ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ଵରସ୍ଥିତ ବୁଦ୍ଧମନ୍ଦିର ପରିସରରେ ‘ଟାଇମ୍ପାସ୍ ବହିବର୍ଷା’ର ଦ୍ୱିତୀୟ ସଂସ୍କରଣରେ ପ୍ରକାଶିତ ହୋଇଛି ୨୪ଟି ନୂତନ ପୁସ୍ତକ। ପ୍ରକାଶନ ସଂସ୍ଥା ଟାଇମପାସ୍ ପକ୍ଷରୁ ଆୟୋଜିତ ପୁସ୍ତକ ପ୍ରକାଶନ କାର୍ଯ୍ୟକ୍ରମକୁ ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି କବିତା ପାଠ ପୂର୍ବକ ଆରମ୍ଭ କରିଥିଲେ।
ଏହି ଅବସରରେ କଇଳାଶ ପଟ୍ଟନାୟକଙ୍କ ‘ଶବ୍ଦରେ ମୃଗୟା’, ସଙ୍ଘମିତ୍ରା ମିଶ୍ରଙ୍କ ‘କହ୍ନେଇ କଥା’ ଆଦି ପ୍ରବନ୍ଧ ସଂକଳନ, ନେତାଜୀ ଅଭିନନ୍ଦନଙ୍କ ‘ତିନ୍’, ପତିତପାବନ ପାଣିଙ୍କ ‘ତୁମ ପରେ ତୁମେ’ ଆଦି ଉପନ୍ୟାସ, ଦେବଦାସ ଛୋଟରାୟଙ୍କ ‘ମ୍ୟାଟିନୀ ସୋ’, ମୌସୁମୀ ଦାସଙ୍କ ‘ସରୁନଥିବା ରାସ୍ତା’, ଶୈଳେନ୍ଦ୍ର ଜେନାଙ୍କ ‘ଗପ କେବେ ଶେଷ ହୁଏନାହିଁ’, ଭୁବନେଶ୍ୱରୀ ପଣ୍ଡାଙ୍କ ‘ସିନ୍ଦୂର’, କାଞ୍ଚନ ମଲ୍ଲିକଙ୍କ ‘ନିଜ ନିଆଁରେ ନିଜେ’, ସନ୍ତୋଷ କୁମାର ସାହୁଙ୍କ ‘ଝିଙ୍କା’ ଆଦି ଗଳ୍ପ ସଂକଳନ ଏବଂ ଅପର୍ଣ୍ଣା ମହାନ୍ତିଙ୍କ ‘ଶ୍ରେଷ୍ଠ କବିତା’, ସୁମିତ ପଣ୍ଡାଙ୍କ ‘ମାଟି ଖୋଜେ ପକ୍ଷୀ’, ମମତା ସାହୁଙ୍କ ‘ଲମ୍ବା ରାତି’ ଆଦି କବିତା ସଂକଳନ ପ୍ରକାଶିତ ହୋଇଛି।
ଓଡ଼ିଆ ଲେଖକଙ୍କ ପ୍ରଥମ ପାଣ୍ଡୁଲିପି ପ୍ରତିଯୋଗିତା ‘ପ୍ରଥମା’ର ସପ୍ତମ ସଂସ୍କରଣରେ ସଫଳ ହୋଇଥିବା ଅନୁଲିପ୍ତା ମିଶ୍ର, ସୁନିତା ପ୍ରଧାନ, ସ୍ୱପ୍ନାଜିତା ଶଙ୍ଖୁଆ, ଶିବଚରଣ ମହାପାତ୍ର, ପଦ୍ମିନୀ ପ୍ରିୟଦର୍ଶିନୀ ରଥ, ଜ୍ୟୋତିରଞ୍ଜନ ସାହୁ, ସୁନୟନା ଓଝା, କେତନ ରଣା, ମୌସୁମୀ ଦାଶ, ସୁନୀତା ସାହୁ ପ୍ରମୁଖ ନବଲେଖକମାନଙ୍କର ପୁସ୍ତକ ମଧ୍ୟ ଏହି ଅବସରରେ ଲୋକାର୍ପିତ ହୋଇଥିଲା। କଇଳାଶ ପଟ୍ଟନାୟକ, ପ୍ରକାଶ ମହାପାତ୍ର ଓ ପ୍ରବୀଣା ମହାନ୍ତି ପ୍ରମୁଖ ବରିଷ୍ଠ ଅତିଥିଗଣ ନବଲେଖନ ପରମ୍ପରାକୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥି ଭାବେ ବିଶିଷ୍ଟ କବି ଓ କଥାକାର ଦେବଦାସ ଛୋଟରାୟ ଯୋଗଦେଇ ‘ପ୍ରଥମା’ର ଅଷ୍ଟମ ସଂସ୍କରଣରେ ସଫଳ ହୋଇଥିବା ଅର୍ପିତା ପତି, ମନୀଷା ବିଶ୍ୱାଳ, ପ୍ରତିଭା ଖିଲାର, ସରୋଜିନୀ ଶଙ୍ଖୁଆ, ଶୀତଲ ମିଶ୍ର, ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ ପ୍ରମୁଖ ଲେଖିକାମାନଙ୍କୁ ସ୍ୱାଗତ କରିଥିଲେ।
‘ଟାଇମପାସ୍’ର ନିର୍ଦ୍ଦେଶକ ସରୋଜ ବଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ଯୁବ କଥାକାର ପ୍ରଜ୍ଞା ପାରମିତା ରଥ ଓ କବି ଅଂଶୁମାନ ସାହୁ ସଞ୍ଚାଳନ କରିଥିଲେ। ଅରୁଣ କୁମାର ଦାସ, ଅବିନାଶ ସାହୁ, ସତ୍ୟଜିତ୍ ମିଶ୍ର ଏବଂ ଆଶିଷ କୁମାର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଅଜୟ ସ୍ୱାଇଁ, ସୁପ୍ରିୟା ପଣ୍ଡା, କେଦାର ମିଶ୍ର, କ୍ଷୀରୋଦ ପରିଡ଼ା ପ୍ରମୁଖ ଶତାଧିକ ଲେଖକ ଓ ସାହିତ୍ୟ ପ୍ରେମୀ ‘ବହିବର୍ଷା’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଶେଷରେ କଥାକାର ପ୍ରକାଶ ମହାପାତ୍ର ବଂଶୀ ବାଦନ କରିଥିଲେ।
Tags: #TimepassPublication #BookRelease #BahiBarsa #Odisah #Bhubaneswar