ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ଵିତୀୟ ଟେଷ୍ଟ ମ୍ୟାଚ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆର ଆଡିଲେଡରେ ଖେଳାଯାଉଥିବା ଏହି ଦିବାରାତ୍ର ଟେଷ୍ଟରେ ପ୍ରଥମ ଦିନ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି। ଅଷ୍ଟ୍ରେଲିଆ ନିଜ ଦମଦାର ବୋଲିଂ ପ୍ରଦର୍ଶନ ବଳରେ ମ୍ୟାଚରେ ମଜଭୁତ ସ୍ଥିତରେ ରହିଛି।

ଏହି ଟେଷ୍ଟରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଯଶସ୍ଵୀ ଜୟସ୍ଵାଲ୍ ଓ କେଏଲ୍ ରାହୁଲ ପଡ଼ିଆକୁ ଓହ୍ଲାଇଥିଲେ। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟିମକୁ ଫେରିଥିଲେ।

ତେବେ ପ୍ରଥମ ଇନିଂସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ଯଶସ୍ଵୀ ଜୟସ୍ଵାଲ୍ ଶୂନରେ ଆଉଟ ହୋଇଥିଲେ। ଏହାପରେ କେଏଲ୍ ରାହୁଲ ଓ ଶୁଭମନ ଗିଲ ୬୯ ରନର ପାର୍ଟନରସିପ୍ କରିଥିଲେ। ମାତ୍ର କେ ଏଲ ରାହୁଲ ଆଉଟ୍ ହେବାପରେ ଅଳ୍ପ ଅଳ୍ପ ରନ ବ୍ୟବଧାନରେ ଟିମ୍ ଇଣ୍ଡିଆର ଗୋଟିଏ ପରେ ଗୋଟିଏ ୱିକେଟ ପଡ଼ି ଚାଲିଲା। ଏପରିକି ବିରାଟ କୋହଲୀ ୭ ରନ ଏବଂ ରୋହିତ ଶର୍ମା ୩ ରନ କରି ଆଉଟ୍ ହୋଇଥିଲେ।

ଭାରତ ପ୍ରଥମ ଇନିଂସରେ ୧୮୦ ରନ କରି ଅଲଆଉଟ୍ ହୋଇଥିଲା। ଅଷ୍ଟ୍ରେଲୀୟ ପେସ୍ ବୋଲର ମିଚଲ୍ ଷ୍ଟାର୍କ ସର୍ବାଧିକ ୬ଟି ୱିକେଟ୍ ନେଇ ଭାରତୀୟ ବ୍ୟାଟିଂ ଲାଇନଅପର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଭାରତ ପକ୍ଷରୁ ନୀତିଶ ରେଡ୍ଡୀ ସର୍ବାଧିକ ୪୨ ରନ କରିଥିଲେ।

ଏହାପରେ ଅଷ୍ଟ୍ରେଲିଆ ନିଜ ପ୍ରଥମ ଇନିଂସର ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲା। ଶୁକ୍ରବାର ଖେଳ ଶେଷ ସୁଦ୍ଧା ଦଳ ଗୋଟିଏ ୱିକେଟ୍ ହରାଇ ୮୬ ରନ ସଂଗ୍ରହ କରିଛି।

Tags: #Border-GavaskarTrophy #TestSeries #IndiavsAustralia #Adelaide #BCCI #Sports

Comment