍ତି ଡାକ୍ତରମାନଙ୍କ ସହ ପରାମର୍ଶ କରି ଏହି ଖାଦ୍ୟ ପରିବର୍ତ୍ତନ କାର୍ଯ୍ୟକାରୀ କରାଯାଇଥିଲା ଏବଂ ସେମାନେ ତାଙ୍କ ଚିକିତ୍ସା ପଦ୍ଧତିକୁ ସମର୍ଥନ କରିଥିଲେ। 

ପରବର୍ତ୍ତୀ ସମୟରେ ଏହାକୁ କେନ୍ଦ୍ର କରି ବିତର୍କ ହେବା ପରେ ଏକ ସ୍ପଷ୍ଟୀକରଣ ଭିଡିଓରେ ସିଦ୍ଧୁ କହିଛନ୍ତି, “ଡାକ୍ତରମାନେ ମୋ ପାଇଁ ଭଗବାନଙ୍କ ପରି, ପତ୍ନୀଙ୍କ ଆରୋଗ୍ୟ ପାଇଁ ଡାକ୍ତରୀ ହସ୍ତକ୍ଷେପ ଗୁରୁତ୍ୱପୂର୍ଣ୍ଣ। ଏହି ଡାଏଟ୍ ଚାର୍ଟକୁ ଚିକିତ୍ସାରେ ସହାୟକ ବୋଲି ବିବେଚନା କରନ୍ତୁ।”

’ଣ କହିଲେ ସିଦ୍ଧୁଙ୍କ ପତ୍ନୀ?

ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ ନିଜେ ଜଣେ ଡାକ୍ତର। ସେ ଏହି ଡାଏଟ୍ ସହିତ ନିଜର ବ୍ୟକ୍ତିଗତ ଅନୁଭୂତି ପ୍ରକାଶ କରିଛନ୍ତି। ନବଜୋତ କୌର ସିଦ୍ଧୁ କହିଛନ୍ତି, “ଏହା ପ୍ରଥମେ ଚ୍ୟାଲେଞ୍ଜିଂ ଥିଲା, କିନ୍ତୁ ପରେ ଏହା ଗୁରୁତ୍ୱପୂର୍ଣ୍ଣ ଫାଇଦା ଆଣିଥିଲା। ମୋର ଓଜନ କମିବାକୁ ଲାଗିଲା। ଏହି ଫର୍ମୁଲା ପାଇଁ ୩୦ କେଜି ଓଜନ ହ୍ରାସ ହୋଇଛି। କେଉଁଠି ନା କେଉଁଠି ଆୟୁର୍ବେଦିକ ଖାଦ୍ୟ ମୋତେ ବହୁତ ଫାଇଦା ଦେଇଛି।

ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଡାକ୍ତରୀ ଚିକିତ୍ସା ପାଇଁ ସୁସ୍ଥ ହୋଇପାରିଥିବା ସେ କହିଛନ୍ତି।

ଡାକ୍ତରଙ୍କ କଡ଼ା ସମାଲୋଚନା

ସିଦ୍ଧୁଙ୍କ ସ୍ପଷ୍ଟୀକରଣ ସତ୍ତ୍ୱେ ତାଙ୍କ ମନ୍ତବ୍ୟକୁ ଡାକ୍ତରୀ ମହଲରେ କଡ଼ା ସମାଲୋଚନା କରାଯାଇଛି। ଏହା ସହ କର୍କଟ ରୋଗ କ୍ଷେତ୍ରରେ ଅବୈଜ୍ଞାନିକ ଦାବିକୁ ପ୍ରୋତ୍ସାହନ ଦେବା ନେଇ ଚିନ୍ତା ପ୍ରକଟ କରିଛନ୍ତି ଡାକ୍ତରୀ ସଂଗଠନ। ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ସି ଏସ୍ ପ୍ରମେଶ ସିଦ୍ଧୁଙ୍କ ସାମ୍ବାଦିକ ସମ୍ମିଳନୀର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ଏଭଳି ବୟାନର ସମ୍ଭାବ୍ୟ କ୍ଷତି ବିଷୟରେ ଚେତାବନୀ ଦେଇଛନ୍ତି।

ଡାକ୍ତର ପ୍ରମେଶ ଏହି ଦାବିକୁ ଅବୈଜ୍ଞାନିକ ଏବଂ ଭିତ୍ତିହୀନ ବୋଲି କହିବା ସହ ଅସ୍ତ୍ରୋପଚାର ଏବଂ କେମୋଥେରାପି ସମେତ ପ୍ରମାଣ ଭିତ୍ତିକ ଚିକିତ୍ସା ନବଜୋତ କୌରଙ୍କ ଆରୋଗ୍ୟ ପାଇଁ ଦାୟୀ ବୋଲି କହିଛନ୍ତି। ରୋଗୀମାନଙ୍କୁ କେବଳ ପ୍ରମାଣିତ ଚିକିତ୍ସା ପଦ୍ଧତି ଉପରେ ନିର୍ଭର କରିବାକୁ ସେ ଅନୁରୋଧ କରିଛନ୍ତି।

ଏହି ବିବାଦ କର୍କଟ ଚିକିତ୍ସାରେ ଭୁଲ ସୂଚନାକୁ ନେଇ ବ୍ୟାପକ ବିତର୍କ ସୃଷ୍ଟି କରିଛି। ବିଶେଷ କରି କର୍କଟ ଭଳି ରୋଗର ମୁକାବିଲା ସମୟରେ ସ୍ୱାସ୍ଥ୍ୟ ସମ୍ପର୍କରେ ଦାୟିତ୍ୱବାନ ଯୋଗାଯୋଗର ଆବଶ୍ୟକତା ଉପରେ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରିଛନ୍ତି। ସେମାନେ ଚେତାବନୀ ଦେଇଛନ୍ତି ଯେ, ଦୃଢ଼ ବୈଜ୍ଞାନିକ ପ୍ରମାଣ ବିନା ବିକଳ୍ପ ଉପଚାରକୁ ସମର୍ଥନ କରିବା ରୋଗୀଙ୍କୁ ବିଭ୍ରାନ୍ତ କରିପାରେ, ଯାହାଦ୍ୱାରା ଜୀବନ ରକ୍ଷାକାରୀ ଚିକିତ୍ସାରେ ବିଳମ୍ବ ହୋଇପାରେ କିମ୍ବା ଏହାକୁ ଏଡ଼ାଇ ଦିଆଯାଇପାରେ। 

ଅନ୍ୟପକ୍ଷରେ ସିଦ୍ଧୁ ତାଙ୍କ ମନ୍ତବ୍ୟକୁ ସମର୍ଥନ କରି କହିଛନ୍ତି, “ଏହି ଡାଏଟ୍ ଡାକ୍ତରୀ ଚିକିତ୍ସାକୁ ବଦଳାଇବା ପାଇଁ ନୁହେଁ ବରଂ ଏହାକୁ ସମର୍ଥନ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ମୋ ମା’ କହୁଥିଲେ ‘ବସୁଧୈବ କୁଟୁମ୍ବକମ୍’- ସମଗ୍ର ଦୁନିଆ ହେଉଛି ମୋର ପରିବାର। ଆମେ ପାଇଥିବା ଲାଭକୁ ସମସ୍ତଙ୍କ ସହ ବାଣ୍ଟିବାକୁ ଚାହୁଁଛୁ।”

Tags: #NavjotSinghSidhu #Controversy #Cancer #CancerTreatment

LEAVE A REPLY

Please enter your comment!
Please enter your name here