ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମଙ୍ଗଳବାର ଭୁବନେଶ୍ଵର ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ସେ ଡିସେମ୍ବର ୭ ତାରିଖ ଯାଏଁ ୫ ଦିନିଆ ଓଡ଼ିଶା ଗସ୍ତରେ ରହିବେ। ବୁଧବାର ସେ ପୁରୀରେ ଭାରତୀୟ ନୌସେନା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ମଙ୍ଗଳବାର ଅପରାହ୍ଣ ୪ ଟା ୩୦ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଠାରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସ୍ଵାଗତ କରିଥିଲେ।
ଏହାପରେ ସେ ବିମାନବନ୍ଦରରୁ ବାହାରି ଚନ୍ଦ୍ରଶେଖରପୁରଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉଦଘାଟନୀ ଉତ୍ସବରେ ଯୋଗଦେବେ। ସେଠାରୁ ଆସି ଭୁବନେଶ୍ୱର ରାଜଭବନ ପହଞ୍ଚି ରାତ୍ରୀଯାପନ କରିବେ ରାଷ୍ଟ୍ରପତି।
ବୁଧବାର ସକାଳ ୯ଟାରେ ରାଷ୍ଟ୍ରପତି ରାଜଭବନରୁ ପୁରୀ ଅଭିମୁଖେ ବହରିବେ। ସେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏହାପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି। ଏହାପରେ ସେ ଅପରାହ୍ନ ୩ଟା ୩୦ମିନିଟରେ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭୁବନେଶ୍ଵର ଓ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଭୟ ସହରରେ ପ୍ରାୟ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।
Tags: #PresidentofIndia #DroupadiMurmu #OdishaVisit #NavyDay #Puri