ଓଡ଼ିଶାଲାଇଭ୍ ବ୍ୟୁରୋ

ସୁଭଦ୍ରା ଯୋଜନାକୁ ନେଇ ଆସିଲା ଅପଡେଟ୍। ଆସନ୍ତା ୨୦୨୫ ଜାନୁଆରି ମାସରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଚତୁର୍ଥ ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତେବେ କେଉଁ ତାରିଖରେ ସୁଭଦ୍ରା ଟଙ୍କା ମିଳିବ ସ୍ପଷ୍ଟ ହୋଇନାହିଁ।

ହିତାଧିକାରୀଙ୍କୁ ଡିସେମ୍ବେର ୨୫ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିବାକୁ ଯୋଜନା ରଖିଥିଲେ ରାଜ୍ୟ ସରକାର। ତେବେ ଆବେଦନ ଭେରିଫିକେସନ କାର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଡିସେମ୍ବର ୩୦ ତାରିଖ ସୁଦ୍ଧା ଭେରିଫିକେସନ କାମ ସାରିବାକୁ ଲକ୍ଷ୍ୟ ରହିଛି। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ବର୍ଷ ଜାନୁଆରି ମାସରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ।

ଜାନୁଆରି ମାସରେ ପ୍ରାୟ ୨୦ ଲକ୍ଷ ହିତାଧିକାରୀ ଯୋଜନାର ଲାଭ ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଗତ ନଭେମ୍ବର ୨୪ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯାଇଥିଲା। ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ମୋଟ ୮୦ ଲକ୍ଷରୁ ଅଧିକ ହିତାଧିକାରୀ ଯୋଜନାରୁ ଲାଭ ପାଇସାରିଛନ୍ତି।

ଡିସେମ୍ବର ୧ ତାରିଖ ସୁଦ୍ଧା ମୋଟ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଜଣ ହିତାଧିକାରୀ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି।  

ସୁଭଦ୍ରା ଯୋଜନାରେ ମୋଟ ୨ ଲକ୍ଷ ୬୭ ହଜାର ଆଦେବନ ଖାରଜ ହୋଇଛି। ଏଗୁଡ଼ିକର ପୁଣିଥରେ ଯାଞ୍ଚ କାର୍ଯ୍ୟ ଚାଲିଛି।

୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫,୦୦୦ ଟଙ୍କା ଲେଖାଏଁ ଯାଇଥିଲା। ଏହାପରେ ଅକ୍ଟୋବର ୯ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟରେ ୪୦ ଲକ୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ସେହିପରି ନଭେମ୍ବର ୨୪ ତାରିଖରେ ତୃତୀୟ ପର୍ଯ୍ୟାୟ ଟଙ୍କା ପାଇଥିଲେ ହିତାଧିକାରୀ।

ଆସନ୍ତା ୨୦୨୫ ମାର୍ଚ୍ଚ ମାସ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପଠାଇବା ଲାଗି ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି।

Tags: #SubhadraYojana #ApplicationVerification #PravatiParida #DBT #Odisha

LEAVE A REPLY

Please enter your comment!
Please enter your name here