ଓଡ଼ିଶାଲାଇଭ୍ ବ୍ୟୁରୋ

ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ଵେଷଣର (ୟ୍ୟାଟ୍‌ସ) ୧୮ତମ ସମାରୋହ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଓଡ଼ିଶାର ମହାନ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।

“ଆଧୁନିକ ଜଗତରେ ମହାକାଶ ବିଜ୍ଞାନର ଚର୍ଚ୍ଚା ଭାରତୀୟ ସଂସ୍କୃତିର ଅବଦାନ ବିନା ଏହା ଅସମ୍ପୂର୍ଣ୍ଣ। ଜ୍ୟୋତିର୍ବିଜ୍ଞାନର ଜନକ ଆର୍ଯ୍ୟଭଟ୍ଟ ପ୍ରଥମେ ନିର୍ଣ୍ଣୟ କରିଥିଲେ ପୃଥିବୀ ନିଜ ଅକ୍ଷ ଚାରିପଟେ ଆବର୍ତ୍ତନ କରୁଛି। ୧୮୩୫ ମସିହାରେ ଖଣ୍ଡପଡ଼ାର ପଠାଣି ସାମନ୍ତ ଦୁଇ ଖଣ୍ଡ ବାଉଁଶ ନଳୀରେ ମହାକାଶରେ ଗ୍ରହ ନକ୍ଷତ୍ରର ଗତିବିଧିକୁ ଲକ୍ଷ୍ୟ କରି ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ୍ ନିର୍ଦ୍ଧାରଣ କରି ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ। ବ୍ରହ୍ମଗୁପ୍ତଙ୍କ ଗଣିତ, ବରାହମିହିରଙ୍କ ବୃହତ ସଂହିତା, ଭାସ୍କରଙ୍କ ସିଦ୍ଧାନ୍ତ ଶିରୋମଣୀ ଭାରତୀୟ ଜ୍ୟୋତିର୍ବିଜ୍ଞାନକୁ ଋଦ୍ଧିମନ୍ତ କରିଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ ଆହୁରି ମଧ୍ୟ କହିଛନ୍ତି, “ଆଜିର ସମୟରେ ବିଶ୍ୱର ପ୍ରଥମ ପାଞ୍ଚଟି ମହାକାଶ ବିଜ୍ଞାନରେ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ଆମ ଦେଶ ଭାରତ ରହିଛି। ଚନ୍ଦ୍ରଯାନ-୩, ଗଗନଯାନ, ଆଦିତ୍ୟ ଏଲ୍-ୱାନ ପରି ଐତିହାସିକ ମହାକାଶ ମିଶନ ଆମ ବିଶ୍ୱାସକୁ ଦୃଢ଼ୀଭୂତ କରିଛି। ଭାରତ ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ବିଶ୍ୱର ପ୍ରଥମ ଦେଶ ବନିଛି।ଆମ ବିଜ୍ଞାନ ଆଜି ଏତେ ଅଗ୍ରଗତି କରିଛି ଯେ, ଆଗାମୀ ଦିନରେ ଅନ୍ୟ ଗ୍ରହରେ ଜୀବନର ସତ୍ତା ମଧ୍ୟ ଖୋଜି ପାଇବାରେ ସକ୍ଷମ ହେବେ ବୋଲି ମୋର ବିଶ୍ୱାସ”।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୩ଟି ଜିଲ୍ଲାର ୩୦ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପୁରସ୍କୃତ ହୋଇଥିବା ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ ପାଇଁ ଇସ୍ରୋ ପରିଦର୍ଶନରେ ଯିବେ।

“ଭାରତ ବର୍ଷରେ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ଆସିଛି। ଆଜି ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇଥିବା ୩୦ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀ ହେଉଛନ୍ତି ଆମ ଦେଶର ଶକ୍ତି। ସେମାନେ ଯେତେ ଆଗକୁ ବଢ଼ିବେ ଆମ ରାଜ୍ୟ ସେତିକି ଗୌରବାନ୍ୱିତ ହେବ ଏବଂ ଦେଶ ଶକ୍ତିଶାଳୀ ହେବ”, କହିଛନ୍ତି ରାଜ୍ଯ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ସେ ଏହି ଅବସରରେ ପଠାଣି ସାମନ୍ତଙ୍କ ସମ୍ମାନାର୍ଥେ ଖଣ୍ଡପଡ଼ାରେ ଏକ ପ୍ଲାନେଟୋରିୟମ ଏବଂ ଆଷ୍ଟ୍ରୋ ଫିଜିକ୍ସ ଓ ଆଷ୍ଟ୍ରୋନୋମି ଇନଷ୍ଟିଚ୍ୟୁଟ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଉନ୍ନୟନ କମିଶନର ଅନୁ ଗର୍ଗ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ତଥା ପଠାଣୀ ସାମନ୍ତ ପ୍ଲାନେଟାରିୟମର ଅଧ୍ୟକ୍ଷା ଚିତ୍ରା ଅରୁମୁଗମ୍, ଟାଟା ଷ୍ଟିଲ କଳିଙ୍ଗନଗରର ଅପରେସନ ଉପାଧ୍ୟକ୍ଷ ରାଜୀବ କୁମାର ଓ ପଠାଣି ସାମନ୍ତ ପ୍ଲାନେଟୋରିୟମର ଭାରପ୍ରାପ୍ତ ନିର୍ଦ୍ଦେଶିକା ଉର୍ମିପ୍ରଭା ମହାରଣା ପ୍ରମୁଖ ଯୋଗ ଦେଇଥିଲେ।

Tags: #YoungAstronomerTalentSearch #YATS #Astronomy #Space #TataSteel #DST #Odisha

LEAVE A REPLY

Please enter your comment!
Please enter your name here