ଓଡ଼ିଶାଲାଇଭ୍ ବ୍ୟୁରୋ

ସିବିଆଇ ହାତରେ ଧରାପଡ଼ିଲେ ପାରାଦୀପ ବନ୍ଦର ସ୍ଵାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ। ନାବିକଙ୍କ ସ୍ଵାସ୍ଥ୍ୟ ପ୍ରମାଣପତ୍ର ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଶୁକ୍ରବାର ଦିନ ଡାକ୍ତର ରାଜେନ୍ଦ୍ରଙ୍କୁ ଗିରଫ କରିଛି ସିବିଆଇ।

ପୂର୍ବରୁ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ବିରୋଧରେ ସିବିଆଇ ନିକଟରେ ଅଭିଯୋଗ ହୋଇଆସୁଥିଲା। ଗୁରୁବାର ଦିନ ପୂର୍ବ ଯୋଜନା ମୁତାବକ ସିବିଆଇର ୧୦ ଜଣିଆ ଟିମ ଡାକ୍ତର ବାବୁଙ୍କୁ କାବୁ କରିବା ପାଇଁ ଜାଲ ବିଛାଇଥିଲେ। ଭୁଇଁଆ ଛକ ନିକଟରେ ୫୦ ହଜାର ଟଙ୍କା ନେବା ସମୟରେ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ କାବୁ କରିବା ସହ ଟଙ୍କା ଜବତ କରିଥିଲା ସିବିଆଇ ଟିମ୍।

ଜାହାଜରେ ଥିବା ନାବିକମାନଙ୍କ ସ୍ଵାସ୍ଥ୍ୟ ପ୍ରମାଣପତ୍ର ପାଇଁ କୋଲକାତାର ଏକ ସିପିଙ୍ଗ ଏଜେନ୍ସିଠାରୁ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀ ଜଣକା ପିଛା ୧୫ ହଜାର ଟଙ୍କା ଦାବି କରିଥିଲେ। ଜାହାଜରେ ୮୦ ଜଣ ନାବିକ ଥିବାରୁ ଏତେ ଟଙ୍କା ଦେବା ସମ୍ଭବ ନୁହେଁ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଥିଲା। ପରେ ୫୦ ହଜାର ଟଙ୍କାରେ ଡିଲ୍ ହୋଇଥିଲା।

ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀ ସିବିଆଇ ହାତରେ ଧରାପଡ଼ିବା ପରେ ପାରାଦୀପ ସ୍ଥିତ ଭଡ଼ା ଘର, ବାଲେଶ୍ଵରରେ ଥିବା ପୈତୃକ ଘର ଏବଂ କଟକ ବାସଭବନରେ ଚଢ଼ଉ କରିଥିଲା ସିବିଆଇ। ଚଢ଼ଉ ବେଳେ କୋଟିଏରୁ ଅଧିକ ଟଙ୍କା ସହ ବିଦେଶୀ ନୋଟ ମଧ୍ୟ ମିଳିଥିଲା। ସିବିଆଇ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଓ କମ୍ପ୍ୟୁଟର ହାର୍ଡଡିସ୍କ ଜବତ କରିଛି। ରାତି ତମମା ଚଢ଼ଉ ପରେ ଡାକ୍ତର ରାଜେନ୍ଦ୍ରଙ୍କୁ ଭୁବନେଶ୍ଵର ସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ଅଣାଯାଇ ପଚରା ଉଚରା କରାଯାଇଥିଲା। ଏହା ପରେ ଶୁକ୍ରବାର ଦିନ ତାଙ୍କୁ ଗିରଫ କରାଯାଇଛି।

Tags: #CBI #cbiraid #doctorRajendraNaraynPanigrahiarresed #Pradeepport #odisha #bhubaneswar

LEAVE A REPLY

Please enter your comment!
Please enter your name here