ମିନତି ମିଶ୍ର

ସାରା ବିଶ୍ୱକୁ ଘାରିଛି ଯୁଦ୍ଧ ଭୟ। ରୁଷ-ୟୁକ୍ରେନ ଯୁଦ୍ଧ ଏଯାଏଁ ସରି ନଥିବାବେଳେ ମଧ୍ୟପ୍ରାଚ୍ୟରେ ମଧ୍ୟ ବଡ଼ ଯୁଦ୍ଧ ମୁଣ୍ଡ ଟେକିବାରେ ଲାଗିଛି। ଏବେ ଯୁଦ୍ଧରେ ଅନେକ ସମୟରେ ପରମାଣୁ ବୋମାର ବ୍ୟବହାରର ଭୟ ଅଧିକ ରହୁଛି।
ଯଦି କୌଣସି ଦେଶ ଏହାକୁ ବ୍ୟବହାର କରେ ତେବେ ପରିଣତି କେତେ ଯେ ଭୟଙ୍କର ହେବ ସମସ୍ତେ ଜାଣନ୍ତି। ଜାପାନର ହିରୋସିମା ଆଉ ନାଗାସାକି ଏହାର ମୂକସାକ୍ଷୀ।
ତେବେ ମାନବ ସଭ୍ୟତା ପାଇଁ ସବୁଠାରୁ ବଡ଼ ବିପଦ ଏହି ପରମାଣୁ ବୋମା କେଉଁଠି ତିଆରି ହୋଇଥିଲା? ଏହି ମହା ବିଧ୍ୱଂସୀକାରୀ ଅସ୍ତ୍ରକୁ ଶେଷ ସ୍ପର୍ଶ ଦିଆଯାଇଥିଲା ଏକ ଜଙ୍ଗଲରେ, ଯେଉଁ ଜଙ୍ଗଲ ଦିନେ ମାନଚିତ୍ରରେ ବି ସ୍ଥାନ ପାଇ ନଥିଲା। ଆସନ୍ତୁ ଜାଣିବା ପରମାଣୁ ବୋମାର ଆବିଷ୍କାର ଓ ଏହାର କେମିତି ପରୀକ୍ଷା ହୋଇଥିଲା।
କେଉଁଠି ତିଆରି ହୋଇଥିଲା ପରମାଣୁ ବୋମା?
ଆମେରିକାର ଏକ ଛୋଟ ସହର ଲସ ଆଲାମୋସ। ସହରର ଯେଉଁ ସ୍ଥାନରେ ଗାଈ, ବଳଦ, ଛେଳି ଚରୁଥିଲେ, ସେହି ସ୍ଥାନରେ ପ୍ରସ୍ତୁତ ହୋଇଥିଲା ଏହି ମହାବିନାଶକାରୀ ଅସ୍ତ୍ର। ଏଠାରେ ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ଗୁପ୍ତ ଭାବେ ତିଆରି ହୋଇଥିଲା ପରମାଣୁ ବୋମା।
ଜର୍ମାନ ବୈଜ୍ଞାନିକଙ୍କର ତଥ୍ୟକୁ ନେଇ ଆରମ୍ଭ ହୋଇଥିଲା କାମ
ଦ୍ଵିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇ ଯାଇଥାଏ। ବୋମା, ଗୁଳି, ବନ୍ଧୁକ, ଅସ୍ତ୍ରବାହୀ ଜାହାଜ ଆଦିର ବ୍ୟବହାର ହେଉଥିଲେ ମଧ୍ୟ ପରମାଣୁ ବୋମାର ବ୍ୟବହାର ମାନବସମାଜ ଜାଣି ନଥାଏ। ଏହି ସମୟରେ ଜର୍ମାନୀର ଜଣେ ବୈଜ୍ଞାନିକ ଓଟ୍ଟୋ ହାନ ଏବଂ ତାଙ୍କର ଶିଷ୍ୟ ଷ୍ଟ୍ରାସମୈନ ଲ୍ୟାବରେ କିଛି ପରୀକ୍ଷା କରୁ କରୁ ଦେଖିଲେ ୟୁରାନିୟମ ନିଜ ରୂପ ବଦଳାଇ ବେରିୟମରେ ବଦଳି ଯାଉଛି। ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ।
ନେଚର ପତ୍ରିକାକୁ ନେଇ ବଢିଥିଲା ଚର୍ଚ୍ଚା
