ଓଡ଼ିଶାଲାଇଭ୍ ବ୍ୟୁରୋ
ତାମିଲନାଡୁ ବିଜେପି ସଭାପତି କେ. ଆନ୍ନାମଲାଇଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର କୋଏମ୍ବାଟୁର ସ୍ଥିତ ବାସଭବନ ସମ୍ମୁଖରେ ନିଜକୁ ନିଜେ ଚାବୁକ ମାଡ଼ ଦେଇ ଅନ୍ୟାୟର ପ୍ରତିବାଦ କରିଛନ୍ତି। ଚେନ୍ନାଇର ଆନ୍ନା ୟୁନିଭର୍ସିଟିରେ ହୋଇଥିବା ଯୌନ ନିର୍ଯାତନା ମାମଲାର ତଦନ୍ତ କରିବାରେ ପୋଲିସ ଓ ରାଜ୍ୟ ସରକାରଙ୍କ ଉଦାସୀନତାକୁ ସେ ନିନ୍ଦା କରିବା ସହ ନିଜର ଖୋଲା ଦେହକୁ ଚାବୁକ ମାରି ବିରୋଧ ପ୍ରଦର୍ଶନ କରିଛନ୍ତି।
କାହିଁକି ନିଜକୁ ଚାବୁକ ମାରିଲେ ଆନ୍ନାମଲାଇ
ଆନ୍ନା ୟୁନିଭର୍ସିଟିର ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ପୀଡ଼ିତା ଛାତ୍ରୀ ନିଜ ଅଭିଯୋଗରେ କହିଥିଲେ, ଡିସେମ୍ବର ୨୩ ତାରିଖ ରାତି ପ୍ରାୟ ୮ ଟାରେ ଯେତେବେଳେ ସେ କଲେଜ କ୍ୟାମ୍ପସରେ ନିଜ ପୁରୁଷ ବନ୍ଧୁଙ୍କ ସହ କଥା ହେଉଥିଲେ ଜଣେ ଅଞ୍ଜାତ ବ୍ୟକ୍ତି ତାଙ୍କୁ ଆସି ଧମକାଇ ଥିଲେ ଏବଂ ଅଶ୍ଳୀଳ ବ୍ୟବହାର କରିବା ସହ ଯୌନ ନିର୍ଯାତନା ଦେଇଥିଲେ। ତେବେ ଏହି ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।
ଏହି ଘଟଣାରେ ରାଜ୍ୟ ସରକାର ଏବଂ ପୋଲିସର ତଦନ୍ତ ପ୍ରକ୍ରିୟା ପ୍ରତି କେ. ଆନ୍ନାମଲାଇ ଅଙ୍ଗୁଳି ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣାର ଅଭିଯୁକ୍ତ ଜଣେ ଡିଏମଏକ କର୍ମକର୍ତ୍ତା। ତେଣୁ ଶାସକ ଦଳ, ରାଜ୍ୟ ସରକାର ଏବଂ ପୋଲିସ ଜାଣିଶୁଣି ପୀଡିତାଙ୍କ ଏଫଆଇଆର ଲିକ୍ କରି ଦେଇଛନ୍ତି। ଏପରିକି ସେମାନେ ପୀଡ଼ିତାଙ୍କ ଚରିତ୍ର ଉପରେ ଆଙ୍ଗୁଳି ଉଠାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଏହି ଘଟଣାର ପ୍ରତିବାଦ କରି ଶୁକ୍ରବାର ସେ କୋଏମ୍ବାଟୁର ସ୍ଥିତ ନିଜ ବାସଭବନ ବାହାରେ ନିଜକୁ ଚାବୁକ ମାରୁଥିବା ଦେଖିବାକୁ ମିଳିଛି। ସେ ନିଜ ଶରୀରର ଉପର ଭାଗ ପୋଷାକ ଖୋଲି ନିଜକୁ ନିଜେ ପିଟୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ସେତିକି ନୁହେଁ, ସେ ପ୍ରତିଜ୍ଞା କରିଛନ୍ତି, ଯେତେଦିନ ଯାଏଁ ଏମ.କେ. ଷ୍ଟାଲିନଙ୍କ ଡିଏମକେ ପାର୍ଟି କ୍ଷମତାରୁ ବାହାରି ଆସିନି ସେତେଦିନ ପର୍ଯ୍ୟନ୍ତ ସେ ଯୋତା ପିନ୍ଧିବେ ନାହିଁ।
ଏଥି ସହିତ ପୂର୍ବେ କ୍ୟାମ୍ପସ ନିକଟରେ ଖାଦ୍ୟ ବିକୁଥିବା ଜଣେ ୩୭ ବର୍ଷିୟା ମହିଳାଙ୍କୁ ମଧ୍ୟ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା କେ. ଆନ୍ନାମଲାଇ ଅଭିଯୋଗ କରିଛନ୍ତି।
Tags: #KAnnamalai #Protest #SelfWhipping #BJP #DMKGovt #TamilNadu