ଓଡ଼ିଶାଲାଇଭ୍ ବ୍ୟୁରୋ

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ମିଳିଲା ବଡ଼ ଝଟକା। ବିଜୟ ଶଙ୍କରଙ୍କ ବିବାହ ଆବେଦନକୁ ଖାରଜ କରିଛନ୍ତି କଟକ ବିବାହ ପଞ୍ଜୀକରଣ ଅଧିକାରୀ। ବିବାହ ପାଇଁ କରାଯାଇଥିବା ଆବେଦନପତ୍ରରେ ତ୍ରୁଟି ଦର୍ଶାଇ ଏହାକୁ ଖାରଜ କରାଯାଇଛି।

ବିଧାୟକ ବିଜୟ ଶଙ୍କରଙ୍କ ବିବାହ ଆବେଦନ ଖାରଜ ହୋଇଥିବାବେଳେ ସୋମାଲିକା ଦାଶଙ୍କୁ ସାମୟିକ ଆଶ୍ଵସ୍ତି ମିଳିଛି।

ଗତ ସେପ୍ଟେମ୍ବର ମାସ ୨୧ ତାରିଖରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ ବିଜୟ ଶଙ୍କର କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ବିଜୟ ଶଙ୍କର ବିବାହ ପାଇଁ ଆବେଦନ କରିବା ପରଦିନ ସୋମାଲିକା ଦାଶ ଏହି ଆବେଦନ ରଦ୍ଦ କରିବାକୁ ବିବାହ ପଞ୍ଜୀକରଣ ଅଧିକାରୀଙ୍କୁ ଅନୁରୋଧ କରିଥିଲେ।

ବିବାହର ପ୍ରତିଶ୍ରୁତି ଦେଇ ବିଜୟ ଶଙ୍କର ତାଙ୍କ ସହ ପ୍ରତାରଣା କରିଥିବା ଅଭିଯୋଗ କରିବା ସହ ବିଜୟ ଶଙ୍କର ଯାହାଙ୍କୁ ବିବାହ କରିବା ପାଇଁ ଆବେଦନ କରିଛନ୍ତି ସେ ପୂର୍ବରୁ ବିବାହିତା ବୋଲି ସୋମାଲିକା ଅଭିଯୋଗରେ ଦର୍ଶାଇଥିଲେ। ସମସ୍ତ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଆବଶ୍ୟକ ପ୍ରମାଣ ସହ ନଭେମ୍ବର ୭ ତାରିଖରେ ହଜାର ହେବା ପାଇଁ ସୋମାଲିକାଙ୍କୁ ନୋଟିସ କରାଯାଇଥିଲା।

ନଭେମ୍ବର ୭ ତାରିଖରେ ସୋମାଲିକା ଦାଶ ହାଜର ହୋଇଥିବା ବେଳେ ଆସିନଥିଲେ ବିଜୟ ଶଙ୍କର। ଅଧିକ ପ୍ରମାଣ ଯୋଗାଡ଼ କରିବାକୁ ଅନୁମତି ମାଗିଥିଲେ ସୋମାଲିକା।

ନଭେମ୍ବର ୩୦ ତାରିଖରେ ବିବାହ ପଞ୍ଜୀକରଣ କାର୍ଯ୍ୟାଳୟରେ ସୋମାଲିକାର ଦାଶ ହାଜର ହେଇଥାନ୍ତେ, କିନ୍ତୁ ଅସୁସ୍ଥତା ଦର୍ଶାଇ ସେ ବ୍ୟକ୍ତିଗତ ଭାବେ ହାଜର ହୋଇନଥିଲେ। ତେବେ ବିଜୟ ଶଙ୍କର ବିବାହ କରିବାକୁ ଆବେଦନ କରିଥିବା ମହିଳାଙ୍କ ପୂର୍ବତନ ସ୍ଵାମୀ ବିବାହ ପଞ୍ଜୀକରଣ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ବିଜୟ ଶଙ୍କରଙ୍କ ଭାବି ପତ୍ନୀଙ୍କର ପୂର୍ବରୁ ବିବାହ ବିଚ୍ଛେଦ ହୋଇସାରିଛି। ସମ୍ପୃକ୍ତ ମହିଳାଙ୍କ ପୂର୍ବତନ ସ୍ଵାମୀ ଏ ନେଇ ଦଲିଲ ଦାଖଲ କରିଥିଲେ।

ବିଜୟ ଶଙ୍କର ବିବାହ ପାଇଁ ଯେଉଁ ଆବେଦନ କରିଥିଲେ ତାଙ୍କର ଭାବି ପତ୍ନୀ ପୂର୍ବରୁ ବିବାହିତା ଏବଂ ତାଙ୍କର ବିବାହ ବିଚ୍ଛେଦ ହୋଇଛି ବୋଲି ଦର୍ଶାଇନଥିଲେ। ଏହାକୁ ଆଧାର କରି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନକୁ ଖାରଜ କରାଯାଇଛି।

ଗତ ଜୁନ ୧୬ ତାରିଖରେ ବିବାହ କରିବାକୁ ଉଭୟ ବିଜୟ ଶଙ୍କର ଦାସ ଏବଂ ସୋମାଲିକା କଟକ ବିବାହ ପଞ୍ଜୀକରଣ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଜୁନ ୧୭ ତାରିଖକୁ ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ସୋମାଲିକା ଧାର୍ଯ୍ୟ ହୋଇଥିବା ତାରିଖରେ ବିବାହ ପାଇଁ ପହଞ୍ଚିଥିଲେ କିନ୍ତୁ ଆସିନଥିଲେ ବିଜୟ ଶଙ୍କର ଦାସ। ଏହାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ସୋମାଲିକା। ଏହା ପରଠାରୁ ବିଜୟ ଶଙ୍କର ଏବଂ ସୋମାଲିକାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି।

Tags: #BijayShankarDas #Trouble #Marriage #Controversy #love #Tirtol #odishahinghcourt #SomalikaDash

Comment