ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି-୨୦୨୦। ସ୍କୁଲ ସ୍ତରରେ ଏହାକୁ ଲାଗୁ କରାଯିବ। ଏନେଇ ବୁଧବାର ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଜାତୀୟ ଶିକ୍ଷା ନୀତି ଲାଗୁ କରାଯାଉଥିବା ରାଜ୍ୟ ସରକାର କହିଛନ୍ତି। ଏନେଇ ଖୁବଶୀଘ୍ର ମାର୍ଗଦର୍ଶିକା ଆସିବ। ଆସନ୍ତା ଶିକ୍ଷା ବର୍ଷରୁ ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ ପାଠ୍ୟ ଖସଡ଼ା ପ୍ରସ୍ତୁତି ହେବା ନେଇ ନିଷ୍ପତ୍ତି ନିଆଯାଇଛି।

୨୦୨୫-୨୬ ଶିକ୍ଷା ବର୍ଷରେ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ କରିବାକୁ ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ। ଏହାକୁ ଲାଗୁ କରିବା ପାଇଁ ଟାସ୍କ ଫୋର୍ସ କମିଟି ସହ ୬ଟି ସବ କମିଟି ଗଠିତ ହୋଇଥିଲା। ସମସ୍ତଙ୍କ ମତାମତ ନେବା ପରେ ଏହାକୁ ଲାଗୁ କରାଯାଇଛି।

ଜାତୀୟ ଶିକ୍ଷା ନୀତିରେ ପ୍ରାରମ୍ଭିକ ଶିକ୍ଷା ପ୍ରତି ଗୁରୁତ୍ୱାରୋପ କରାଯାଇଛି। ଏଥିପାଇଁ ବିଦ୍ୟାଳୟ ପୁରୁଣା ୧୦+୨ ପାଠ୍ୟ ଖସଡ଼ା ସ୍ଥାନରେ ୫+୩+୩+୪ ପାଠ୍ୟକ୍ରମ ଲାଗୁ କରାଯିବ। ଏଥିପାଇଁ ବୟସ ଯଥାକ୍ରମେ ୩ରୁ ୮ ବର୍ଷ, ୮ରୁ ୧୧ ବର୍ଷ, ୧୧ରୁ ୧୪ ବର୍ଷ ଏବଂ ୧୪ରୁ ୧୮ ବର୍ଷ ରଖାଯାଇଛି। ପ୍ରାକ ବିଦ୍ୟାଳୟରୁ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ସମସ୍ତ ଶିକ୍ଷାକୁ ବ୍ୟାପକ କରିବା ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ରେ ଗୁରୁତ୍ଵାରୋପ କରାଯାଇଛି।

ପୁରୁଣା ଶିକ୍ଷା ନୀତିରେ ୩ରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ଶିକ୍ଷା ସାମିଲ ନଥିଲା। ୬ ବର୍ଷ ହେଲେ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିଲେ। ନୂଆ ଶିକ୍ଷା ନୀତିରେ ୩ ବର୍ଷର ପିଲାଙ୍କୁ ସାମିଲ କରି ବାଲ୍ୟାବସ୍ଥାରୁ ଶିକ୍ଷାର ମୂଳଦୂଆ ମଜଭୁତ କରିବାକୁ ଲକ୍ଷ୍ୟ ରଖାଯାଇଛି।

Tags: #NationalEducationPolicy2020 #Education #Schools #SMEOdisha

LEAVE A REPLY

Please enter your comment!
Please enter your name here