ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ କଥାକାର ତରୁଣକାନ୍ତି ମିଶ୍ରଙ୍କୁ ‘ସାହିତ୍ୟଶ୍ରୀ’ ଓ ଯୁବ ସାହିତ୍ୟିକ ଦିପୁନ ପୁହାଣଙ୍କୁ ମିଳିବ ‘ହାଜି ଅସରଫ୍ ଅଲ୍ଲୀ ଉଦୟ ପ୍ରତିଭା’।

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ବାର୍ଷିକ ପୁରସ୍କାର ଓ ସମ୍ମାନ ଘୋଷଣା କରାଯାଇଛି। ପରିଷଦ ଆନୁକୂଲ୍ୟରେ ଜାନୁଆରି ୧୩ରୁ ୧୬ ତାରିଖ ଯାଏଁ ହେବାକୁ ଥିବା କଥାସମ୍ରାଟ ଫକୀରମୋହନ ସେନାପତିଙ୍କ ୧୮୩ତମ ଜୟନ୍ତୀ ଓ ପରିଷଦର ୭୮ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏଥିରେ ବିଭିନ୍ନ ବିଭାଗରେ ଓଡ଼ିଶା ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରର ୨୪ ଜଣ ଲବ୍ଧପ୍ରତିଷ୍ଠ ପ୍ରତିଭାଙ୍କୁ ପୁରସ୍କୃତ ତଥା ସମ୍ବର୍ଦ୍ଧିତ କରାଯିବ।

ଚଳିତ ବର୍ଷ ରାଜ୍ୟର ବିଶିଷ୍ଟ କଥାକାର ତରୁଣକାନ୍ତି ମିଶ୍ରଙ୍କୁ ପରିଷଦର ସର୍ବୋଚ୍ଚ ପୁରସ୍କାର ‘ସାହିତ୍ୟଶ୍ରୀ’ ପ୍ରଦାନ କରାଯିବ। ଏହାସହିତ ଯୁବ ସାହିତ୍ୟିକ ଦିପୁନ ପୁହାଣ ‘ହାଜି ଅସରଫ୍ ଅଲ୍ଲୀ ଉଦୟ ପ୍ରତିଭା’ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଚଳିତବର୍ଷ ପାଇଁ ଫକୀରମୋହନ ସାହିତ୍ୟ ପରିଷଦର ବରିଷ୍ଠ ସଦସ୍ୟା ଅରୁଣା ରାୟଙ୍କୁ ‘ପରିଷଦ ଗୌରବ’ ସମ୍ମାନରେ ସମ୍ମାନିତ କରାଯିବ।

ଅନ୍ୟପଟେ ପ୍ରବନ୍ଧ ପାଇଁ ଲଲାଟେନ୍ଦୁ ଦାସ ମହାପାତ୍ର, ସାହିତ୍ୟ ସମାଲୋଚନା ପାଇଁ ଡକ୍ଟର ଦେବାଶିଷ ପାତ୍ର, କବିତା ପାଇଁ ସୌଭାଗ୍ୟବନ୍ତ ମହାରଣା, ଗଳ୍ପ ପାଇଁ ସୀତେଶ ତ୍ରିପାଠୀ, ଉପନ୍ୟାସ ପାଇଁ ନିବାରଣ ଜେନା, ନାଟକ ପାଇଁ ସଞ୍ଜୟ ହାତୀ ଏବଂ ଗୀତିକବିତା ପାଇଁ ମନୋଜ ମହାନ୍ତିଙ୍କୁ ପୁରସ୍କୃତ କରାଯିବ।

ସେହିପରି ଶିଶୁସାହିତ୍ୟ ପାଇଁ ଦେବେନ୍ଦ୍ର ଚୌଧୁରୀ, ସମ୍ବାଦ ସାହିତ୍ୟ ପାଇଁ ଚିନ୍ମୟ ହୋତା, ଅନୁବାଦ ପାଇଁ ବର୍ଷାଳୀ ଶର୍ମା ଗୌଡ଼, ହାସ୍ୟ ଓ ବ୍ୟଙ୍ଗ ପାଇଁ ବ୍ରଜ ସୁବୁଦ୍ଧି, ଭ୍ରମଣ ସାହିତ୍ୟ ପାଇଁ ଅଶୋକ ମହାନ୍ତି, ସଙ୍ଗୀତ ପାଇଁ ସଙ୍ଗୀତା ପଣ୍ଡା ଏବଂ ଆଧ୍ୟାତ୍ମିକ ସାହିତ୍ୟ ପାଇଁ ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କୁ ପୁରସ୍କାର ପ୍ରଦାନ କରାଯିବ।

ଏହାସହ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର କ୍ଷେତ୍ରରେ ଇଞ୍ଜିନିୟର ରଶ୍ମିରଂଜନ ରାୟ, ପତ୍ରିକା ସମ୍ପାଦନା କ୍ଷେତ୍ରରେ କମଳ କୁମାର ମହାନ୍ତି, ସାହିତ୍ୟ ସଂଗଠନ କ୍ଷେତ୍ରରେ ଡକ୍ଟର ଭାଗବତ ପ୍ରସାଦ ଦାସ, ସମାଜସେବା ପାଇଁ ଡକ୍ଟର ମୋହିତ କୁମାର ଷଡ଼ଙ୍ଗୀ, ଆତ୍ମଜୀବନୀ ପାଇଁ ରାସେଶ୍ଵରୀ ମିଶ୍ର, ତବଲା ବାଦନ ପାଇଁ ସୁଶାନ୍ତ କୁମାର ଦାସ ଓ ବିଜ୍ଞାନ ସାହିତ୍ୟ ପାଇଁ ଡକ୍ଟର କମଳାକାନ୍ତ ଜେନାଙ୍କୁ ସମ୍ମାନିତ କରାଯିବ।

ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଅବସରରେ ହେବାକୁ ଥିବା ଏହି ଚାରିଦିନ ବ୍ୟାପି କାର୍ଯ୍ୟକ୍ରମରେ ଏକାଧିକ ସାହିତ୍ୟ ସଭା, ସଙ୍ଗୀତ ବିଚିତ୍ରା, ବିଭିନ୍ନ ପ୍ରତିଯୋଗିତା ଓ ମଞ୍ଚ ନାଟକ ଅନୁଷ୍ଠିତ ହେବ।

Tags: #FakirmohanSahityaParishad #OdiaLiterature #Award #Balasore #Odisha

LEAVE A REPLY

Please enter your comment!
Please enter your name here