ଡକ୍ଟର ଫକୀର ମୋହନ ନାହାକTelevision Katha

 ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ୍ ଜଗତରେ ଆସିଥିବା ପରିବର୍ତ୍ତନବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ଓଡ଼ିଶାରେ ଟେଲିଭିଜନର ଆୟୁଷ ୪୫ ବର୍ଷ। ଆଉ ତାହାରି ଭିତରୁ ଘରୋଇ ସାଟେଲାଇଟ୍ ଟେଲିଭିଜନ ଭାଗରେ ୨୦ ବର୍ଷ। ନୂଆ ସହସ୍ରାବ୍ଦୀର ଆରମ୍ଭରୁ ହିଁ ଭାରତବର୍ଷରେ ଟେଲିଭିଜନର ବିକାଶର ଗତି ତୀବ୍ର ହୋଇଛି। ପ୍ରାରମ୍ଭିକ ଦଶନ୍ଧିରେ ଏହାର ଗତି ଯାହାଥିଲା ପରବର୍ତ୍ତୀ ଦଶନ୍ଧିରେ ତାହା ବହୁଗୁଣିତ ହୋଇଛି। ଟେଲିଭିଜନର ଲୋକପ୍ରିୟତା ଏବଂ ଏହା ସହିତ ସଂପୃକ୍ତ ବ୍ୟବସାୟ ଏତେ ସଫଳ ହୋଇଛି ଯେ, ଅନେକ ଉଦ୍ୟୋଗୀ ଏବଂ ଶିଳ୍ପପତି ଏହି ବ୍ୟବସାୟରେ ପାଦ ଦେଇଛନ୍ତି। ତା ନହୋଇଥିଲେ ମାତ୍ର କୋଡ଼ିଏ ବର୍ଷ ଭିତରେ ଦେଶରେ ଟେଲିଭିଜନ୍ ଚାନେଲ ସଂଖ୍ୟା ୨୫ରୁ ଆସି ୯୦୦ ପାର୍‌ କରିନଥାନ୍ତା।ସେହିଭଳି ଓଡ଼ିଶାରେ ଦୂରଦର୍ଶନ (ଡିଡି-ଓଡ଼ିଆ) ଏକମାତ୍ର ଚାନେଲ ଓ ପରେ ପରେ ଈଟିଭି ଓଡ଼ିଆରୁ ବର୍ତ୍ତମାନ ଯାଏଁ ୨୨ଟି ଚାନେଲ ନିଜର ପ୍ରସାରଣ ସେବା ଯୋଗାଇବା କିଛି କମ କଥା ନୁହେଁ। ଏହା ନିଶ୍ଚିତ ଭାବେ ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ଏକ ବିରାଟ ଲମ୍ଫ।

ତେବେ ଏତେ ସବୁ ଚାନେଲ ଦର୍ଶକଙ୍କ ସାମ୍ନାକୁ ଆସିବା ଭିତରେ ଯେ ଓଡ଼ିଆ ସାମ୍ବାଦିକତା ଏବଂ ଟେଲିଭିଜନ ଜଗତରେ ଆଉ ଏକ ପରିବର୍ତ୍ତନ ଘଟିଛି ତାହା ନିଶ୍ଚିତ ଭାବେ ଆଲୋଚନାର ବିଷୟ। ଗତ ଶତାବ୍ଦୀରେ ଓଡ଼ିଶାର ରକ୍ଷଣଶୀଳ ସମାଜରୁ ଝିଅମାନେ ମୁଖ୍ୟତଃ ଶିକ୍ଷକତା, ଡାକ୍ତରୀ ସେବା, ନର୍ସିଂ ଅଥବା ପ୍ରାଶାସନିକ ସେବା ବ୍ୟତୀତ ସାମ୍ବାଦିକତା ପ୍ରତି ଏତେ ଆକର୍ଷିତ ନଥିଲେ।

ହାତଗଣତି କିଛି ଜଣଙ୍କୁ ଛାଡ଼ିଦେଲେ ସେହି ସମୟରେ ଝିଅମାନେ ମୁଖ୍ୟସ୍ରୋତରେ ସାମ୍ବାଦିକତା କରିବା ପାଇଁ ଏତେ ଆଗ୍ରହ ପ୍ରକାଶ କରୁନଥିଲେ। ଯେଉଁମାନେ ବି ସେତେବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଶିକ୍ଷା ଗ୍ରହଣ କରୁଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ, ବିଭିନ୍ନ ଘରୋଇ କିମ୍ବା ସରକାରୀ ସଂସ୍ଥାରେ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ। କିନ୍ତୁ ଏହି ଧାରାରେ ଏକ ବିରାଟ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା ଈଟିଭି ଓଡ଼ିଆ।

