ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ ଦେଶର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇ ହ୍ୱାଇଟ ହାଉସକୁ ଫେରିବେ। ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହକୁ ଭବ୍ୟ କରିବା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏହି ଉତ୍ସବରେ ବିଶ୍ଵର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହେବେ।
ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଯୋଗଦେବା ପାଇଁ ଆମେରିକାରେ ପହଞ୍ଚିଛନ୍ତି। ସେହିପରି ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଓ ଟଙ୍କା ପତ୍ନୀ ନୀତା ଅମ୍ବାନୀ ମଧ୍ୟ ଏହି ସମାରୋହରେ ସାମିଲ ହେବେ।
ଟ୍ରମ୍ପଙ୍କ ଅତିଥି ତାଲିକାରେ ଯେଉଁ ବିଶିଷ୍ଟ ୧୦୦ ଜଣ ଅତିଥି ରହିଛନ୍ତି ସେମାନଙ୍କ ମଧ୍ୟରେ ମୁକେଶ ଅମ୍ବାନୀଙ୍କ ନାଁ ରହିଛି। ଶପଥ ଗ୍ରହଣ ପୂର୍ବରୁ ରବିବାର ରାତିରେ ଏହି ୧୦୦ ଜଣ ଅତିଥିଙ୍କ ପାଇଁ ଟ୍ରମ୍ପ ଏକ ସ୍ୱତନ୍ତ୍ର ରାତ୍ରି ଭୋଜନର ଆୟୋଜନ କରିଥିଲେ। ଏଠାରେ ଟ୍ରମ୍ପଙ୍କ ସହ ମୁକେଶ ଓ ନୀତା ଅମ୍ବାନୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ବିଶ୍ୱର ବହୁ ପ୍ରତିଷ୍ଠିତ କୋଟିପତି ବ୍ୟବସାୟୀ ଓ ରାଜନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଟ୍ରମ୍ପଙ୍କ ପରାମର୍ଶଦାତା ତଥା ସ୍ପେସକ୍ସ ଓ ଟେସଲା କମ୍ପାନିର ପ୍ରତିଷ୍ଠାତା ଏଲନ ମସ୍କ, ଆମାଜନ କୋ ଫାଉଣ୍ଡର ଜେଫ ବେଜୋସ ଏବଂ ଫେସବୁକ ତଥା ମେଟା ପ୍ଲାଟଫର୍ମର ସିଇଓ ମାର୍କ ଜୁକରବର୍ଗ। ଏହାବ୍ୟତୀତ ଆପଲ ସିଇଓ ଟିମ କୁକ୍, ଓପେନ ଏଆଇର ସ୍ୟାମ ଆଲ୍ଟମେନ, ଟିକଟକ ମୁଖ୍ୟ ଶାଓ ଜି ଚ୍ୟୁ ମଧ୍ୟ ଏହି ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ।
ଏମାନଙ୍କ ବ୍ୟତୀତ ଡୋନାଲ୍ଡ ଟ୍ରମ୍ପ ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ହଙ୍ଗେରୀ ପ୍ରଧାମନ୍ତ୍ରୀ ଭିକ୍ଟର ଓରବାନ, ଆର୍ଜେଣ୍ଟିନାର ରାଷ୍ଟ୍ରପତି ଜାଭିଅର ମାଇଲି ଏବଂ ଇଟାଲିର ପ୍ରଧାନମନ୍ତ୍ରୀ ଜିଓର୍ଜିୟା ମେଲୋନୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଏମାନେ ସମାରୋହରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।
ଡୋନାଲ୍ଡ ଟ୍ରମ୍ପ ସୋମବାର ଆମେରିକା ଆମେରିକାର ସଂସଦ ଭବନ ଭିତରେ କ୍ୟାପିଟାଲ ରୋଟୁଣ୍ଡା ହଲରେ ଶପଥ ନେବେ। ପ୍ରବଳ ଥଣ୍ଡାକୁ ଓ ତୁଷାରପାତକୁ ଦୃଷ୍ଟିରେ ରଖି ଏଥର ଶପଥ ଗ୍ରହଣ ଉତ୍ସବ ଖୋଲା ଆକାଶ ତଳେ ନକରିବାକୁ ନିଷ୍ପତ୍ତି ନିଆଯାଇଛି। ୧୯୮୫ ପରେ ପ୍ରଥମ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଟ୍ରମ୍ପ ଇନଡୋର ହଲରେ ଶପଥ ନେଉଛନ୍ତି। ଏହା ପୂର୍ବରୁ ରୋନାଲ୍ଡ ରେଗନଙ୍କ ଶପଥ ଗ୍ରହଣ ଏପରି ଭାବେ ଇନଡୋର ହଲରେ ହୋଇଥିଲା।
Tags: #DonaldTrump #OathTakingCeremony #POTUS #USA