ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ଭୟଙ୍କର ଥଣ୍ଡାରେ ଥରୁଛି ଉତ୍ତର ଭାରତ। ଦିଲ୍ଲୀ-ଏନସିଆର ରାସ୍ତା ଉପରେ କୁହୁଡ଼ିର ଘନ ଆସ୍ତରଣ ଦେଖିବାକୁ ମିଳୁଛି। ଏଠାରେ ତାପାମାତ୍ରା ୩ରୁ ୪ ଡିଗ୍ରୀ ମଧ୍ୟରେ ରହୁଛି। ସେହିପରି ଉତ୍ତର ଭାରତର ପାହାଡ଼ିଆ ଅଞ୍ଚଳରେ ସ୍ଥିତି ସମ୍ପୂର୍ଣ୍ଣ ଅଲଗା। ଏଠାରେ ତାପମାତ୍ରା ମାଇନସରେ ରହିବା ସହ ତୁଷାରପାତ ହେଉଛି। ଏଠାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ତେବେ ଦୁନିଆରେ ଏପରି କିଛି ସ୍ଥାନ ଅଛି ଯେଉଁଠି ବର୍ଷକ ୧୨ ମାସ ଲୋକ ଥଣ୍ଡାରେ ରୁହନ୍ତି। କିଛି ଅଞ୍ଚଳରେ ତାପମାତ୍ରା ବର୍ଷ ସାରା ମାଇନସ ୫୦ ଡିଗ୍ରୀ ତଳେ ରହେ। ଏହିଭଳି ଏକ ସହର ହେଉଛି ରୁଷର ଓମ୍ୟାକନ।
ରୁଷ ଭାଷାରେ ‘ଓମ୍ୟାକନ’ର ଅର୍ଥ ହେଉଛି ଯାହା କେବେ ଜମାଟ ବାନ୍ଧି ରୁହେନି। ହେଲେ ଏହାର ପୂରା ଓଲଟା ‘ଓମ୍ୟାକନ’ ଅଞ୍ଚଳ। ବର୍ଷକ ୧୨ ମାସ ଏଠାରେ ବରଫ ଜମାଟ ବାନ୍ଧି ରୁହେ। ରୁଷର ଓମ୍ୟାକାନ କସ୍ଵେରେ ଶୀତ ଦିନରେ ତାପମାତ୍ର ମାଇନସ ୫୦ ଡିଗ୍ରୀ ତଳେ ରୁହେ। ଏତେ ଭୟଙ୍କର ଥଣ୍ଡା ସତ୍ତ୍ୱ ଏହି ଅଞ୍ଚଳରେ ପାଖପାଖି ୫୦୦ ଲୋକ ରୁହନ୍ତି।
ଥଣ୍ଡା ଦିନେ ଏଠାରେ ଆଖି ପତା ଉପରେ ବରଫ ଜମିଯାଏ। ଏଠାରେ ଲୋକ ଗାଡିକୁ ୨୪ ଘଣ୍ଟା ଚାଲୁ ରଖନ୍ତି। କାରଣ ଥରେ ବନ୍ଦ ହୋଇଗଲେ ଇଞ୍ଜିନ ଷ୍ଟାର୍ଟ ହେବନି। ଏଠାରେ ବାହାରକୁ ଆସିଲେ ଆଖିରୁ ଲୁହ ବାହାରି ଆସେ। ଆଉ ଏହି ଲୁହ ଅତ୍ୟଧିକ ଥଣ୍ଡା ଯୋଗୁ ବରଫ ହୋଇ ବସିଯାଏ।
ଏହି ସ୍ଥାନ ବିଶ୍ୱର ସବୁଠାରୁ ଥଣ୍ଡା ଅଞ୍ଚଳ ମଧ୍ୟରୁ ଅନ୍ୟତମ। ଏଠାରେ ରହୁଥିବା ଲୋକଙ୍କର ରହିବାଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସବୁ କିଛି ସ୍ୱତନ୍ତ୍ର ଅଟେ। ଅତ୍ୟଧିକ ଥଣ୍ଡା ଯୋଗୁଁ ବଞ୍ଚିବା ପାଇଁ ଏଠିକା ଲୋକେ କେବଳ ଅଧିକାଂଶ ସମୟରେ ମାଂସ ଖାଇଥାନ୍ତି। ତା’ ପୁଣି ରେନ ଡିଅର ଏବଂ ଘୋଡାର ମାଂସ ଏମାନେ ଫ୍ରୋଜେନ ମାଂସର ଭେରାଇଟି ମଧ୍ୟ ଖାଇଥାନ୍ତି। ଏଥିରେ ମାଛଠାରୁ ଆରମ୍ଭ କରି ପାରା ପର୍ଯ୍ୟନ୍ତ ସବୁପ୍ରକାର ମାଂସ ମିଳିଥାଏ।
