ଓଡ଼ିଶାଲାଇଭ୍‌ ବ୍ୟୁରୋ

କେରଳ ପାଇଁ ଶୁକ୍ରବାର କଳାଦିନ ଭାବେ ପ୍ରମାଣିତ ହୋଇଛି। ପ୍ରଥମେ ସକାଳେ ଭୁସ୍ଖଳନ ଏବଂ ରାତିରେ ବିମାନ ଦୁର୍ଘଟଣା ଭଳି ଦୁଇଟି ବଡ଼ ବିପତ୍ତିକୁ ସାମ୍ନା କରିଛି କେରଳ। ଏହି ଦୁଇଟି ଘଟଣା ପାଇଁ ସାରାଦେଶର ଲୋକେ କେରଳ ପ୍ରତି ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ନେତା ମନ୍ତ୍ରୀ କେରଳ ପାଇଁ ଦୁଃଖ ପ୍ରକାଶ କରିଛନ୍ତି।

ଶୁକ୍ରବାର ସକାଳେ ଇଡୁକି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିଲା। ଏହି ଘଟଣାରେ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ଘଟିଥିଲେ ବହୁ ଲୋକ ନିଖୋଜ ଥିଲେ। ଏଥିସହିତ ମୁନ୍ନାର ଚା’ ବଗିଚାରେ କାମ କରୁଥିବା ଅନେକ ଶ୍ରମିକ ମାଟିତଳେ ଫସି ରହିଥିବା ଖବର ଆସିଥିଲା।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଥିଲେ।

ଏହାପରେ ସନ୍ଧ୍ୟାରେ ଆଉ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଦୁବାଇରୁ କେରଳ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ କୋଜିକୋଡ ବିମାନବନ୍ଦରରେ ଅବତରଣ କରିବା ସମୟରେ ରନୱେରେ ଖସିପଡିଥିଲା। ଫଳରେ ବିମାନଟି ୨ ଖଣ୍ଡ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ବିମାନର ପାଇଲଟଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

Comment