ପ୍ରଥମ ପର୍ଯ୍ୟାୟରେ ଈଟିଭି ଓଡ଼ିଆ ଆରମ୍ଭ ହେଲା ବେଳେ ସେଥିରେ ଯୋଗ ଦେଇଥିଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଅତସୀ ପରିଚ୍ଛା ପଟ୍ଟନାୟକ, କଳ୍ପନା କରନ, ରାଜଶ୍ରୀ ମହାପାତ୍ର, ମନୋରମା ଷଡ଼ଙ୍ଗୀ, ମୃଣାଳିନୀ ସାହୁ, ଶିବାନୀ ସରକାର ଏବଂ ବନ୍ଦିତା ପଣ୍ଡା (ବର୍ତ୍ତମାନ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ବିଭାଗୀୟ ମୁଖ୍ୟ)।

ଏହାସହ ଥିଲେ ପୂର୍ବତନ ଛାତ୍ରୀ ପଲ୍ଲବିନୀ ମିଶ୍ର (ବର୍ତ୍ତମାନ ତେଲୁଗୁ ସିନେମାର ଜଣେ ପରିଚିତ ଚେହେରା) ଏବଂ ସ୍ମୃତିଶିଖା ପ୍ରଧାନ। ସେହିଭଳି ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳରୁ ରୁପାଲି କର ଏବଂ ଶର୍ମିଷ୍ଠା ପଟ୍ଟନାୟକ ଥିଲେ ଈଟିଭି ଆରମ୍ଭର ପ୍ରତିନିଧି। ଏହା ବ୍ୟତୀତ ରୋଜି ମିଶ୍ର ଓ ସ୍ମୃତି ମିଶ୍ର ଥିଲେ ଏହି ଟିମରେ। ସବୁଠୁ ବଡ଼କଥା ହେଉଛି, ଈଟିଭି ଓଡ଼ିଆର ରାଜ୍ୟସ୍ତରୀୟ ନ୍ୟୁଜ୍ ବ୍ୟୁରୋର ମୁଖ୍ୟଥିଲେ ସୁଲୋଚନା ଦାସ (ସଂପ୍ରତି ବିଜେଡିର ଜଣେ ବରିଷ୍ଠ ସଦସ୍ୟା ଏବଂ ରାଜ୍ୟ ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା)।

ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ନିଯୁକ୍ତି ହୋଇଥିଲା ହାଇଦ୍ରାବାଦର ରାମୋଜୀ ଫିଲ୍ମସିଟିରେ, ଈଟିଭି ମୁଖ୍ୟାଳୟରେ। ତେଣୁ ଝିଅ ହୋଇ ଘରଠୁ ଦୂରରେ, ଅନ୍ୟ ରାଜ୍ୟରେ କାମ କରିବା ଏ ସମସ୍ତଙ୍କ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ କଠିନ ଥିଲା। କିନ୍ତୁ ସେ ସବୁକୁ ଖାତିର କରିନଥିଲେ ସେମାନେ। ସେମାନଙ୍କ ନିରନ୍ତର ପ୍ରୟାସ ଏବଂ କାର୍ଯ୍ୟଦକ୍ଷତା, ପ୍ରତ୍ୟେକଙ୍କୁ ଜଣେ ଜଣେ ବଳିଷ୍ଠ ଟେଲିଭିଜନ୍ ପ୍ରଫେସନାଲ ଭାବେ ପ୍ରତିଷ୍ଠିତ କରାଇବାବରେ ହୋଇଥିଲା ସହାୟକ। ଏଇମାନଙ୍କଠାରୁ ଆରମ୍ଭ ହୋଇଥିଲା ଓଡ଼ିଆ ଟେଲିଭିଜନ ସାମ୍ବାଦିକତା ଓ ପ୍ରଯୋଜନା କ୍ଷେତ୍ରରେ ମହିଳାମାନଙ୍କ ଜୟଯାତ୍ରାର ଏକ ନୂଆଯୁଗ। ଏଇମାନେ ପାଲଟିଗଲେ ଅନ୍ୟ ଝିଅମାନଙ୍କ ପାଇଁ ପ୍ରେରଣା। ସେଥିପାଇଁ ପରବର୍ତ୍ତୀ ସମୟରେ ବିଭିନ୍ନ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠାନର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଝିଅମାନଙ୍କ ନାମଲେଖା ବୃଦ୍ଧି ପାଇଛି।

