ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ। ଆଗାମୀ ୪ ବର୍ଷ ପାଇଁ ହ୍ୱାଇଟ ହାଉସ ହେବ ତାଙ୍କର ନୂଆ ଠିକଣା। ହ୍ୱାଇଟ ହାଉସ ଯେତିକି ସୁନ୍ଦର, ସେତିକି ଆର୍କଷଣୀୟ। ଆସନ୍ତୁ ଜାଣିବା ଏହି ହ୍ୱାଇଟ ସମ୍ପର୍କରେ କିଛି ବିଶେଷ ତଥ୍ୟ।
ସୌନ୍ଦର୍ଯ୍ୟ, ସୁରକ୍ଷା ଏବଂ ଆରାମ ଦୃଷ୍ଟିରୁ ଦେଖିଲେ ଆମେରିକା ହ୍ୱାଇଟ ହାଉସର ତୁଳନା ନାହିଁ। ୧୮୦୦ ମସିହାରେ ଏହାର ନିର୍ମାଣ ହୋଇଥିଲା। ୬ ମହଲା ବିଶିଷ୍ଟ ଏହି ବଙ୍ଗଳାରେ ୧୩୨ଟି କୋଠାରୀ ରହିଛି। ହ୍ୱାଇଟ ହାଉସର ଦ୍ଵିତୀୟ ମହଲାରେ ରୁହନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ନିଜ ବ୍ୟବହାର ପାଇଁ ୧୬ଟି କୋଠରୀ ରଖିଥାନ୍ତି।
ହ୍ୱାଇଟ ହାଉସରେ ରାଷ୍ଟପତିଙ୍କ କାମ ସହ ଜଡିତ ଅନେକ ଅଫିସ ରହିଛି। ରାଷ୍ଟ୍ରପତି ଯେଉଁ ଫ୍ଲୋରରେ ରୁହନ୍ତି ସେଠାରେ ଏକ ସ୍ୱତନ୍ତ୍ର ରୋଷଇ ଘର ରହିଛି। ତେବେ ଏତେ ବିଶାଳ ଭବନରେ ଏକ ବିରାଟ ରୋଷଇ ଘର ରହିଛି ଯେଉଁଠାରେ ରାଷ୍ଟ୍ରପତି ଓ ତାଙ୍କ ଅତିଥିଙ୍କ ପାଇଁ ରୋଷେଇ କରା ଯାଇଥାଏ। ଏଠାରେ ୨୪ ଘଣ୍ଟା ରୋଷେଇ ଚାଲିଥାଏ।
କେଉଁ ଫ୍ଲୋରରେ କେତେ ରହିଛି କୋଠରୀ?
ହ୍ୱାଇଟ ହାଉସର ଗ୍ରାଉଣ୍ଡ ଫ୍ଲୋରରେ ୧୦ଟି କୋଠରୀ ରହିଛି। ପ୍ରଥମ ମହଲାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟ ସହ ଜଡ଼ିତ ଅନେକ ଅଫିସ ଏବଂ ଅଧିକକାରୀଙ୍କ ମନୋରଞ୍ଜନ ପାଇଁ ୮ଟି କୋଠରୀ ରହିଛି। ସେହିପରି ଦ୍ଵିତୀୟ ମହଲାର ୧୬ଟି କୋଠରୀରେ ରାଷ୍ଟ୍ରପତି ଓ ତାଙ୍କ ପରିବାର ରୁହନ୍ତି। ତୃତୀୟ ମହଲାରେ ଥିବା ୨୦ଟି କୋଠରୀ ହ୍ୱାଇଟ ହାଉସର ଅତିଥି ଏବଂ ରାଷ୍ଟ୍ରପତିଙ୍କ ସହ ଜଡ଼ିତ କାମ ପାଇଁ ବ୍ୟବହାର ହୁଏ। ଏହାବ୍ୟତୀତ ଉପରେ ଆଉ ୩ଟି ମହଲା ରହିଛି ଯାହା ସୁରକ୍ଷା ଏବଂ ଅନ୍ୟ କାର୍ଯ୍ୟ ପାଇଁ ବ୍ୟବହୃତ ହୋଇଥାଏ।
ହ୍ୱାଇଟ ହାଉସରେ ମୋଟ ୪୧୨ଟି କବାଟ, ୧୪୭ ଝରକା, ୮ଟି ସିଡି ଓ ୩ଟି ଲିଫ୍ଟ ରହିଛି। ଏହାର ରୋଷେଇ ଘରେ ପ୍ରତିଦିନ ୧୪୦ ଜଣ ଅତିଥିଙ୍କ ପାଇଁ ରାତ୍ରିଭୋଜନ ରନ୍ଧାଯାଏ। ଏହାସହ ପ୍ରତିଦିନ ୧ ହଜାରରୁ ଅଧିକ ଜଳଖିଆ ମିଲ୍ ପ୍ରସ୍ତୁତ କରାଯାଇଥାଏ।
ହ୍ୱାଇଟ ହଉସରେ ମୋଟ ୪୭୪ ଜଣ କର୍ମଚାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୯୦ ଜଣ ଘରୋଇ ସହାୟକ। ଏମାନେ ହ୍ୱାଇଟ ହାଉସ ପରିଷ୍କାର ପରିଚ୍ଛନ ରଖିବା ସହ ଅନ୍ୟାନ୍ୟ କାମ କରିଥାନ୍ତି।
ଡୋନାଲ୍ଡ ଟ୍ରମ୍ପ ଶପଥ ନେବାପରେ ନିଜ ପରିବାର ସହ ହ୍ୱାଇଟ ହାଉସ ପହଞ୍ଚିଯିବେ। ବାଇଡେନ ହ୍ୱାଇଟ ହାଉସରୁ ବାହାରିଯିବା ପରେ ପରେ ଦ୍ରୁତ ଗତିରେ ସଫାସୁତୁରା କାମ ଆରମ୍ଭ ହୋଇଯିବ। ସାଧାରଣତଃ ପୁରୁଣା ରାଷ୍ଟ୍ରପତି ଯିବା ଏବଂ ନୂଆ ରାଷ୍ଟ୍ରପତି ଆସିବା ମଧ୍ୟରେ ମାତ୍ର ୫ ଘଣ୍ଟାର ବ୍ୟବଧାନ ରହିଥାଏ। ଏହି ୫ ଘଣ୍ଟା ମଧ୍ୟରେ ସବୁ ସଫାସୁତୁରା କାମ ତଥା ନୂଆ ରାଷ୍ଟ୍ରପତିଙ୍କ ମତ ଅନୁଆସରେ କାମ ସମ୍ପନ୍ନ କରାଯାଇଥାଏ।
Tags: #WhiteHouse #President #POTUS #USA