ଏହି ସମୟରେ ଅଷ୍ଟ୍ରିଆର ଜଣେ ଇହୁଦୀ ମହିଳା ବୈଜ୍ଞାନିକ ଲିଜା ମେଟନର ୟୁରାନିୟମର ବିଖଣ୍ଡନ ପ୍ରକ୍ରିୟା ଉପରେ ନିଜ ମତ ରଖିଥିଲେ। ଏହି ତଥ୍ୟ ସେ ସମୟରେ ପ୍ରସିଦ୍ଧ ନେଚର ପତ୍ରିକାରେ ପ୍ରକାଶ ପାଇଥିଲା। ଆମେରିକୀୟ ବୈଜ୍ଞାନିକମାନେ ଏହା ପଢ଼ିବା ପରେ ଆରମ୍ଭ କରିଥିଲେ ଯୁଦ୍ଧ ପାଇଁ ମହାଅସ୍ତ୍ର ନିର୍ମାଣର ପ୍ରସ୍ତୁତି । ଏହା ପଛରେ ପ୍ରମୁଖ ଭୂମିକା ଥିଲା ଆଲବର୍ଟ ଆଇନଷ୍ଟାଇନଙ୍କର।
ଆଇନଷ୍ଟାଇନଙ୍କୁ ଚିଠି ଲେଖିଲେ ଆମେରିକା ରାଷ୍ଟ୍ରପତି
ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଜର୍ମାନୀର ଶାସକ ହିଟଲର ଯେତେବେଳେ ଇହୁଦୀମାନଙ୍କର ନରସଂହାର ଆରମ୍ଭ କଲେ ସେତେବେଳେ ଉକ୍ତ ମହିଳା ବୈଜ୍ଞାନିକ ଲିଜା ପଶ୍ଚିମ ଦୁନିଆ ସମ୍ପର୍କରେ ଆସିଲେ। ହ୍ୱାଇଟ ହାଉସ ପାଖରେ ଖବର ପହଞ୍ଚିଲା ଯେ, ଜର୍ମାନୀ ଆଟମ ବମ ପ୍ରସ୍ତୁତ କରୁଛି। ଏଥିପାଇଁ ଆମେରିକା ସତର୍କ ଥିଲା।
ତେବେ ୧୯୪୧ ମସିହା ଡିସେମ୍ବର ମାସରେ ଜାପାନ ଯେତେବେଳେ ଆମେରିକାର ପର୍ଲ ହାର୍ବର ଉପରେ ବୋମା ବର୍ଷଣ କରିବାକୁ ଲାଗିଲା ଆମେରିକା ଦ୍ଵିତୀୟ ବିଶ୍ୱଯୁଦ୍ଧକୁ ଓହ୍ଲାଇଥିଲା। ରାଷ୍ଟ୍ରପତି ଫ୍ରାଙ୍କଲିନ ରୁଜଭେଲ୍ଟ ଆଲବର୍ଟ ଆଇନଷ୍ଟାଇନଙ୍କୁ ଚିଠି ଲେଖି ପରମାଣୁ ବୋମା ପ୍ରସ୍ତୁତ କରିବାର ଗୁପ୍ତ ମିଶନ ପାଇଁ ଅନୁମତି ଦେଇଥିଲେ ଯାହାର ନାଁ ଥିଲା ‘ମ୍ୟାନହାଟ୍ଟନ ପ୍ରୋଜେକ୍ଟ’।

ପରମାଣୁ ବୋମା ପ୍ରସ୍ତୁତି
ହିଟଲରଙ୍କ ସେନା ପୁରା ୟୁରୋପକୁ ନିଜ କବ୍ଜାକୁ ନେବା ଉପରେ ଥିବାବେଳେ ଜାପାନ ପୁରା ଏସିଆରେ ନିଜ ଆଧିପତ୍ୟ ବିସ୍ତାର କରି ଦେଇଥିଲା। ଆମେରିକାର ଏସିଆନ ବେସ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଏପରି ସ୍ଥିତିରେ ଆମେରିକା ଏମିତି ଏକ ଯୁଦ୍ଧାସ୍ତ୍ର ସନ୍ଧାନରେ ଥିଲା ଯାହାର ଲକ୍ଷ୍ୟ ସମସ୍ତଙ୍କୁ ଚୁପ କରାଇ ଦେବାର ଥିଲା।
