ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଓଡ଼ିଶାରେ ଆଳୁକୁ ନେଇ ରାଜନୀତି ଜୋର ଧରିଛି। ଗତ ୪ ଦିନ ହେଲା ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଛାଡ଼ୁନାହାନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିଷ୍ପତ୍ତି ପରେ ପଶ୍ଚିମବଙ୍ଗରୁ ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ ହୋଇଛି। ଓଡ଼ିଶା ବଜାରରେ ଆଳୁ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି।  

ଓଡ଼ିଶାରେ ଆଳୁ ସଙ୍କଟ ନେଇ ବିରୋଧୀମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ ସୋମବାର ବିଧନସଭାରେ ବିଜେଡି ବିଧାୟକମାନେ ନରବାଜି କରିବା ସହ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ରାଜ୍ୟକୁ ୪ ଦିନ ଧରି ଆଳୁ ଅସୁନଥିବାରୁ ଗୋଦାମ ଓ ମଣ୍ଡିରେ ଆଳୁ ସରି ଆସୁଥିବା ବ୍ୟବସାୟୀମାନେ କହିଛନ୍ତି। ଏହାଦ୍ଵାରା ଆଳୁ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ରାଜଧାନୀରେ ରବିବାର ଆଳୁ ଦର ୬୦ ଟଙ୍କା ଛୁଇଁଥିଲା। ଠିକ୍ ସମୟରେ ଆଳୁ ନଆସିଲେ ତେବେ ଦର ଆହୁରି ବଢ଼ିବାର ଆଶଙ୍କା ରହିଛି।  

ସେହିପରି ଓଡ଼ିଶା ସୀମାରେ ଅଟକି ରହିଛି ଶହଶହ ଆଳୁ ଟ୍ରକ। ବେଲଦା, ଦାନ୍ତୁନ, ସୋନାକୋଣିଆ ସୀମାରେ ଆଳୁ ଗାଡ଼ି ଅପେକ୍ଷା କରି ରହିଥିଲେ ମଧ୍ୟ ଓଡ଼ିଶାକୁ ଆସିବାକୁ ଅନୁମତି ମିଳୁନି। ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କଡ଼ା ଯାଞ୍ଚ କରାଯାଉଛି।

ଅନ୍ୟପଟେ ପଶ୍ଚିମବଙ୍ଗ ସରକାରଙ୍କ ଏପରି ନିଷ୍ପତ୍ତିକୁ ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ଓଡ଼ିଶା ସରକାର। ଆଳୁ ସମସ୍ୟା ସମାଧାନ ପାଇଁ ବିକଳ୍ପ ଭାବେ ଉତ୍ତରପ୍ରଦେଶରୁ ଆଳୁ ଆଣିବାର ବ୍ୟବସ୍ଥା କରାଯାଇଛି। ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।  

“ସୋମବାର ସୁଦ୍ଧା ଉତ୍ତରପ୍ରଦେଶରୁ ୩୦୦ ଆଳୁ ଟ୍ରକ ଆସି ପହଞ୍ଚିବ। ଏହି ଆଳୁ ଆସିଲେ ରାଜ୍ୟରେ ସମସ୍ୟାର ସମାଧାନ ହୋଇପାରିବ। ପରିସ୍ଥିତିର ଫାଇଦା ଉଠାଇ ଦର ବୃଦ୍ଧି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ବିଭିନ୍ନ ପରିବା ବଜାରରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଉଛି”, କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।   