ରିଜଓ୍ୱାନା ପରବୀନ

ଈଟିଭି ଓଡ଼ିଆ ଆରମ୍ଭ ହେବାର ମାତ୍ର ଦୁଇ ବର୍ଷ ଭିତରେ ଅନ୍ୟ ଝିଅମାନେ ପର୍ଯ୍ୟାୟକ୍ରମେ ଟେଲିଭିଜନରେ ଯୋଗ ଦେଇଛନ୍ତି। ଇତିଶ୍ରୀ ନାୟକ, ମୌସୁମୀ ମହାନ୍ତି, ସିପ୍ରା କର, ସୌମ୍ୟା ପରିଡ଼ା, କଲ୍ୟାଣୀ ସଂଘମିତ୍ରା, ଚନ୍ଦନା ନାୟକ ଈଟିଭିରେ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ପରେ ପରେ ବବିତା ସାହୁ, ମୋନାଲିସା ତ୍ରିପାଠୀ, ପ୍ରିୟଦର୍ଶନୀ ମହାପାତ୍ର, ସୋନାଲି ମହାନ୍ତି, ସସ୍ମିତା ସାହୁ, ଦେବସ୍ମିତା ପଟ୍ଟନାୟକ, ସୁଧାଶ୍ରୀ ଦାସ, ଇପ୍ସିତା ଦାସ, ରିଜୱାନା ପରୱିନ୍, ମିତାଲି ପଟ୍ଟନାୟକ, ବିଜୟଲକ୍ଷ୍ମୀ ରଥ, ସନ୍ତୋଷିନୀ ମହାପାତ୍ର, ଶାଶ୍ୱତୀ, ସ୍ୱାତୀ ମହାପାତ୍ର, ମୀନାକ୍ଷି ବିଷୋୟୀ, ସସ୍ମିତା ନାୟକ, ଜ୍ୟୋତି ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ଈଟିଭିରେ।

ଏମାନଙ୍କ ମଧ୍ୟରୁ ଅନେକ ଏବେ ବି ଟେଲିଭିଜନ ସାମ୍ବାଦିକତାରେ ସକ୍ରିୟ ଅଛନ୍ତି। କାଁ ଭାଁ କିଛି ଜଣ ସାମ୍ବାଦିକତା ଛାଡ଼ି ଅନ୍ୟ ପେସାକୁ ଆପଣେଇ ନେଇଛନ୍ତି। ଏଇମାନେ ଯେ କେବଳ ନ୍ୟୁଜ୍ ଡେସ୍କରେ ଖବର ଲେଖୁଥିଲେ ବା ଖବର ଉପସ୍ଥାପନ କରୁଥିଲେ ତା ନୁହେଁ। ଟେଲିଭିଜନର ବିଭିନ୍ନ ବିଭାଗରେ ଥିଲା ଏମାନଙ୍କ ଦକ୍ଷତା। କିଏ ଆଙ୍କରିଂ କରୁଥିଲେ ତ ଆଉ କିଏ କପି ଲେଖୁଥିଲେ। ଚିରାଚରିତ ଭାବେ ପ୍ରଡକ୍ସନ (ପାନେଲ ପ୍ରଡ୍ୟୁସର), ପ୍ରୋଗ୍ରାମ ପ୍ରଡ୍ୟୁସର, ବୁଲେଟିନ୍ ପ୍ରଡ୍ୟୁସର, ଭିଜୁଆଲ ଏଡିଟିଂ, ଭଏସ୍ ଓଭର ରେକର୍ଡିଂ ଏବଂ କ୍ୟାମେରା ହେଣ୍ଡଲିଂ ଭଳି କାମ ପୁରୁଷମାନେ କରି ଆସୁଥିଲେ।

