ଓଡ଼ିଶାଲାଇଭ୍ ବ୍ୟୁରୋ

ସୁଭଦ୍ରା ଯୋଜନାକୁ ନେଇ ଆଉ ଏକ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଖୁବଶୀଘ୍ର ୨୦ ଲକ୍ଷରୁ ଊର୍ଦ୍ଧ୍ଵ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଜାନୁଆରି ଶେଷ ସୁଦ୍ଧା ଏହି ଟଙ୍କା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସୁଭଦ୍ରା ଯୋଜନା ଆବେଦନକୁ ନେଇ ଜିଲ୍ଲାଭିତ୍ତିକ ସମୀକ୍ଷା କରାଯାଇଥିଲା। ସମୀକ୍ଷା ବେଳେ ରାଜ୍ୟର ଅନେକ ମହିଳା ବାହାର ରାଜ୍ୟରେ ଥିଲା ଜଣାପଡ଼ିଛି। ଏହି ମହିଳାମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିନାହାନ୍ତି। ସେମାନେ ଆବେଦନ କଲେ ଯୋଗ୍ୟତା ଆଧାରରେ ଯୋଜନାର ଲାଭ ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ବର୍ତ୍ତମାନ ସୁଦ୍ଧା ୨ ଲକ୍ଷରୁ ଅଧିକ ମହିଳା ନିଜର କେଓ୍ଵାଇସି ଅପଡେଟ କରିନାହାନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଅଜାଣତରେ ଆବେଦନର ଅଧାରୁ ବାହାରି ଯାଇଥିବା ୩୧ ହଜାର ମହିଳାଙ୍କ ମଧ୍ୟରୁ ୧୭ ହଜାର ଜଣ ଆବେଦନ ପୂରଣ କରିଛନ୍ତି। କେଓ୍ଵାଇସି ଅପଡେଟ ପରେ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ଅର୍ଥ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫,୦୦୦ ଟଙ୍କା ଲେଖାଏଁ ଯାଇଥିଲା। ଏହାପରେ ଅକ୍ଟୋବର ୯ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟରେ ୪୦ ଲକ୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ସେହିପରି ନଭେମ୍ବର ୨୪ ତାରିଖରେ ତୃତୀୟ ପର୍ଯ୍ୟାୟ ଟଙ୍କା ପାଇଥିଲେ ହିତାଧିକାରୀ।

ଆସନ୍ତା ୨୦୨୫ ମାର୍ଚ୍ଚ ମାସ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପଠାଇବା ଲାଗି ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି।

Tags: #SubhadraYojana #KYC #PravatiParida #DBT #Odisha

LEAVE A REPLY

Please enter your comment!
Please enter your name here