ତେବେ ରାଜ୍ୟ ବ୍ୟବସାୟୀ ସଂଘର କହିବା ଅନୁସାରେ ଉତ୍ତରପ୍ରଦେଶ ଆଳୁ ସମସ୍ୟାର ସମାଧାନ କରିପାରିବନାହିଁ। ୟୁପି ଆଳୁକୁ ଖାଉଟି ପସନ୍ଦ କରୁ ନାହାନ୍ତି। ସେହିପରି ପଶ୍ଚିମବଙ୍ଗରୁ ଦିନକରେ ଆଳୁ ଆସୁଥିବାବେଳେ ୟୁପିରୁ ଆଳୁ ଆସି ପହଞ୍ଚିବାକୁ ୩ ଦିନ ଲାଗି ଯାଉଛି। ଗାଡ଼ିରୁ ଅନଲୋଡ ହୋଇ ବେପାରୀଙ୍କ ପାଖରେ ପହଞ୍ଚିବାବେଳକୁ ଅଧିକ ପଚା ଆଳୁ ବାହାରୁଛି। ବସ୍ତାରେ ପ୍ରାୟ ୮ରୁ ୧୦ କିଲୋଗ୍ରାମ ଆଳୁ ପଚି ଯାଉଛି। ରାଜ୍ୟ ସରକାର ଏ ଦିଗରେ ଧ୍ୟାନ ଦିଅନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ଧର୍ମଘଟ ଚେତାବନୀ

ଆଳୁ ରପ୍ତାନି ବନ୍ଦ କରିବା ନିଷ୍ପତ୍ତି ବିରୋଧରେ ପଶ୍ଚିମବଙ୍ଗର ବ୍ୟବସାୟୀମାନେ ମଧ୍ୟ ଖପ୍ପା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏପରି ନିଷ୍ପତ୍ତି ଯୋଗୁଁ ରାଜ୍ୟର ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡୁଛି। ପଶ୍ଚିମବଙ୍ଗର ବିଭିନ୍ନ ଶୀତଳଭଣ୍ଡାରରେ ୭ ଲକ୍ଷ ମେଟ୍ରିକ ଟନ ଆଳୁ ଗଚ୍ଛିତ ଅଛି। ରାଜ୍ୟ ପାଇଁ ୫ ଲକ୍ଷ ମେଟ୍ରିକ ଟନ ଆଳୁ ଆବଶ୍ୟକ, ଆଉ ୨ ଲକ୍ଷ ମେଟ୍ରିକ ଟନ ଆଳୁ ବାହାରକୁ ରପ୍ତାନି ହୋଇପାରିବ। ତେବେ ଏପରି କଟକଣା କରିବା ଦ୍ୱାରା ଗୋଦାମରେ ଆଳୁ ନଷ୍ଟ ହୋଇଯାଉଛି, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗର ବ୍ୟବସାୟୀ।

ସରକାରଙ୍କର ଏପରି ନିଷ୍ପତ୍ତିକୁ ବିରୋଧ କରି ଧର୍ମଘଟ ଆହ୍ୱାନ ଦେଇଛନ୍ତି ପଶ୍ଚିମବଙ୍ଗ ବ୍ୟବସାୟୀ ସଂଘ। ମଙ୍ଗଳବାରଠାରୁ ଧର୍ମଘଟ ଆରମ୍ଭ ହେବ ବୋଲି ଶୀତଳଭଣ୍ଡାର ମାଲିକ, ହୋଲସେଲ ବ୍ୟବସାୟୀ ଓ ବିଭିନ୍ନ ସଂଗଠନର ବୈଠକରେ ନିଷ୍ପତ୍ତି ନିଆଯାଇଛି।

ନଭେମ୍ବର ୩୦ ତାରିଖରେ ଶୀତଳଭଣ୍ଡାରରୁ ଆଳୁ କାଢ଼ିବାର ଥିଲା। ତେବେ ଆଳୁ ଅନ୍ୟ ରାଜ୍ୟକୁ ଯାଉ ନ ଥିବାରୁ ଗୋଦାମ ଖାଲି ହୋଇନାହିଁ। ଫଳରେ ଆଳୁ ନଷ୍ଟ ହେବାର ଆଶଙ୍କା ରହିଛି। ବଳକା ୨ ଲକ୍ଷ ମେଟ୍ରିକ ଟନ ଆଳୁର କ’ଣ କରାଯିବ ସେ ନେଇ ପ୍ରଶ୍ନ କରିଛି ପଶ୍ଚିମବଙ୍ଗ ବ୍ୟବସାୟୀ ସଂଘ। 

Tags: #PotatoCrisis #ExportBan #Potato #WestBengal #Odisha

LEAVE A REPLY

Please enter your comment!
Please enter your name here