ଓଡ଼ିଶାଲାଇଭ୍ ବ୍ୟୁରୋ
![](https://odisha.live/wp-content/uploads/2024/07/Droupadi-Murmu-1024x576.png)
ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ମଙ୍ଗଳବାରଠାରୁ ଡିସେମ୍ବର ୭ ତାରିଖ ଯାଏଁ ୫ ଦିନିଆ ଓଡ଼ିଶା ଗସ୍ତରେ ରହିବେ। ସେ ପୁରୀରେ ଭାରତୀୟ ନୌସେନା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହାସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି।
ମଙ୍ଗଳବାର ଅପରାହ୍ଣ ୫ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାପରେ ସେ ବିମାନବନ୍ଦରରୁ ବାହାରି ୫ଟା ୩୦ରେ ଚନ୍ଦ୍ରଶେଖରପୁରଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉଦଘାଟନୀ ଉତ୍ସବରେ ଯୋଗଦେବେ। ସେଠାରୁ ଆସି ଭୁବନେଶ୍ୱର ରାଜଭବନ ପହଞ୍ଚି ରାତ୍ରୀଯାପନ କରିବେ ରାଷ୍ଟ୍ରପତି।
ବୁଧବାର ସକାଳ ୯ଟାରେ ରାଷ୍ଟ୍ରପତି ରାଜଭବନରୁ ପୁରୀ ଅଭିମୁଖେ ବହରିବେ। ସେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏହାପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି। ଏହାପରେ ସେ ଅପରାହ୍ନ ୩ଟା ୩୦ମିନିଟରେ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।
ସେହିପରି ଗୁରୁବାର ଓ ଶୁକ୍ରବାର ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ସେ ଭୁବନେଶ୍ଵର ଓ କଟକ ପରେ ମୟୂରଭଞ୍ଜ ଯାଇ ରାଇରଙ୍ଗପୁର ଓ ବାଙ୍ଗିରିପୋଷୀରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ ବିଭାଗ ତତ୍ପରତା ଦେଖେଇଛି। ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ଵର ଓ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
Tags: #PresidentofIndia #DroupadiMurmu #OdishaVisit #NavyDay #Puri