ଓଡ଼ିଶାଲାଇଭ୍ ବ୍ୟୁରୋ

ଘନେଇବାରେ ଲାଗିଛି ଟେଣ୍ଡର ଫିକ୍ସିଂ ଓ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲା। ଏଥିରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ନାଁ ଯୋଡ଼ି ହେବା ପରେ ତାଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଏହି ମାମଲାରେ ହାଜର ହେବା ଲାଗି ଡିସେମ୍ବର ୧୧ ତାରିଖରୁ ସିବିଆଇ ପକ୍ଷରୁ ସମନ କରାଯାଇଥିଲେ ମଧ୍ୟ ସେ ଏଯାଏଁ ହାଜର ହୋଇନାହାନ୍ତି।

୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ସମ୍ପୃକ୍ତି ଥିବା ନେଇ ହୋଇଥିବା ଅଭିଯୋଗକୁ ଏଯାଏଁ ଖଣ୍ଡନ କରିନାହାନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ। ଏହାରି ମଧ୍ୟରେ ବିଷ୍ଣୁପଦ ସେଠୀଙ୍କ ୩ଜଣ ଡ୍ରାଇଭରଙ୍କୁ ଆଣି ଜେରା କରିଛି ସିବିଆଇ। ଡିସେମ୍ବର ୭ ତାରିଖ ଘଟଣା ବାବଦରେ ସିବିଆଇ ହାତରେ କିଛି ତଥ୍ୟ ଲାଗିଥିବା କୁହାଯାଉଛି।

ଡିସେମ୍ବର ୭ ତାରିଖରେ ଭୁବନେଶ୍ଵରର ଏକ ତାରକା ହୋଟେଲ ସମ୍ମୁଖରୁ ବ୍ରିଜ ଆଣ୍ଡ ରୁପ୍ କମ୍ପାନି ଲିମିଟେଡ ନିର୍ଦ୍ଦେଶକ ଚଞ୍ଚଲ ମୁଖାର୍ଜୀ ଜଣେ ଠିକାଦାରଙ୍କଠାରୁ ଟଙ୍କା ନେବା ବେଳେ ସିବିଆଇ ହାବୁଡ଼ରେ ପଡ଼ିଥିଲେ। ଚଞ୍ଚଲ ମୁଖାର୍ଜୀଙ୍କ ସହ ଠିକାଦାର ସନ୍ତୋଷ ମହାରଣା ଓ ମଧ୍ୟସ୍ତି ଦେବୀଦତ୍ତ ମହାପାତ୍ରଙ୍କୁ ଗିରଫ କରି ଖୋଳତାଡ଼ ଆରମ୍ଭ କରିଥିଲା ସିବିଆଇ। ଖୋଳତାଡ଼ ବେଳେ ଏହି ମାମଲାରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ନାଁ ଯୋଡ଼ି ହୋଇଥିଲା। ଏହା ପରେ ସିବିଆଇ ନିକଟରେ ହାଜର ହେବା ଲାଗି ବିଷ୍ଣୁପଦ ସେଠୀଙ୍କୁ ସମନ କରାଯାଇଥିଲା।

ମାମଲାର ଗୁରୁତ୍ଵକୁ ଦେଖି ତଦାରଖ ପାଇଁ ଭୁବନେଶ୍ଵରରେ ପହଞ୍ଚିଛନ୍ତି ସିବିଆଇ ଯୁଗ୍ମ ନିର୍ଦ୍ଦେଶକ। ସୋମବା ଦିନ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣାଙ୍କୁ ରିମାଣ୍ଡରେ ଆଣି ସିବିଆଇ ପଚରାଉଚରା କରିବା ସମୟରେ ସେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ।

ଏପଟେ ତିନି ଅଭିଯୁକ୍ତ ଚଞ୍ଚଲ ମୁଖାର୍ଜୀ, ଠିକାଦାର ସନ୍ତୋଷ ମହାରଣା ଓ ମଧ୍ୟସ୍ତି ଦେବୀଦତ୍ତ ମହାପାତ୍ରଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେମାନଙ୍କୁ ଝାରପଡ଼ା ଜେଲକୁ ପଠାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଶୁକ୍ରବାର ଦିନ ରହିଛି।

ଜେଲ ଯାଇଥିବା ୩ ଅଭିଯୁକ୍ତଙ୍କ ଆକାଉଣ୍ଟରୁ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ଜଣାପଡ଼ିବା ପରେ ତନାଘନା ଆରମ୍ଭ କରିଥିଲା ସିବିଆଇ।

ବିଷ୍ଣୁପଦ ସେଠୀ ଏବେ ରାଜ୍ୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଭଳି ୩ଟି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି।

ଏହି ବିଭାଗଗୁଡ଼ିକର ଏକାଧିକ ଭିତ୍ତିଭୂମି ପ୍ରକଳ୍ପ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ ଅଛି। ଏଥିରୁ ଅନେକ ପ୍ରକଳ୍ପର ନିର୍ମାଣ ପାଇଁ ବ୍ରିଜ୍ ଆଣ୍ଡ ରୁଫ୍ କନଷ୍ଟ୍ରକ୍ସନ କର୍ପୋରେସନକୁ ଠିକା ଦିଆଯାଇଥିଲା। ଏଥିରେ ଟେଣ୍ଡର୍ ଫିକ୍ସିଂ ନେଇ ହୋଇଥିବା ଅଭିଯୋଗର ରହସ୍ୟ ଖୋଲିବାକୁ ସିବିଆଇ ତଦନ୍ତ ଜାରି ରଖିଛି।

Tags: #BishnuPadaSethi #CBI #TenderFixingCase #Odisha

LEAVE A REPLY

Please enter your comment!
Please enter your name here