ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ନେଇ ପ୍ରତିଦିନ କିଛି ନା କିଛି ଖବର ଆସୁଛି। ଏଲେନ ମସ୍କ ଟୁଇଟରର ମାଲିକାନା ନିଜ ଅଧୀନକୁ ନେବା ପରେ ଆଜିକାଲି ଖୁବ୍ ଚର୍ଚ୍ଚା ସଉଣ୍ଟୁଛି ଟୁଇଟର।

ଏଲେନ ମସ୍କ ଟୁଇଟରରେ ଅନେକ ପରିବର୍ତ୍ତନ ଆଣିଛନ୍ତି। ଏପରିକି କମ୍ପାନିର ଖର୍ଚ୍ଚ କାଟ୍ କରିବାକୁ ବଡ଼ ଧରଣର ଛଟେଇ କରିଛନ୍ତି। ଏହି ପଦକ୍ଷେପର ଓଲଟା ପ୍ରଭାବ ଏବେ ଦେଖିବାକୁ ମିଳିଛି। ଏବେ ଟୁଇଟରରେ ‘#RIP Twitter’ ଟ୍ରେଣ୍ଡ ହେଉଛି।

ଶୁକ୍ରବାର ସକାଳଠାରୁ ଟୁଇଟର ହ୍ୟାଣ୍ଡେଲ ଖୋଲିବା ମାତ୍ରେ ଗୋଟିଏ କଥା ଦେଖିବାକୁ ମିଳୁଛି ‘#RIP Twitter’। ଟୁଇଟରେ ବର୍ତ୍ତମାନ ରହିଥିବା କର୍ମଚାରୀମାନେ ମଧ୍ୟ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି। ଖୁବ୍ ଶୀଘ୍ର ସମସ୍ତ ଟୁଇଟର କାର୍ଯ୍ୟାଳୟ ବନ୍ଦ ହୋଇଯିବ ବୋଲି ଗୁଜବ ଉଠିଛି। ଛଟେଇ ପରେ ବର୍ତ୍ତମାନ ଟୁଇଟରରେ କାର୍ଯ୍ୟରତ କର୍ମଚାରୀଙ୍କୁ ୧୨ରୁ ୧୫ ଘଣ୍ଟା କାମ କରିବାକୁ ପଡ଼ୁଛି। ତେଣୁ କର୍ମଚାରୀମାନେ କାର୍ଯ୍ୟଭାର ସମ୍ଭାଳି ନପାରି ଇସ୍ତଫା ଦେବାକୁ ଚିନ୍ତା କରିଛନ୍ତି।

ଗତ ଅକ୍ଟୋବର ୨୭ ତାରିଖରେ ଟୁଇଟରର ମାଲିକାନାକୁ ନେଇ ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦର ଅନ୍ତ ଘଟିଥିଲା। ଟୁଇଟରର ମାଲିକାନା ହାସଲ କରିଥିଲେ ଏଲେନ ମସ୍କ। ଭାରତ ସହ ସମଗ୍ର ବିଶ୍ଵରୁ ଟୁଇଟର କର୍ମଚାରୀମାନଙ୍କୁ ଚାକିରିରୁ ଛଟେଇ କଥା ଚର୍ଚ୍ଚା ହେବା ପରେ ଏହାକୁ ସ୍ଵୀକାର କରିଥିଲେ ମସ୍କ। ଟୁଇଟରକୁ ଏପ୍ରିଲରୁ ଜୁନ ୩ ମାସ ମଧ୍ୟରେ ୨୭ କୋଟି ଡଲାର କ୍ଷତି ସହିବାକୁ ପଡ଼ିଥିବା ସେ ସୋସିଆଲ ମିଡିଆରେ କହିଥିଲେ।

Tags: #Twitter #RIPTwitter #Trending #SocialMedia

Comment