ଓଡ଼ିଶାଲାଇଭ୍ ବ୍ୟୁରୋ

ଭାଗ୍ୟ ଏମିତି ବି ପରିବର୍ତ୍ତନ ହୋଇପାରେ। ରାତାରାତି ଭାଗ୍ୟ ବଦଳିବା କୌଣସି ଚମତ୍କାରଠାରୁ କମ୍ ନୁହେଁ। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି କେରଳର ୬୦ ବର୍ଷ ବୟସ୍କ ମମ୍ମିକା, ଯିଏ ଦିନ ମଜୁରିଆରୁ ରାତାରାତି ପାଲଟି ଯାଇଛନ୍ତି ମଡେଲ।

କେରଳର କୋଝିକୋଡେର ୬୦ ବର୍ଷୀୟ ବୃଦ୍ଧ ହେଉଛନ୍ତି ମମ୍ମିକା। ଶୁଖିଲା କେଶ, ଅସଜଡ଼ା ଦାଢ଼ି ସାଙ୍ଗକୁ ଗୋଟିଏ ପୁରୁଣା ଲୁଙ୍ଗି ଓ ମଇଳା ସାର୍ଟଟିଏ ପିନ୍ଧି ବାହାରି ପଡ଼ନ୍ତି କାମ ଖୋଜିବାକୁ। ଦିନକରେ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କର ଗୁଜୁରାଣ ମେଣ୍ଟେ। ମଜୁରି କରି ଜୀବନ ବଞ୍ଚିବାକୁ ସଂଘର୍ଷ କରୁଥିଲେ ମମ୍ମିକା।

ଲୋକମାନେ ସର୍ବଦା ମମ୍ମିକାଙ୍କୁ ଏକ ପୁରୁଣା ଲୁଙ୍ଗି ଏବଂ ମଇଳା ସାର୍ଟରେ ଦେଖୁଥିଲେ। ତା’ପରେ ଦିନେ ତାଙ୍କ ଜୀବନରେ ଏପରି କିଛି ଘଟିଗଲା ଯାହା ଆଜି ବି ବଡ଼ ବଡ଼ ମଡେଲମାନଙ୍କୁ ଆଚମ୍ବିତ କରିଦେଇଛି। ବର୍ତ୍ତମାନ ମମ୍ମିକାଙ୍କର ଫଟୋ ଏବଂ ଭିଡିଓ ଦେଖି କେହି ବି ବିଶ୍ୱାସ କରିପାରୁ ନାହାଁନ୍ତି, ସେ  ଦିନ ମଜୁରିଆ ମମ୍ମିକା ବୋଲି। ଆଜି ତାଙ୍କ ଆଖିରେ ବ୍ରାଣ୍ଡେଡ୍ ଚଷମା, ଦେହରେ ସୁନ୍ଦର ସୁଟ୍ ଏବଂ ମୁହଁରେ ସୁନ୍ଦର ଦେଖାଯାଉଥିବା ସଜ୍ଜିତ ଦାଢ଼ି।

ମମ୍ମିକାଙ୍କୁ ଦେଖିଲେ କେହିବି ଅନୁମାନ କରିପାରିବେ ନାହିଁ ଦିନେ ସେ ଦିନ ମଜୁରିଆ ଥିଲେ। ମମ୍ମିମାଙ୍କ ଜୀବନରେ ଆସିଥିବା ଏହି ପରିବର୍ତ୍ତନ ଜଣେ ଫଟୋଗ୍ରାଫରଙ୍କ ପାଇଁ ହିଁ ସମ୍ଭବ ହୋଇପାରିଛି। ଫଟୋଗ୍ରାଫର ଜଣଙ୍କ ମମ୍ମିକାଙ୍କ ମଧ୍ୟରେ ଜଣେ ମଡେଲଙ୍କୁ ଦେଖିପାରିଥିଲେ। ସେ ମମ୍ମିକାଙ୍କୁ ମନେଇ ତାଙ୍କର ଫଟୋ ସୁଟ୍ କରାଇବା ପାଇଁ ରାଜି କରାଇଥିଲେ। ମମ୍ମିକା ରାଜି ହେବା ପରେ ତାଙ୍କର ମେକଓଭର କରାଯାଇଥିଲା। ସୁଟ ବୁଟ୍ ପିନ୍ଧାଇ ତାଙ୍କର ଫଟୋ ସୁଟ ହେଲା। କେତେକ ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ପୋଷ୍ଟ କରାଯିବା ପରେ ମମ୍ମିକାଙ୍କ ଏହି ଲୁକକୁ ପ୍ରଶଂସା ମିଳିବାକୁ ଲାଗିଲା।ସୋସିଆଲ ମିଡିଆରେ ଚାଲିଛି ତାଙ୍କରି ଚର୍ଚ୍ଚା।

ମମ୍ମିକାଙ୍କୁ ଦିନ ମଜୁରିଆରୁ ମଡେଲରେ ପରିଣତ କରିଥିବା ଫଟୋଗ୍ରାଫର ହେଉଛନ୍ତି ଶାରୀକ ଭାୟାଲିଲ। ଶାରୀକ ମମ୍ମିକାଙ୍କୁ ଦେଖିବା ପରେ ଦକ୍ଷିଣ ଅଭିନେତା ବିନୟାକନଙ୍କ ଝଲକ ତାଙ୍କଠାରେ ଦେଖିବାକୁ ପାଇଥିଲେ। ଏହା ପରେ ସେ ମମ୍ମିକାଙ୍କର ଏକ ଫଟୋ ସୁଟ୍ କରିବାକୁ ଚିନ୍ତା କଲେ। ଶାରୀକ ମମ୍ମିକାଙ୍କର ସୁପର ଗ୍ଲାମ ମେକଓଭର କରାଇ ଫଟୋସୁଟ କରାଇଥିଲେ। ମମ୍ମିକାଙ୍କ ମଡେଲ ଲୁକ୍ ଫଟୋ ଇଣ୍ଟରନେଟରେ ପୋଷ୍ଟ ହେବା ପରେ ରାତାରାତି ଚର୍ଚ୍ଚାର ପରିସରକୁ ଆସିଯାଇଥିଲେ।

LEAVE A REPLY

Please enter your comment!
Please enter your name here