ଓଡ଼ିଶାଲାଇଭ୍ ବ୍ୟୁରୋ

ଯୁଦ୍ଧର ବିଭୀଷିକା ମଧ୍ୟରେ ଗତି କରୁଛନ୍ତି ରୁଷ ଏବଂ ୟୁକ୍ରେନ। ଅଢ଼େଇ ବର୍ଷରୁ ଅଧିକ ସମୟ ଧରି ଏପରି ସ୍ଥିତି ଲାଗି ରହିଛି। ଏହି ଯୁଦ୍ଧରେ ଦୁଇ ଦେଶର କ୍ଷୟକ୍ଷତିର ଆକଳନ କରିବା ସମ୍ଭବ ହେଉନାହିଁ। ଖାଲି ଏହି ଦୁଇ ଦେଶ ନୁହେଁ, ଏମାନଙ୍କୁ  ସମର୍ଥନ କରୁଥିବା ଦେଶମାନଙ୍କୁ ବି କ୍ଷତି ସହିବାକୁ ପଡୁଛି। ନିକଟରେ ରୁଷକୁ ସହଯୋଗ କରୁଥିବା ଉତ୍ତର କୋରିଆର ବ୍ୟାପକ କ୍ଷତି ଘଟିଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ଦାବି କରିଛନ୍ତି।

“ଏହି ଯୁଦ୍ଧରେ ରୁଷକୁ ସହଯୋଗର ହାତ ବଢ଼ାଇଥିବା ଉତ୍ତର କୋରିଆର ୩ ହଜାରରୁ ଅଧିକ ସୈନିକଙ୍କର ମୃତ୍ୟୁ ଘଟିଲାଣି। ଏହାସହ ଅନେକ ଏହି ଯୁଦ୍ଧରେ ଆହତ ହେଲେଣି। ତଥାପି ଉତ୍ତର କୋରିଆ ରୁଷକୁ ସହାୟତା ଯୋଗାଇବା ପାଇଁ ଆହୁରି ଅଧିକ ସେନା ଏବଂ ଅସ୍ତ୍ରଶସ୍ତ୍ର ପଠାଇବାକୁ ଯୋଜନା କରୁଛି”, କହିଛନ୍ତି ଭୋଲଦମିର ଜେଲେନସ୍କି।  

ସେ ଆହୁରି ମଧ୍ୟ କହିଛନ୍ତି, “ଉତ୍ତର କୋରିଆ ରୁଷକୁ ଯୁଦ୍ଧ ପାଇଁ ଯେମିତି ସହଯୋଗ କରୁଛି ତାକୁ ନେଇ ବିଶ୍ୱର କୌଣସି ନେତା ମୁହଁ ଖୋଲୁନାହାନ୍ତି। ଉତ୍ତର କୋରିଆ ସୁଇସାଇଡ ଡ୍ରୋନ ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଏକାଧିକ ସୈନିକଙ୍କୁ ରୁଷକୁ ପଠାଇବା ପାଇଁ ପ୍ରସ୍ତୁତ ହେଉଛି।”

ଏହା ପୂର୍ବରୁ ଉତ୍ତର କୋରିଆ ୟୁକ୍ରେନ ବିରୋଧରେ ଯୁଦ୍ଧ କରିବା ପାଇଁ ବନ୍ଧୁ ରାଷ୍ଟ୍ର ରୁଷକୁ ୧୦ ହଜାରରୁ ଅଧିକ ସୈନିକ ପଠାଇଥିଲା। ଏହା ଉପରେ ନାଟୋ ସ୍ୱର ଉତ୍ତୋଳନ କରିଥିଲା। ରୁଷ-ୟୁକ୍ରେନ ଯୁଦ୍ଧରେ ଉତ୍ତର କୋରିଆ ରୁଷକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା କୁହାଯାଉଛି।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୨୦୨୪ ଜୁନ ମାସରେ ଉତ୍ତର କୋରିଆ ଗସ୍ତରେ ଯାଇଥିଲେ। ଦୀର୍ଘ ୨୪ ବର୍ଷ ପରେ ସେ ଉତ୍ତର କୋରିଆ ଗସ୍ତରେ ଯାଇଥିଲେ। ଏଠାରେ ୟୁକ୍ରେନ ଯୁଦ୍ଧରେ ସହାୟତା ପାଇଁ ସେ ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନଙ୍କ ସହ ଆଲୋଚନା କରିଥିଲେ।

Tags: #Russia-UkraineWar #NorthKoreanSoldiers #NorthKorea

LEAVE A REPLY

Please enter your comment!
Please enter your name here