ଏଠିକାର ଲୋକ ଏମିତି ଜିନିଷ ବାଛି ବାଛି ଖାଇଥାନ୍ତି ଯାହା ସେମାନଙ୍କ ଶରୀରକୁ ଥଣ୍ଡାରୁ ରକ୍ଷା କରିପାରିବ। ଏଠାରେ ଫ୍ରିଜର କୌଣସି ଆବ୍ୟଶ୍ୟକତା ପଡ଼େନି। ଲୋକେ ଖୋଲାରେ ଆଇସକ୍ରିମ, ମାଛ,ମାଂସ ଆଦି ସାଇତି ରଖି ଦିଅନ୍ତି।
ମାଇନସ ୫୦ ଡିଗ୍ରରେ ବି ଖୋଲିଥାଏ ସ୍କୁଲ
ଓମ୍ୟାକନ ସହରରେ ପିଲାଙ୍କ ପାଇଁ ଏକ ସ୍କୁଲ ରହିଛି। ଏଠାରେ ମାଇନସ ୫୦ ଡିଗ୍ରୀ ତାପମାତ୍ରାରେ ବି ପିଲାମାନେ ସ୍କୁଲ ଯାଆନ୍ତି। ସ୍କୁଲ ଏଠାରେ ସବୁବେଳେ ଖୋଲାଯାଇଥାଏ। ଏଠି ଏମିତି ସ୍ଥିତି ଯେ ଜଣେ ଚାହିଁଲେ ବି ବ୍ୟାୟାମ କରି ପାରିବେନି। କାରଣ ବ୍ୟାୟାମ କଲେ ଝାଳ ବୋହିବ। ଝାଳ ବୋହିଲେ ତାହା ବରଫ ହୋଇଯିବ, ଯଦ୍ୱାରା ଅତ୍ୟଧିକ ଥଣ୍ଡାରୁ ମୃତ୍ୟୁ ବି ହୋଇପାରେ।
ଦିନରେ ମାତ୍ର ୩ ଘଣ୍ଟା ଆଲୁଅ ଜଳେ
ଥଣ୍ଡାଦିନରେ ଅସୁବିଧା ସମୟରେ ମାତ୍ର ୩ ଘଣ୍ଟା ବିଜୁଳି ରୁହେ। ବାକି ସମୟ ଅନ୍ଧକାରରେ ଛାଇଯାଏ ଏହି ଅଞ୍ଚଳ। ତେବେ ଗରମ ଦିନରେ ଏଠାରେ ୨୧ ଘଣ୍ଟା ବିଜୁଳି ଜଳେ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି,ଥଣ୍ଡା କାରଣରୁ ପେନର କାଳିଠାରୁ ଆରମ୍ଭ କରି ଗ୍ଲାସରେ ଥିବା ପିଇବା ପାଣି ସବୁକିଛି ବସିଯାଏ। ଆଜିଯାଏ ଏଠାରେ ଏକ ମୋବାଇଲ ଫୋନ ସର୍ଭିସ ଆରମ୍ଭ ହୋଇ ପାରିଲା ନାହିଁ। ମିଡିଆ ରିପୋର୍ଟ ଅନୁସାରେ ଏଠାରେ ତାପମାତ୍ରା ବେଳେବେଳେ ମାଇନସ ୬୦ ଡିଗ୍ରୀ ସେଲସିଅସ ତଳକୁ ଚାଲିଯାଏ।
୨୦୧୫ରେ ନ୍ୟୁଜଲାଣ୍ଡର ଏକ ଫଟୋଗ୍ରୋଫର ଟିମ ଏଠାକୁ ଆସିଥିଲେ। ହେଲେ ଭୟଙ୍କର ଥଣ୍ଡା ଯୋଗୁ ସେମାନେ ହୋଟେଲରୁ ବହାରି ପାରି ନଥିଲେ।
ଏଠିକାର ଲୋକମାନେ ଆଇସ ଫିସିଂ କାମ କରନ୍ତି। ଏଠାରେ ବହି ଯାଇଛି ଇଣ୍ଡିଗ୍ରା ନଦୀ ଅଧିକାଂଶ ସମୟ ବରଫରେ ଆଚ୍ଛାଦିତ ରହେ। ବରଫ ଭିତରୁ ମାଛ ଧରି ନିକଟସ୍ଥ ସହରକୁ ଯାଇଥାନ୍ତି ଓ ତାକୁ ବିକ୍ରି କରିଥାନ୍ତି। ଏହାବ୍ୟତୀତ ଏଠିକାର ଲୋକେ ରେନ ଡିଅର ଏବଂ ଘୋଡ଼ା ମାଂସ ବିକି ଟଙ୍କା ରୋଜଗାର କରନ୍ତି। ତେବେ ଏଠିକା ଲୋକଙ୍କର ପର୍ଯ୍ୟଟନ କ୍ଷେତ୍ରରୁ କିଛି ଅର୍ଥ ଉପାର୍ଜନ କରିଥାନ୍ତି।
Tags: #Oymyakon #ColdestCity #People #Russia