ଓଡ଼ିଶାଲାଇଭ୍ ବ୍ୟୁରୋ

ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ଶିରୋମଣି ଅକଳି ଦଳର ଅଧ୍ୟକ୍ଷ ତଥା ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଛି। ଜଣେ ବନ୍ଧୁକଧାରୀ ବ୍ୟକ୍ତି ସୁଖବୀରଙ୍କ ଉପରକୁ ଆଖିବୁଜା ଗୁଳି ମାଡ଼ କରିଛନ୍ତି। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସୁଖବୀର ସିଂହ ବାଦଲ। ଆକ୍ରମଣଙ୍କୁ ପୋଲିସ ପକ୍ଷରୁ ଗିରଫ କରାଯାଇଛି।
ଅଳ୍ପକେ ବର୍ତ୍ତିଲେ ସୁଖବୀର ସିଂହ
ଏହି ଆକ୍ରମଣର ଭିଡିଓ ସାମ୍ନାକୁ ଆସିଛି। ଆକ୍ରମଣ କରିଥିବା ବ୍ୟକ୍ତିଜଣକ ରିଭଲଭର ଧରି ସୁଖବୀର ସିଂହଙ୍କ ଉପରକୁ ଗୁଳି କରିବାକୁ ଆସୁଛନ୍ତି। ତେବେ ସ୍ଥାନୀୟ ସୁରକ୍ଷାକର୍ମୀ ତୁଟାନ୍ତ ଅଟକାଇ ଦେବାରୁ ଗୁଳି ସୁଖବୀର ସିଂହ ବାଦଲଙ୍କଠାରେ ଲାଗି ନଥିଲା।
ସ୍ୱର୍ଣ୍ଣ ମନ୍ଦିରରେ ସୁଖବୀର ସିଂହଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିଲା। ଗୁଳି କରିବାକୁ ଆସିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନାମ ନାରାୟଣ ସିଂହ ଚୌରା। ସେ ବାବର ଖାଲସା ଇଣ୍ଟରନାଶନାଲ ଆତଙ୍କବାଦୀ ସଂଗଠନର ଜଣେ ପୂର୍ବତନ ସଦସ୍ୟ ହୋଇଥିବା କୁହାଯାଉଛି।
ଆକ୍ରମଣକାରୀ ଜଣଙ୍କ ଗତକାଲି ମଧ୍ୟ ସ୍ୱର୍ଣ୍ଣ ମନ୍ଦିର ଆସିଥିଲେ। ଆଜି ପୁଣିଥରେ ମନ୍ଦିର ଆସି ମୁଣ୍ଡିଆ ମାରିବା ପରେ ଫେରି ଆସିଥିଲା। ଫେରିବା ସମୟରେ ସୁଖବୀରଙ୍କୁ ଗୁଳି କରିଥିଲା। ତେବେ ଏହି ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ।
ତେବେ ଏହି ଆକ୍ରମଣ ପଛର ପ୍ରକୃତ କାରଣ ଏ ଯାଏଁ ଜଣାପଡ଼ିନାହିଁ। ଘଟଣାକୁ ନେଇ ତଦନ୍ତ ଜାରି ରହିଛି।
ଧାର୍ମିକ ଦଣ୍ଡ ଭୋଗୁଛନ୍ତି ସୁଖବୀର ସିଂହ
ସ୍ୱର୍ଣ୍ଣ ମନ୍ଦିରରେ ସୁରକ୍ଷାକର୍ମୀ ସେବା ଦେଉଥିଲେ ସୁଖବୀର ସିଂହ। ଡିସେମ୍ବର ୨ ତାରିଖରେ ଶ୍ରୀ ଅକାଳ ତଖ୍ତ ସାହିବ ପକ୍ଷରୁ ତାଙ୍କ ବିରୋଧରେ ଧାର୍ମିକ ଦଣ୍ଡ ଘୋଷଣା କରାଯିବା ପରେ ସେ ଏହି କାମ କରୁଥିଲେ।
୨୦୦୭ରୁ ୨୦୧୭ ମଧ୍ୟରେ ଶିରୋମଣି ଅକାଳୀ ଦଳ ପଞ୍ଜାବରେ କ୍ଷମତାରେ ଥିଲା। ସେହି ସମୟରେ ହୋଇଥିବା ଏକ ଧାର୍ମିକ ଅପବିତ୍ରୀକରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ସୁଖବୀର ସିଂହ ବାଦଲ। ଦଣ୍ଡ ସ୍ୱରୂପ ତାଙ୍କୁ ସ୍ୱର୍ଣ୍ଣ ମନ୍ଦିର ଓ ଅନ୍ୟ ଗୁରୁଦ୍ୱାରରେ ଶୌଚାଳୟ ସଫା କରିବା, ବାସନ ମାଜିବା ଓ ଜୋତା ସଫା କରିବା ସହ ଅନ୍ୟାନ୍ୟ କାମ କରିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା।
ତେବେ ତାଙ୍କର ଗୋଡ ଭାଙ୍ଗି ଯାଇଥିବାରୁ ସେ ମଙ୍ଗଳବାରଠାରୁ ହୁଇଲ ଚେୟାରରେ ବସି ସ୍ୱର୍ଣ୍ଣ ମନ୍ଦିର ଫାଟକ ସମ୍ମୁଖରେ ସୁରକ୍ଷାକର୍ମୀ ଭାବେ ସେବା ଦେଉଥିଲେ। ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେ ଏହି ସେବା କରୁଥିଲେ। ବୁଧବାର ସକାଳେ ସେ ଶ୍ରୀ ହରମନ୍ଦିର ସାହିବ (ସ୍ଵର୍ଣ୍ଣ ମନ୍ଦିର) ଗେଟ ନିକଟରେ ବସିଥିଲେ। ଏହି ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା।
Tags: #SukhbirSinghBadal #AssassinationAttempt #GoldenTemple #Punjab











