ଓଡ଼ିଶାଲାଇଭ୍ ବ୍ୟୁରୋ
କଟକର ଜବାହରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଉଦ୍ଘାଟିତ ହୋଇଛି ‘ବିଡବ୍ଲ୍ୟୁଏଫ୍ ଓଡ଼ିଶା ମାଷ୍ଟର୍ସ ସୁପର ୧୦୦’ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ। ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ତୃତୀୟ ଥର ପାଇଁ କଟକଠାରେ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।
ଏହି ଟୁର୍ଣ୍ଣାମେଣ୍ଟରେ ଚଳିତ ବର୍ଷ ଭାରତ, ଜାପାନ, ଇଣ୍ଡୋନେସିଆ, ଚୀନ, ଡେନମାର୍କ ସମେତ ୨୯ଟି ଦେଶରୁ ପ୍ରାୟ ୩୦୦ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ପ୍ରଦର୍ଶନକୁ ନେଇ ଖେଳାଳିମାନଙ୍କ ଅନ୍ତର୍ଜାତୀୟ ରାଙ୍କିଙ୍ଗ ନିର୍ଦ୍ଧାରିତ ହେବ।
ବ୍ୟାଡମିଣ୍ଟନ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏବଂ ଓଡ଼ିଶା ଷ୍ଟେଟ ବ୍ୟାଡମିଣ୍ଟନ ଆସୋସିଏସନ୍ର ମିଳିତ ସହଭାଗିତାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି। ଟୁର୍ଣ୍ଣାମେଣ୍ଟର ସମୁଦାୟ ପୁରସ୍କାର ରାଶି ୧ ଲକ୍ଷ ଆମେରିକୀୟ ଡଲାର ବା ପ୍ରାୟ ୮୫ ଲକ୍ଷ ଟଙ୍କା ରହିଛି।
ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ କାର୍ଯ୍ୟକ୍ରମରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ, କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ହକି ପ୍ରମୋସନ କାଉନସିଲ ଅଫ ଓଡ଼ିଶାର ସିଇଓ ଦୀପଙ୍କର ମହାପାତ୍ର, କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଓ କଟକ ଡିସିପି ଜଗମୋହନ ମୀନା ପ୍ରମୁଖ ଯୋଗ ଦେଇଥିଲେ।
Tags: #BWFOdishaMasters #InternationalTournament #Badminton #Sports #Cuttack #Odisha