ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ନାହାନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥନୀତିର ଭୀଷ୍ମ ପିତାମହ ଡକ୍ଟର ମନମୋହନ ସିଂହ। ଗୁରୁବାର ରାତିରେ ୮ଟାରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି।

ଡକ୍ଟର ମନମୋହନ ସିଂ ତାଙ୍କର ଲମ୍ବା ରାଜନୈତିକ କ୍ୟାରିୟରରେ ଦେଶରେ ଅନେକ ଐତିହାସିକ ସୁଧାର ଆଣିଛନ୍ତି। ଅନେକ ଯୋଜନା ଆଣିଛନ୍ତି। ଯାହାର ସୁବିଧା ଆଜି ବି ଦେଶବାସୀ ଉପଭୋଗ କରୁଛନ୍ତି। ସେ ସବୁଦିନ ପାଇଁ ସିନା ଚାଲିଗଲେ, ହେଲେ ତାଙ୍କ ଅବଦାନକୁ ଆମ ଦେଶ କେବେ ବି ଭୁଲିବନି।

ମନମୋହନ ସିଂହ ତାଙ୍କର ଆର୍ଥିକ ସୁଧାରବାଦୀ ବିଚାର ଏବଂ କଲ୍ୟାଣକାରୀ ନୀତି ପାଇଁ ବିଶେଷ ଭାବେ ପରିଚିତ। ତାଙ୍କର ନେତୃତ୍ୱରେ ଦେଶରେ ଅନେକ ନୂଆ ନୀତି ଓ ଆଇନ ଲାଗୁ ହୋଇଥିଲା, ଯାହା କୋଟି କୋଟି ନାଗରିକଙ୍କ ଜୀବନରେ ସୁଧାର ଆଣିଥିଲା। ତାଙ୍କ କାର୍ଯ୍ୟକାଳରେ ହୋଇଥିବା କିଛି ଐତିହାସିକ ନିଷ୍ପତ୍ତି ବିଷୟରେ ଆସନ୍ତୁ ଜାଣିବା।

ସୂଚନା ଅଧିକାର ଆଇନ (୨୦୦୫)

ଏହି ଆଇନ ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ସରକାରୀ ସୂଚନା ପାଖରେ ପହଞ୍ଚିବାର ଅଧିକାର ଦେଇଥିଲା। ଏହା ବିଭିନ୍ନ କ୍ଷେତ୍ରରେ ସରକାରୀ ସ୍ୱଚ୍ଛତା ଓ ଦାୟିତ୍ୱବୋଧକୁ ସୁନିଶ୍ଚିତ କରିଥିଲା।

ମନରେଗା ଯୋଜନା (୨୦୦୫)

ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତରେ ମାହତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରଣ୍ଟି ଅଧିନିୟମ ଲାଗୁ ହୋଇଥିଲା। ଏହି ଆଇନ ବଳରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ୧୦୦ ଦିନ କାମର ରୋଜଗାର ଅଧିକାର ମିଳିଥିଲା।

ଜଙ୍ଗଲ ଅଧିକାର ଆଇନ (୨୦୦୬)

ଆଦିବାସୀ ସଂପ୍ରଦାୟଙ୍କୁ ତାଙ୍କର ପରମ୍ପରାଗତ ଭୂମି ଅଧିକାର ଫେରାଇ ଦେବା ନେଇ ଜଙ୍ଗଲ ଅଧିକାର ଆଇନ ମନମୋହନ ସିଂହଙ୍କ ସମୟରେ ଆସିଥିଲା। ଏହା ଏକ ଐତିହାସିକ ପଦକ୍ଷେପ ଥିଲା ।

ଶିକ୍ଷା ଅଧିକାର ଆଇନ (୨୦୦୯)

ମନମୋହନ ସିଂହ ସରକାର ୬ରୁ ୧୪ ବର୍ଷର ପ୍ରତ୍ୟେକ ପିଲାଙ୍କୁ ମାଗଣାରେ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଦେଇଥିଲା। ପ୍ରତ୍ୟେକ ପିଲାଙ୍କୁ ସେମାନଙ୍କ ମୌଳିକ ଅଧିକାର ପ୍ରଦାନ କରିବା ଦିଗରେ ଏହି ଆଇନ ଏକ ମାଇଲଖୁଣ୍ଟ ଥିଲା।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(୨୦୧୩)

ଏହି ଆଇନ ଲାଗୁ ହେବା ଦ୍ୱାରା ଦେଶର ଦୁଇ ତୃତୀୟାଂଶ ପରିବାରକୁ ଶସ୍ତାରେ ଖାଦ୍ୟପଦାର୍ଥ ଯୋଗାଇ ଦିଆଯାଇଥିଲା। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗରିବ, ଅସହାୟ ଲୋକଙ୍କ ପାଇଁ ଏହା ଯେପରି ବରଦାନ ସଦୃଶ ଥିଲା।

ଭୂମି ଅଧିଗ୍ରହଣ ଆଇନ (୨୦୧୩)

ଭୂମି ଅଧିଗ୍ରହଣ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ଉଚିତ କ୍ଷତିପୂରଣ ଦେବା ନେଇ ଏହି ଆଇନ ସୁନିଶ୍ଚିତ କରିଥିଲା। ଏହାଦ୍ଵାରା ବିଭିନ୍ନ ସରକାରୀ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସୁବିଧାଜନକ ହେବାସହ ଲୋକଙ୍କୁ ଶୀଘ୍ର ତାଙ୍କ କ୍ଷତିପୂରଣ ମିଳିପାରୁଛି।

ଏସବୁ ବାଦ ୧୯୯୧ ମସିହାରେ ଭାରତର ବଡ଼ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା। ସେହି ସମୟରେ ପି ଭି ନରସିମହା ରାଓଙ୍କ ସରକାରରେ ଅର୍ଥ ମନ୍ତ୍ରୀ ଥିଲେ ମନମୋହନ ସିଂହ। ଏପରି ଜଟିଳ ସ୍ଥିତିରେ ମନମୋହନ ସିଂହ ଦେଶକୁ ଉଦାରୀକରଣ ରାସ୍ତାରେ ନେଇ ବିଶ୍ୱ ମଞ୍ଚରେ ଏକ ନୂଆ ପରିଚୟ ଦେଇଥିଲେ।

ଏହାବ୍ୟତୀତ ୨୦୦୮ରେ ଆମେରିକା ସହ ଭାରତର ପରମାଣୁ ଚୁକ୍ତି ତଥା ଅନ୍ୟ ଉନ୍ନୟନମୂଳକ କାର୍ଯ୍ୟ ବଳରେ ଡକ୍ଟର ମନମୋହନ ସିଂହ ଉଦାହାରଣ ସୃଷ୍ଟି କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ଆରମ୍ଭ ହୋଇଥିବା ନୀତି ଓ ସୁଧାର ଭାରତୀୟ ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବାର ନିଅଁ ପକାଇଥିଲା।

Tags: #DrManmohanSingh #FormerPrimeMinister #Economist #Politician #Congress #India 

LEAVE A REPLY

Please enter your comment!
Please enter your name here