କିନ୍ତୁ ସେ ସବୁ କାମ ଏହି ଝିଅମାନେ କରିବାରେ ଦକ୍ଷତା ହାସଲ କରିଥିଲେ। ଯାହା ଫଳରେ ସେମାନେ ନିଜ ନିଜ କ୍ଷେତ୍ରରେ ସୁଦକ୍ଷ ପ୍ରଫେସନାଲ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଏହାସହ ଚବିଶ ଘଣ୍ଟିଆ ଚାନେଲରେ ଦିନ ରାତି କାମ ଚାଲୁଥିଲା ବେଳେ, ଝିଅ ବୋଲି ଏମାନେ କୌଣସି ବିଶେଷ ସୁବିଧା ପାଇନାହାନ୍ତି। ନିର୍ଦ୍ଧାରିତ ସମୟ ଅନୁସାରେ ଯେଉଁ ସମୟରେ ସେମାନଙ୍କୁ କାମ କରିବା ପାଇଁ ନିର୍ଦ୍ଦେଶ ମିଳିଛି, ସେମାନେ ସେ ଅନୁସାରେ କାମ କରିଛନ୍ତି। ତେଣୁ ମୋଟାମୋଟି କହିଲେ, କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ବୈଷମ୍ୟ ଏବଂ ପକ୍ଷପାତିତାର କୌଣସି ଚିହ୍ନବର୍ଣ୍ଣ ନଥିଲା ସେଇଠି। କେତେକ କ୍ଷେତ୍ରରେ ପୁଅମାନଙ୍କଠାରୁ ଅଧିକ ଦକ୍ଷତାର ସହିତ ନିଜ କାର୍ଯ୍ୟ ସମ୍ପାଦନ କରିଛନ୍ତି ଏମାନେ।

କେବଳ ଏଇମାନେ ନୁହନ୍ତି, ଟେଲିଭିଜନର ବିଭିନ୍ନ କାର୍ଯ୍ୟକ୍ରମର ଉପସ୍ଥାପନା ଦିଗରେ କିଛି ଝିଅ ଆରମ୍ଭରୁ ହିଁ ଈଟିଭି ସହିତ ଯୋଡ଼ି ହୋଇଥିଲେ। ଓଡ଼ିଆ ସିନେ ଜଗତର ପ୍ରଖ୍ୟାତ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ନୈନା ଦାସ, ଜିନା ଏବଂ ସୁଲଗ୍ନାଙ୍କ ଭଳି ଅନେକଙ୍କ କ୍ୟାରିଅରର ଆରମ୍ଭରେ ଏକ ପ୍ରକୃଷ୍ଟ ମଞ୍ଚ ପାଲଟିଥିଲା ଈଟିଭି ଓଡ଼ିଆ। ଛୋଟ ପରଦାରୁ ବଡ଼ ପରଦା ପର୍ଯ୍ୟନ୍ତ ଯାତ୍ରାର ଶୁଭାରମ୍ଭ ହୋଇଥିଲା ଈଟିଭି ଓଡ଼ିଆରୁ।

ମହିଳାମାନଙ୍କୁ ଟେଲିଭିଜନରେ କାମ କରିବାର ସୁଯୋଗ ଦେବାରେ ଈଟିଭି ଓଡ଼ିଆ ଯେଉଁ ପଦକ୍ଷେପ ନେଇଥିଲା, ତାହା ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କ ପାଇଁ ରାସ୍ତା ପ୍ରଶସ୍ତ କରିଦେଇପାରିଲା। ଫଳରେ ଆଜି ରାଜ୍ୟର ଅଧିକାଂଶ ଟେଲିଭିଜନ ଚାନେଲରେ ଆଙ୍କରିଂ ବା ଉପସ୍ଥାପନା ସାଙ୍ଗକୁ ରିପୋର୍ଟିଂରେ ବହୁ ସଂଖ୍ୟାରେ ଝିଅ କାମ କରୁଛନ୍ତି। କେବଳ ସେତିକି ନୁହେଁ, ଗ୍ରାଫିକ୍ସ ଡିଜାଇନିଂଠାରୁ ଆରମ୍ଭ କରି ଭିଜୁଆଲ ଏଡ଼ିଟିଂ, କପି ଏଡ଼ିଟିଂ, ବୁଲେଟିନ୍ ପ୍ରଡକ୍ସନ, ଲାଇଭ୍ ବ୍ରଡକାଷ୍ଟିଂ (ସିଧାପ୍ରସାରଣ), ଅନଲାଇନ୍ ଏଡ଼ିଟିଂ (ଭିଜନ୍ ମିକ୍ସିଂ), ଅଡିଓ ଇଞ୍ଜିନିୟରିଂ ଏବଂ କ୍ୟାମେରା ପରିଚାଳନା ଯାଏଁ ସବୁ ବିଭାଗରେ ଏବେ କାମ କରୁଛନ୍ତି ଝିଅ।

