ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ସ୍ଵାସ୍ଥ୍ୟବସ୍ଥା ଉପରୁ ପରଦା ଉଠିଛି। ସେ ସୁସ୍ଥ ଥିବା ଏବେ ଜଣାପଡ଼ିଛି। ପ୍ରାୟ ତିନି ସପ୍ତାହ ପରେ ସେ ଏକ ସାର୍ବଜନୀନ ସଭାରେ ଯୋଗ ଦେଇଛନ୍ତି। ସେହି ସଭାରେ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ଏକ ସାର କାରଖାନାର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ।

ଉତ୍ତର କୋରିଆର ଅଫିସିଆଲ ନ୍ୟୁଜ ଏଜେନ୍ସି କେସିଏନ୍‌ଏ ନିଜ ଟୁଇଟ ପେଜ୍‌ରେ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଫଟୋ ସେୟାର କରିଛି। ଏହି ଉତ୍ସବରେ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ।

କିଛିଦିନ ତଳେ କିମ୍‌ ଜୋଙ୍ଗ୍‌ଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଥିଲା। କିଛି ଗଣ ମାଧ୍ୟମ ମଧ୍ୟ ତାଙ୍କର ହାର୍ଟ ସର୍ଜରୀରେ ମୃତ୍ୟୁ ହୋଇଥିବା ଦାବି କରୁଥିଲେ। ତେବେ ଉତ୍ତର କୋରିଆ ତରଫରୁ ଅଫିସିଆଲ୍‌ ଭାବେ ଏହି ଦାବିକୁ ଗ୍ରହଣ କରାଯାଇନାହିଁ।

କିମ୍‌ ଜୋଙ୍ଗ୍‌ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ସେ ତାଙ୍କ ଜେଜେଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେଇନଥିଲେ। ତାଙ୍କୁ ଶେଷ ଥର ପାଇଁ ଏପ୍ରିଲ ୧୨ରେ ଦେଖିବାକୁ ମିଳିଥିଲେ। ବର୍ତ୍ତମାନ ସେ ପ୍ରାୟ ତିନି ସପ୍ତାହ ପରେ ଫେରିଛନ୍ତି।

Comment