ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ଫକୀରମୋହନ ବିଶ୍ୱବିଦ୍ୟାଳୟ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୮୩ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି। ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୌରହରି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସ୍ନାତକୋତ୍ତର ପରିଷଦର ସମ୍ମୁଖରେ ଥିବା ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅନୁବାଦକ ପ୍ରଫେସର ଯତୀନ କୁମାର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଫକୀରମୋହନଙ୍କ ଉପନ୍ୟାସ ‘ଛ’ମାଣ ଆଠଗୁଣ୍ଠ’କୁ ଏକ ଅନନ୍ୟ ଦୃଷ୍ଟିକୋଣରେ ଉପସ୍ଥାପିତ କରିଥିଲେ। ସେହିପରି ଡକ୍ଟର ଗୌରହରି ଦାସ ଫକୀରମୋହନ ସେନାପତିଙ୍କୁ ଓଡ଼ିଆ ଭାଷା ଓ ଜାତିକୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିବା ମହାନାୟକ ବୋଲି ସମ୍ବୋଧନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ‘ବ୍ୟାସସମ୍ଭାର’ ନାମକ ପତ୍ରିକା ପାଠକାର୍ପିତ ହୋଇଥିଲା। ଫକୀରମୋହନଙ୍କ ଆତ୍ମଜୀବନୀର ସଂପୂର୍ଣ୍ଣ ସଂପାଦନା, ଫକୀରମୋହନ ଶବ୍ଦକୋଷର ପ୍ରକାଶନ ଓ ‘ଫକୀରମୋହନ ଗୋଲ୍ଡେନ ବୁକ୍’ର ପ୍ରକାଶନର ଦାୟିତ୍ଵ ଫକୀରମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଇ ତାହାର ସଫଳ ରୂପାୟନ କରାଯିବ ବୋଲି କୁଳପତି ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ଦେବାଶିଷ ପାତ୍ର ସଂଯୋଜନା ଓ ବିଶ୍ୱବିଦ୍ୟାଳୟର ଉନ୍ନୟନ ଅଧିକାରୀ ଡକ୍ଟର ପବିତ୍ର ମୋହନ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ତଥା କର୍ମଚାରୀ ସାମିଲ ହୋଇଥିଲେ।

Tags: #FakirMohanSenapati #BirthAnniversary #FMUniversity #Balasore

Comment