ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ‘ସମ୍ମାନର ସହିତ କାମ କରିବା, ଗର୍ବର ସହିତ ବଞ୍ଚିବା’ ପ୍ରସଙ୍ଗକୁ ନେଇ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଫାକଲ୍ଟି ଅଫ ବିଜନେସ ଷ୍ଟଡିଜ ଓ ମ୍ୟାନେଜମେଣ୍ଟ ବିଭାଗ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ୫୨ ଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନେତୃତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ସଭାପତିତ୍ଵ କରି ଶ୍ରମିକ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବାଲେଶ୍ଵର ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ଦେବାଶିଷ ଜେନା ଯୋଗଦେଇ ଶ୍ରମ ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ନିୟମ ଓ ସୁବିଧା ବିଷୟରେ କହିଥିଲେ।
ବାଣିଜ୍ୟ ବିଭାଗର ସଂଯୋଜକ ଡକ୍ଟର ଆର୍ତ୍ତବନ୍ଧୁ ଜେନା ଶ୍ରମ ଦିବସ ପାଳନର ବିଶେଷତ୍ଵ କହିଥିଲେ। ଆସିଷ୍ଟାଣ୍ଟ ପ୍ରଫେସର ଲକ୍ଷ୍ମୀପ୍ରିୟା ପରିଡ଼ା କାର୍ଯ୍ୟକ୍ରମ ସଞ୍ଚାଳନା କରିଥିବା ବେଳେ ଆସିଷ୍ଟାଣ୍ଟ ପ୍ରଫେସର ଦେବଦତ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Tags: #InternationalLabourDay #FMUniversity #Balasore #Odisha