ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଶନିବାରଠାରୁ ଆରମ୍ଭ ହେଉଛି ୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍। ଏହି ପ୍ରତିଯୋଗିତାରେ ଭାରତର ବିଭିନ୍ନ ରାଜ୍ୟର ୨୦୦୦ରୁ ଅଧିକ କ୍ରୀଡ଼ାବିତ୍ ଭାଗ ନେବେ। ଥିବାର ସୂଚନା ମିଳିଛି। ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ।
ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପରେ ହରିୟାଣାରୁ ସର୍ବାଧିକ ୧୫୦ ଜଣ କ୍ରୀଡ଼ାବିତ୍ ଭାଗ ନେବେ। ସେହିପରି ଓଡ଼ିଶାରୁ ସର୍ବମୋଟ ୭୮ ଜଣ କ୍ରୀଡ଼ାବିତ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଓଡ଼ିଶାରୁ ଭାଗ ନେଉଥିବା କ୍ରୀଡ଼ାବିତଙ୍କ ମଧ୍ୟରୁ ୪୩ ଜଣ ପୁରୁଷ ଓ ୩୫ ଜଣ ମହିଳା କ୍ରୀଡ଼ାବିତ୍ ରହିଛନ୍ତି।
“କଳିଙ୍ଗ ଷ୍ଟାଡିୟମରେ ୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଓଡ଼ିଶାର କ୍ରୀଡ଼ାବିତଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ପ୍ରମୁଖ ସୁଯୋଗ ପ୍ରଦାନ କରିବ। ରାଜ୍ୟର ସବୁ ଆଥଲେଟ୍ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ ବୋଲି ମୁଁ ଆଶା କରୁଛି”, କହିଛନ୍ତି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ଏହାପୂର୍ବରୁ ଚଳିତବର୍ଷ ଓଡ଼ିଶାରେ ୨୭ତମ ନାସନାଲ ଫେଡେରେସନ ସିନିୟର ଆଥଲେଟିକ୍ସ, ୭୦ତମ ଓଡ଼ିଶା ରାଜ୍ୟ ସିନିୟର ଓ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ଏବଂ ୩୫ତମ ଇଷ୍ଟଜୋନ୍ ଜୁନିୟର ଆଥଲେଟିକ୍ସ ଚାମ୍ପିୟାନସିପ୍ ଭଳି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇସାରିଛି।
Tags: #NationalJuniorAthleticsChampionship #Atheletics #KalingaStadium #Sports #Bhubaneswar