ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଖୋଲିବ ତୀରନ୍ଦାଜୀ ଓ ସ୍ପୋର୍ଟ୍ସ କ୍ଲାଇମ୍ବିଂ ହାଇ ପରଫରମାନ୍ସ ସେଣ୍ଟର (ଏଚପିସି)। ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡ଼ିଶା ସରକାର ଓ ଟାଟା ଷ୍ଟିଲ୍‌ ମଧ୍ୟରେ ବୁଝାମଣା ପତ୍ର (ଏମଓୟୁ) ସ୍ଵାକ୍ଷରିତ ହୋଇଛି।

ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ସଚିବ ଆର ଭିନୀଲକ୍ରୀଷ୍ଣା ଏବଂ ଟାଟା ଷ୍ଟିଲ୍‌ କର୍ପୋରେଟ ସର୍ଭିସର ଉପସଭାପତି ଚାଣକ୍ୟ ଚୌଧୁରୀ ଏହି ବୁଝାମଣା ପତ୍ର ସ୍ଵାକ୍ଷର ହୋଇଥିଲା। ଚୁକ୍ତି ଅନୁସାରେ ଟାଟା ଷ୍ଟିଲ୍‌ ପକ୍ଷରୁ ଓଡ଼ିଶା ଟାଟା ତୀରନ୍ଦାଜୀ ଏକାଡେମି ଏବଂ ଓଡ଼ିଶା ଟାଟା ଷ୍ଟିଲ ଆଡଭେଞ୍ଚର ଫାଉଣ୍ଡେସନ ସ୍ପୋର୍ଟ୍ସ କ୍ଲାଇମ୍ବିଂ ଏକାଡେମି ଭୁବନେଶ୍ଵରରେ ପ୍ରତିଷ୍ଠା କରାଯିବ।

“ତୀରନ୍ଦାଜୀ ଭାରତର ଏକ ପୁରାତନ କ୍ରୀଡ଼ା ହୋଇଥିବାବେଳେ ସ୍ପୋର୍ଟ୍ସ କ୍ଲାଇମ୍ବିଂ ନୂଆ କ୍ରୀଡ଼ା କ୍ଷେତ୍ର ଭାବେ ସାମ୍ନାକୁ ଆସିଛି। ଓଡ଼ିଶା ତଥା ଦେଶରେ ଏହି ଦୁଇ କ୍ରୀଡ଼ାରେ ଖେଳାଳିଙ୍କ ପାଇଁ ଭଲ ସୁଯୋଗ ରହିଛି। ପୂର୍ବରୁ ହକି ଏଚପିସି ଲାଗି ଟାଟା ଷ୍ଟିଲ୍‌ ସହ ଆମର ସହଭାଗିତା ବହୁତ ଫଳପ୍ରଦ ହୋଇଛି। ତେଣୁ ଏହି ଦୁଇ ଏଚପିସି ଓଡ଼ିଶାର ଖେଳାଳିଙ୍କ ପ୍ରତିଭାକୁ ଆହୁରି ବିକାଶ କରିବ ବୋଲି ମୋର ଆଶା”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଦୁଇଟି ଏଚପିସିରେ ରାଜ୍ୟ କ୍ରୀଡ଼ା ଛାତ୍ରାବାସ ସହିତ ରାଜ୍ୟ ଓ ଜାତୀୟସ୍ତରୀୟ କ୍ରୀଡ଼ା କାର୍ଯ୍ୟକ୍ରମରୁ ପ୍ରତିଭାବାନ ଖେଳାଳିମାନଙ୍କୁ ସୁଯୋଗ ଦିଆଯିବ। ଉକ୍ତ କ୍ରୀଡ଼ାବିତମାନଙ୍କୁ କଳିଙ୍ଗ ଷ୍ଟାଡିୟମରେ ଖୋଲାଯାଇଥିବା କ୍ରୀଡ଼ା ବିଜ୍ଞାନ କେନ୍ଦ୍ରର ବ୍ୟବହାର କରିବା ପାଇଁ ମଧ୍ୟ ଅନୁମତି ରହିବ।

ସେହିପରି ଆଗକୁ ରାଜ୍ୟରେ ତୀରନ୍ଦାଜୀର ଆଞ୍ଚଳିକ ବିକାଶ କେନ୍ଦ୍ର ଖୋଲିବା ପାଇଁ ରାଜ୍ୟ ସରକାର ଯୋଜନା ରଖିଛନ୍ତି। ଏହାସହ ଉପରୋକ୍ତ ଏଚପିସିଗୁଡ଼ିକ ପକ୍ଷରୁ ଏକାଡେମିକ୍‌ ସହ ତୃଣମୂଳସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ।

Tags: #HighPerformanceCentres #Archery #SportsClimbing #SportsDevelopment #TataSteel #Odisha

Comment