ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଚର୍ଚ୍ଚାରେ ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନୂଆ ଭିଡିଓ। ଏହି ଭିଡିଓରେ ଛାଡ଼ପତ୍ର ସ୍ଵୀକାର କରିବା ଲାଗି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ସେ ଅନୁରୋଧ କରିଛନ୍ତି।

ମଙ୍ଗଳବାର ସକାଳେ ଅନୁଭବ ମହାନ୍ତି ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓଟି ସେ ଖାସ୍ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ସୁଟ୍ କରିଥିବା ସ୍ପଷ୍ଟ ଭାବେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, “ବର୍ଷା ପ୍ରିୟଦର୍ଶିନୀ ମ୍ୟାଡାମ ଏହି ଭିଡିଓଟି ମୁଁ କେବଳ ଆପଣଙ୍କ ପାଇଁ ସୁଟ କରିଛି। ଆପଣଙ୍କୁ ଅପମାନିତ କରିବା କିମ୍ବା ଚରିତ୍ରସଂହାର କରିବାର ମୋର କୌଣସି ଉଦ୍ଦେଶ୍ୟ ନାହିଁ। ମୋ ବାପା ସମ୍ପୂର୍ଣ୍ଣ ଅସୁସ୍ଥ ହୋଇପଡ଼ିଛନ୍ତି। ଚିନ୍ତାରେ ଆମ ପରିବାର ଲୋକଙ୍କ ନିଦ ହଜି ଯାଇଛି। ଏଭଳି ସମୟରେ ଜଣେ ଭଲ ମଣିଷ ହିସାବରେ ଆପଣ ଛାଡ଼ପତ୍ରକୁ ସ୍ଵୀକାର କରନ୍ତୁ।”

ସେ ଆହରି ମଧ୍ୟ କହିଛନ୍ତି ଆମେ ଭଲରେ ଭଲରେ ଅଲଗା ହୋଇଯିବା। ସବୁ ଡ୍ରାମା ବନ୍ଦ କରନ୍ତୁ ଏବଂ ଛାଡ଼ପତ୍ର ପାଇଁ ରାଜି ହୋଇଯାଆନ୍ତୁ ବୋଲି ଅନୁଭବ କହିଛନ୍ତି। କେବଳ ବର୍ଷାଙ୍କୁ ନୁହେଁ ବର୍ଷାଙ୍କ ଦୁଇ ଭଉଣୀଙ୍କୁ ମଧ୍ୟ ସେ ଏଥିପାଇଁ ଅନୁରୋଧ କରିଛନ୍ତି।

ଏହା ପୂର୍ବରୁ ଅନୁଭବ ସୋସଆଲ ମିଡିଆରେ ଏକ ଲେଖା ପୋଷ୍ଟ କରି ଛାଡ଼ପତ୍ର ପରେ ଭଲ ବନ୍ଧୁ ହୋଇ ରହିବାକୁ ବର୍ଷାକୁ ଅନୁରୋଧ କରିବା ସହ ଶୀଘ୍ର ଏହାର ଉତ୍ତର ଦେବାକୁ କହିଥିଲେ। ପରେ କିନ୍ତୁ ବର୍ଷା ଅନୁଭବଙ୍କ ଆକାଉଣ୍ଟକୁ ବ୍ଲକ କରିଦେଇଥିଲେ।

ସୋସିଆଲ ମିଡିଆରେ ଅନୁଭବଙ୍କର ଏହି ପୋଷ୍ଟ ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ ସେ ବର୍ଷାଙ୍କ ଉଦ୍ଦେଶ୍ୟରେ ଅନେକ ପୋଷ୍ଟ କରି ବିବାଦକୁ ଆସିଛନ୍ତି। ଖାଲି ଅନୁଭବ କାହିଁକି, ବର୍ଷା ମଧ୍ୟ ଅନୁଭବଙ୍କ ଉଦ୍ଦେଶ୍ୟରେ ଦୁଇ ଚାରି ଧାଡ଼ି ଲେଖି ଚର୍ଚ୍ଚାକୁ ଆସିଛନ୍ତି।

ବିଭିନ୍ନ ସମୟରେ ନିଜ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପୋଷ୍ଟ କରି ବିବାଦରେ ରହିଆସୁଥିବା ଅନୁଭବ ଏବେ ନୂଆ ପୋଷ୍ଟଟି ପାଇଁ ଚର୍ଚ୍ଚାକୁ ଆସିଛନ୍ତି। କିନ୍ତୁ ଏଥର ରହିଛି ସମ୍ପୂର୍ଣ୍ଣ ଭିନ୍ନ କଥା। ସବୁବେଳେ ସେ ବର୍ଷାଙ୍କ ପାଇଁ ସମାଲୋଚନା ଯୁକ୍ତ ଶବ୍ଦ ବ୍ୟବହାର କରିଥିବାବେଳେ ନୂଆ ଭିଡିଓରେ ଛଳଛଳ ଆଖିରେ ସେ ବର୍ଷାଙ୍କୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି।

ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟକୁ ଆସିବା ପରଠାରୁ ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଆରୋପ ପ୍ରତ୍ୟାରୋପ ମିଶା ପୋଷ୍ଟ ଦେଖିବାକୁ ମିଳିଥିଲା।

ନିକଟରେ ଅନୁଭବ ଏବଂ ବର୍ଷାଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଦେଇଛନ୍ତି କଟକ ଫ୍ୟାମିଲି କୋର୍ଟ। ତଳ କୋର୍ଟରେ ଆବେଦନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବେ ବୋଲି ଅନୁଭବ କହିଛନ୍ତି।

ଏବେ ଦେଖିବାକୁ ବାକି ରହିଲା ଅନୁଭବଙ୍କ ପ୍ରଶ୍ନ ପରେ କି ଉତ୍ତର ଦେଉଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

Tags: #BarshaPriyadarshini #AnubhavMohanty #CelebrityCouple #DivorceCase #Socialmedia

LEAVE A REPLY

Please enter your comment!
Please enter your name here