କେବଳ ଟେଲିଭିଜନ ନୁହେଁ, ରାଜ୍ୟର ଅଧିକାଂଶ ଗଣମାଧ୍ୟମ ସଂସ୍ଥା (ଛାପା, ବୈଦ୍ୟୁତିକ ଏବଂ ଡିଜିଟାଲ)ରେ ଏବେ ମହିଳାଙ୍କ ପ୍ରତିନିଧିତ୍ୱ ଢେର ବଢ଼ିଛି। ତେବେ ଟେଲିଭିଜନ ସାମ୍ବାଦିକତାରେ ମହିଳାଙ୍କ ପ୍ରତିନିଧିତ୍ୱକୁ ନେଇ ଏଇ ଲେଖକର ଏକ ଗବେଷଣାରୁ (ଜାତୀୟ ସ୍ତରରେ ପ୍ରକାଶିତ) କିଛି ଏମିତି ତଥ୍ୟ ମିଳିଛି ଯାହା ଉପରେ ଚିନ୍ତା କରାଯିବା ଆବଶ୍ୟକତା ରହିଛି।

ବିଶେଷକରି ନିଜ ମାଲିକାନାରେ ଥିବା କନକ ନ୍ୟୁଜ୍ ଏବଂ ଓଟିଭିରେ ସଂସ୍ଥାର ପରିଚାଳନା ମୁଖ୍ୟ ଭାବେ ମହିଳା ରହିଛନ୍ତି। କିନ୍ତୁ କର୍ମଚାରୀ ଭାବେ ରାଜ୍ୟର କୌଣସି ଟେଲିଭିଜନ ଚାନେଲରେ ମହିଳାମାନେ ମୁଖ୍ୟ ସଂପାଦକ, ସଂପାଦକ ଭଳି ପଦବୀରେ କାର୍ଯ୍ୟ କରିବାର ସୁଯୋଗ ପାଇନାହାନ୍ତି। କେବେ କୌଣସି ଚାନେଲ ଏ ଦିଗରେ ଚିନ୍ତା କରିନାହାନ୍ତି ବୋଧେ। ସେହିଭଳି ରିପୋର୍ଟିଂର କେତେକ ନିର୍ଦ୍ଦିଷ୍ଟ ବିଟରେ ପୁରୁଷମାନଙ୍କୁ ଅଗ୍ରାଧିକାର ଦିଆଯାଉଥିବା ଦେଖିବାକୁ ମିଳିଛି। ଏଇ ଯେମିତି ରାଜନୀତି, ଅପରାଧ ଆଦି ବିଭାଗ।

ନିଜ ନାମକୁ ଗୋପନ ରଖିବାର ସର୍ତ୍ତରେ କିଛି ସାମ୍ବାଦିକା କହିଛନ୍ତି ଯେ, ସମସ୍ତ ପ୍ରକାର ଦକ୍ଷତା ଥିବା ସତ୍ତ୍ୱେ ସେମାନେ ପକ୍ଷପାତିତାର ଶିକାର ହେଉଛନ୍ତି। ମହିଳା ବୋଲି ସେମାନେ ଚାନେଲର ଖବର ପରିଚାଳନା କ୍ଷେତ୍ରରେ ସାମିଲ ହେବାରୁ ବଞ୍ଚିତ ହେଉଛନ୍ତି। ଏସବୁ ସତ୍ତ୍ୱେ ଓଡ଼ିଶାରେ ସାଧାରଣ ସାମ୍ବାଦିକତା କ୍ଷେତ୍ରରେ ଏବଂ ବିଶେଷକରି ଟେଲିଭିଜନରେ ଗତ କୋଡ଼ିଏ ବର୍ଷ ତଳେ ମହିଳାଙ୍କ ପ୍ରତିନିଧିତ୍ୱର ଯେଉଁ ଧାରା ପ୍ରବାହ ଆରମ୍ଭ ହୋଇଥିଲା, ତାହା ବର୍ତ୍ତମାନ ଏକ ପ୍ରଖର ସ୍ରୋତରେ ପରିଣତ ହୋଇଛି। ମହିଳାଙ୍କ ସକ୍ରିୟ ପ୍ରତିନିଧିତ୍ୱ ଆଶାତୀତ ଭାବେ ବୃଦ୍ଧି ପାଇଛି।

ଈଟିଭି ଓଡ଼ିଆ ଆସିବା ପରେ କିଭଳି ଭାବେ ଓଡ଼ିଶାରେ ସିଧାପ୍ରସାରଣର ପରମ୍ପରା ଆରମ୍ଭ ହୋଇଥିଲା ଏବଂ ଏହାଦ୍ୱାରା ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଘଟଣା ଓ କାର୍ଯ୍ୟକ୍ରମର ପ୍ରସାରଣ ସମ୍ଭବ ହୋଇଥିଲା, ସେ ସମ୍ପର୍କରେ ଆଲୋଚନା କରିବା ଆଗାମୀ ଅଧ୍ୟାୟରେ।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ‘ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍’ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Comment