ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ବିଶାଖାପାଟଣା ବନ୍ଦରରୁ ଧରାପଡ଼ିଛି ପ୍ରାୟ ୨୫ ହଜାର କିଲୋଗ୍ରାମର ଡ୍ରଗ୍ସ। ବିଶାଖାପାଟଣା କଷ୍ଟମ୍ସ ବିଭାଗର ସହାୟତାରେ ଏହି ଡ୍ରଗ୍ସ କାରବାର ପର୍ଦାଫାଶ କରିଛି ସିବିଆଇ।

ଅନ୍ତର୍ଜାତୀୟ ସ୍ତରରେ ଚାଲିଥିବା ଡ୍ରଗ୍ସ ରାକେଟକୁ ଧରିବା ଲାଗି ‘ଅପରେସନ ଗରୁଡ’ ଆରମ୍ଭ ହୋଇଛି। ଏହା ଅଧୀନରେ ଇଣ୍ଟରପୋଲଠାରୁ ମିଳିଥିବା ସୂଚନାକୁ ଆଧାର କରି ସିବିଆଇ ଏତେ ପରିମାଣର ଡ୍ରଗ୍ସ ଜବତକ କରିବାରେ ସମର୍ଥ ହୋଇପାରିଛି। ଡ୍ରଗ୍ସ ଅଣିଥିବା କଣ୍ଟେନରଟିକୁ ମଧ୍ୟ ଜବତ କରାଯାଇଛି।

ଗୋଟିଏ କଣ୍ଟେନରରେ ପ୍ରାୟ ୨୫ ହଜାର କିଲୋ ଗ୍ରାମ ଓଜନର ଡ୍ରଗ୍ସ ଭର୍ତ୍ତି ହୋଇ ବିଶାଖାପାଟଣା ବନ୍ଦରରେ  ପହଞ୍ଚିଥିଲା। ଏହି କଣ୍ଟେନରଟିକୁ ବ୍ରାଜିଲର ସନ୍ତୋଷ ବନ୍ଦରରୁ ବିଶାଖାପାଟଣାର ଏକ ଘରୋଇ କମ୍ପାନି ନାଁରେ ବୁକ କରାଯାଇଥିଲ।

ଏହାକୁ ପଠାଇଥିବା ବ୍ୟକ୍ତି କହିଥିଲେ, ୧୦୦୦ଟି ବ୍ୟାଗରେ ଶୁଖିଲା ଔଷଧୀୟ ସାମଗ୍ରୀ ରହିଛି। ଏହାର ମୋଟ ଓଜନ ୨୫ ହଜାର କିଲୋଗ୍ରାମ ରହିଛି।

କଣ୍ଟେନରଟି ବିଶାଖାପାଟଣା ବନ୍ଦରରେ ପହଞ୍ଚିବା ପରେ ଏହାର ଯାଞ୍ଚ କରାଯାଇଥିଲା। ବ୍ୟାଗଗୁଡ଼ିକରେ ଔଷଧ ନୁହଁ ବରଂ ଡ୍ରଗ୍ସ ରହିଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ପରେ ଡ୍ରଗ୍ସ ଜବତ କରାଯାଇଥିଲା।

ଏହି ଘଟଣାରେ ପରିବହନକାରୀ ଏବଂ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପ୍ରଥମ ଥର ଲାଗି  ଆନ୍ଧ୍ରପ୍ରଦେଶରୁ ଏତେ ପରିମାଣର ଡ୍ରଗ୍ସ ଜବତ ହୋଇଛି। ସିବିଆଇ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଉଛି।

Tags: #Drugs #VisakhapatnamPort #CBI #Investigation #Crime

Comment