ପୁଷ୍ପମିତ୍ର ମହାନ୍ତି
କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ଇଣ୍ଡିଆନ୍ ସାଇବର କ୍ରାଇମ୍ କୋ-ଅର୍ଡିନେସନ୍ ସେଣ୍ଟର (ଆଇ୪ସି) ଡିଜିଟାଲ୍ ଠକେଇ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଡିଜିଟାଲ ଠକେଇରେ ବ୍ୟବହୃତ ହେଉଥିବା ଅଭିଯୋଗରେ ୫୯ ହଜାରରୁ ଅଧିକ ହ୍ୱାଟ୍ସଆପ୍ ଆକାଉଣ୍ଟ ଏବଂ ୧୭୦୦ ସ୍କାଇପ୍ ଆଇଡିକୁ ସଂସ୍ଥା ପକ୍ଷରୁ ବନ୍ଦ କରାଯାଇଛି। ଏନେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ବାନ୍ଦୀ ସଞ୍ଜୟ କୁମାର ଲୋକସଭାରେ ସୂଚନା ଦେଇଛନ୍ତି।
୨୦୨୪ ନଭେମ୍ବର ୧୫ ସୁଦ୍ଧା ସାଇବର ଅପରାଧ ସହ ଜଡ଼ିତ ୬.୬୯ ଲକ୍ଷରୁ ଅଧିକ ସିମ୍ କାର୍ଡ ଏବଂ ୧.୩୨ ଲକ୍ଷ ଆଇଏମ୍ଇଆଇକୁ ଆଇ୪ସି କର୍ତ୍ତୃପକ୍ଷ ନିଷ୍କ୍ରିୟ କରିଛନ୍ତି। ଦେଶରେ ବଢୁଥିବା ଡିଜିଟାଲ ଠକେଇକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
“୨୦୨୧ ମସିହାରେ ଆଇ୪ସି ଅଧୀନରେ ଆରମ୍ଭ ହୋଇଥିବା ସିଟିଜେନ୍ ଫାଇନାନ୍ସିଆଲ ସାଇବର ଫ୍ରଡ୍ ରିପୋର୍ଟିଂ ଆଣ୍ଡ ମ୍ୟାନେଜମେଣ୍ଟ ସିଷ୍ଟମ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଏହା ଲୋକମାନଙ୍କୁ ତୁରନ୍ତ ଆର୍ଥିକ ଠକେଇ ବିଷୟରେ ଜଣାଇବାରେ ସକ୍ଷମ କରିଥାଏ, ଯାହା ପାଣ୍ଠିର ଅଧିକ ଅପବ୍ୟବହାରକୁ ରୋକିଥାଏ। ବର୍ତ୍ତମାନ ସୁଦ୍ଧା ଏହି ବ୍ୟବସ୍ଥା ୯.୯୪ ଲକ୍ଷରୁ ଅଧିକ ଅଭିଯୋଗରୁ ୩,୪୩୧ କୋଟି ଟଙ୍କା ଆଦାୟ କରିବାରେ ସହାୟକ ହୋଇଛି”, କହିଛନ୍ତି ବାନ୍ଦୀ ସଞ୍ଜୟ କୁମାର।
ଆନ୍ତର୍ଜାତିକ ସ୍ପୁଫ୍ କଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଆନ୍ତର୍ଜାତିକ ସ୍ପୁଫ୍ କଲ୍ ଭଳି ସାଇବର ଅପରାଧୀ କୌଶଳର ସମାଧାନ ପାଇଁ ସରକାର ଟେଲିକମ୍ ସର୍ଭିସ୍ ପ୍ରୋଭାଇଡରଙ୍କ (ଟିଏସପି) ସହ ସହଯୋଗ କରିଛନ୍ତି। ପ୍ରାୟତଃ ଭାରତୀୟ ନମ୍ବରରୁ ଆସିଥିବା ଏହି କଲଗୁଡ଼ିକ ଡିଜିଟାଲ ଆରେଷ୍ଟ, ଫେଡେକ୍ସ ଠକେଇ ଏବଂ ସରକାରୀ ଅଧିକାରୀଙ୍କ ପରିଚୟ ଭଳି ଠକେଇରେ ବ୍ୟବହୃତ ହୁଏ। ଏଭଳି କଲକୁ ଏଣିକି ପ୍ରଭାବଶାଳୀ ଢଙ୍ଗରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଉନ୍ନତ ସାଇବର ସୁରକ୍ଷା ବ୍ୟବସ୍ଥା
ଆଇ୪ସି ପକ୍ଷରୁ ଅତ୍ୟାଧୁନିକ ସୁବିଧା ଥିବା ସାଇବର ଫ୍ରଡ୍ ମିଟିଗେସନ୍ ସେଣ୍ଟର (ସିଏଫ୍ଏମସି) ପ୍ରତିଷ୍ଠା କରାଯାଇଛି। ସାଇବର ଠକେଇ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ଏହି କେନ୍ଦ୍ର ବ୍ୟାଙ୍କ, ପେମେଣ୍ଟ ଏଗ୍ରିଗେଟର, ଟେଲିକମ୍ କମ୍ପାନି ଏବଂ ଆଇନ ପ୍ରବର୍ତ୍ତନ କାରୀ ସଂସ୍ଥାର ପ୍ରତିନିଧିମାନଙ୍କୁ ଏକାଠି କରିଥାଏ।
ସେପ୍ଟେମ୍ବର ୧୦, ୨୦୨୪ରେ ଆଇ୪ସି ଆର୍ଥିକ ଅନୁଷ୍ଠାନ ସହ ମିଶି ଏକ ସନ୍ଦିଗ୍ଧ ରେଜିଷ୍ଟ୍ରି ଆରମ୍ଭ କରିଥିଲା। ରିପୋର୍ଟ ଆଣ୍ଡ ଚେକ୍ ସନ୍ଦିଗ୍ଧ ନାମକ ପୋର୍ଟାଲ cybercrime.gov.in ଏକ ନୂଆ ଫିଚର ଦ୍ୱାରା ନାଗରିକମାନେ ଡାଟାବେସରେ ସନ୍ଦିଗ୍ଧ ସାଇବର ଅପରାଧୀଙ୍କୁ ଖୋଜିପାରିବେ।
ଏହି ପ୍ରୟାସ ସାଇବର ଅପରାଧର ମୁକାବିଲା ଏବଂ ଭାରତରେ ଡିଜିଟାଲ କାରବାରର ନିରାପତ୍ତା ବୃଦ୍ଧି ଦିଗରେ ସରକାରଙ୍କ ସକ୍ରିୟ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି।
Tags: #WhatsAppAccounts #DigitalFraud #CyberSecurity #HomeMinistry #India