ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ରଣବୀର ଆହ୍ଲାବାଦିଆଙ୍କ ଅଡୁଆ ଏବେ ବଢ଼ିବାରେ ଲାଗିଛି। ହାସ୍ୟ ଅଭିନେତା ସମୟ ରାଇନାଙ୍କ ପରିଚାଳିତ ୟୁଟ୍ୟୁବ୍ ରିୟାଲିଟି ସୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ରେ ରଣବୀର ଆହ୍ଲାବାଦିଆ ନିଜ ଅଶ୍ଳୀଳ ମନ୍ତବ୍ୟ ପାଇଁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେଉଛନ୍ତି। ଏନେଇ ରଣବୀରଙ୍କ ସମେତ ଉକ୍ତ ସୋ’ରେ ଥିବା ସମୟ ରାଇନା, ଆଶିଷ ଚଞ୍ଚଲାନି ଓ ଅନ୍ୟମାନଙ୍କ ବିରୋଧରେ ଭାରତର ବିଭିନ୍ନ ରାଜ୍ୟରେ ମାମଲା ରୁଜୁ ହୋଇଛି।
ରଣବୀର ପିତାମାତାଙ୍କ ସମ୍ପର୍କକୁ ନେଇ ଦେଇଥିବା ଅଶ୍ଳୀଳ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ୟୁଟ୍ୟୁବ ପକ୍ଷରୁ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ର ଏହି ଏପିସୋଡକୁ ଡିଲିଟ୍ କରାଯାଇଛି। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମେତ ଅନେକ ରାଜନେତା, ସାମାଜିକ କର୍ମୀ, ସୋସିଆଲ ମିଡିଆ ବ୍ୟବହାରକାରୀ ଓ ଅନ୍ୟମାନେ ତାଙ୍କ ମନ୍ତବ୍ୟକୁ ଅଶ୍ଳୀଳ ଓ ଆପତ୍ତିଜନକ ବୋଲି କହି ତୀବ୍ର ସମାଲୋଚନା କରିଛନ୍ତି।
ସେହିପରି ସୋ’ରେ ଥିବା ସମୟ ରାଇନା, ଆଶିଷ ଚଞ୍ଚଲାନି ଓ ଅନ୍ୟମାନଙ୍କ ବିରୋଧରେ ଆସାମ, ଦିଲ୍ଲୀ ଓ ମୁମ୍ବାଇରେ ଅପରାଧିକ ମାମଲା ରୁଜୁ ହୋଇଛି। ମାମଲାକୁ ନେଇ ମୁମ୍ବାଇ ପୋଲିସ ରଣବୀର ଆହ୍ଲାବାଦିଆଙ୍କୁ ନୋଟିସ୍ ଜାରି କରିଛି।
ମାମଲା ଅଧିକ ଗମ୍ଭୀର ହେଉଥିବାବେଳେ ନିଜ ବିବାଦୀୟ ଟିପ୍ପଣୀକୁ ନେଇ କ୍ଷମା ମାଗିଛନ୍ତି ରଣବୀର ଆହ୍ଲାବାଦିଆ। ଏକ ଭିଡିଓ ଜାରି କରି ସେ କହିଛନ୍ତି, “ମୁଁ କମେଡିଆନ ନୁହେଁ। ଯାହା ହେଲା ସେଥିପାଇଁ ମୁଁ କୌଣସି ଏକ୍ସକ୍ୟୁଜ ଦେଉନି କି ସ୍ପଷ୍ଟୀକରଣ ରଖୁନାହିଁ। ବରଂ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି ଓ ମୋ ଭୁଲ ସ୍ଵୀକାର କରୁଛି। ଆଶା କରୁଛି ଆପଣମାନେ ମୋତେ କ୍ଷମା କରିଦେବେ। ଆଗକୁ ମୁଁ ଏପରି ଭୁଲ ଦୋହରାଇବି ନାହିଁ।”
ତେବେ ରଣବୀର ଆହ୍ଲାବାଦିଆ ଜଣେ ଲୋକପ୍ରିୟ ୟୁଟ୍ୟୁବର। ‘ବିଅର ବାଇସେପ୍ସ’ ନାମରେ ତାଙ୍କର ଏକ ପୋଡକାଷ୍ଟ ଚ୍ୟାନେଲ ରହିଥିବାବେଳେ ଏଥିରେ ବର୍ତ୍ତମାନ ୧୦.୫ ମିଲିୟନ ଫଲୋଅର୍ସ ରହିଛନ୍ତି। ଏହି ବିବାଦ ବଢ଼ିବା ପରେ ରଣବୀର ଏକ ଭିଡିଓ ଜାରି କରି କ୍ଷମା ପ୍ରାର୍ଥନା କରିଥିଲେ।
Tags: #RanveerAllahbadia #IndiasGotLatent #Controversy #SamayRaina #Youtube