୧୯୪୨ରେ ବ୍ରାଡବେର ଏକ ସୁଉଚ୍ଚ ଅଟ୍ଟାଳିକାର ୧୮ ମହଲାରେ ବୋମା ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ରିଚ୍ଚାର୍ଡ ଗ୍ରୋବ୍ସ ନାମକ ଜଣେ ବିଜ୍ଞାନିକ ଦୁଇ ମାସ ଭିତରେ ୧୨୦୦ ଟନ ୟୁରାନିୟମ ଯୋଗାଡ଼ କରିଥିଲେ। ଏହାପରେ ବୋମା ପ୍ରସ୍ତୁତି ପାଇଁ ଜୁଲିୟସ ରୋବର୍ଟ ଓପେନହାଇମରଙ୍କ ସହାୟତା ନେଇଥିଲେ ଗ୍ରୋବ୍ସ।
ମ୍ୟାନହାଟ୍ଟନ ପ୍ରୋଜେକ୍ଟକୁ ଅତି ଗୁପ୍ତ ରଖାଯାଇଥିଲା। ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରରେ ଲାସ ଅଲାମୋସର ଏକ ଶୁନଶାନ ଜଙ୍ଗଲ ତିଆରି ହୋଇଥିଲା ପରମାଣୁ ବୋମା ପ୍ରସ୍ତୁତି ପରୀକ୍ଷାଗାର। ହଜାର ହଜାର ବୈଜ୍ଞାନିକ ଅନିଶ୍ଚିତ କାଳ ପାଇଁ ଏହି ଗୁପ୍ତ ସ୍ଥାନରେ ରହିଥିଲେ।
ଆମେରିକାରେ ହେଲା ପରମାଣୁ ବୋମାର ପ୍ରଥମ ବିସ୍ଫୋରଣ
ଏହି ମିଶନରେ ଏନରିକୋ ଫର୍ମୀ, ରିଚର୍ଡ ଫାୟନମ୍ୟେନ, ଲିଓ ଜିଲାର୍ଡଙ୍କ ପରି ବହୁ ବଡ଼ ବଡ଼ ବୈଜ୍ଞାନିକ ସାମିଲ ଥିଲେ। ୧୯୪୫ ମସିହା ଜୁଲାଇରେ ପ୍ରଥମ ପ୍ଲୁଟୋନିୟମ ପ୍ରସ୍ତୁତ ହୋଇଥିଲା। ସେହିବର୍ଷ ଜୁଲାଇ ୧୪ ତାରିଖରେ ଏହାର ପ୍ରୟୋଗ କରାଯାଇଥିଲା। ହେଲେ ବିଫଳ ହୋଇଥିଲା।
ତେବେ ୨ ଦିନ ପରେ ଆଉ ଥରେ ପରୀକ୍ଷା କରାଯାଇଥିଲା। ଦ୍ୱିତୀୟ ପରୀକ୍ଷା ପରେ ନ୍ୟୁ ମେକ୍ସିକୋର ପୁରା ଅଞ୍ଚଳ କମ୍ପି ଉଠିଥିଲା। ଆକାଶରେ ନିଆଁର ବିସ୍ଫୋରଣ ଏପରି ହୋଇଥିଲା ଯାହା କେହି କେବେ ଦେଖି ନ ଥିଲେ । ଆମେରିକା ମାଟିରେ ପ୍ରଥମ ଆଣବିକ ବୋମା ପ୍ରଥମ ଥର ପାଇଁ ବିସ୍ଫୋରଣ ହୋଇଥିଲା।
ଦିନେ ଜୀବନ ନେଇଥିଲା, ଆଜି ଜୀବନ ଖୋଜୁଛି
ଯେଉଁ ଜଙ୍ଗଲରେ ବିଶ୍ୱର ପ୍ରଥମ ଆଟମ ବମ ପ୍ରସ୍ତୁତ ହୋଇଥିଲା ଆଜି ସେହି ଲସ ଆଲାମୋସ ଜଙ୍ଗଲରେ ଠିଆ ହୋଇଛି ଆମେରିକାର ନାସନାଲ ସାଇଣ୍ଟିଫିକ ଲାବୋରେଟୋରି। ନ୍ୟୁ ମେକ୍ସିକୋରେ ଏହା ରହିଛି। ଏବେ ଏଠରେ ପରମାଣୁ ଅସ୍ତ୍ର ବ୍ୟତୀତ ଅନ୍ୟ ବିଷୟରେ ମଧ୍ୟ ଗବେଷଣା କରାଯାଉଛି। ଯେପରି ବଡ଼ ବଡ଼ ରୋଗ ନିରାକରଣ ଔଷଧ, କ୍ୟାନ୍ସର, ଡାଇବେଟିସ ପରି ରୋଗର ନିରାକରଣ ଉପରେ ଅନୁସନ୍ଧାନ ଜାରି ରହିଛି।
Tags: #AtomBomb #ManhattanProject #LosAlamos #USA