ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜ ବାପା ମା’ଙ୍କଠାରୁ ଶିକ୍ଷା ଖର୍ଚ୍ଚ ପାଇବା ପାଇଁ ଗୋଟିଏ ଝିଅର ଆଇନଗତ ଅଧିକାର ରହିଛି। ଝିଅର ପାଠପଢ଼ା ଖର୍ଚ୍ଚ ଦେବା ଲାଗି ବାପା ମା’ ବାଧ୍ୟ ବୋଲି ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି। ଆୟର୍ଲାଣ୍ଡରେ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଜଣେ ଅବିବାହିତ ଦମ୍ପତି ଏବଂ ସେମାନଙ୍କ ଝିଅଙ୍କୁ ନେଇ ଚାଲିଥିବା ବୈବାହିକ ବିବାଦ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ନିଆଯାଇଛି।
ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ଜ୍ଵଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାନୁଆରି ୨ ତାରିଖରେ ଏକ ସମାଧାନ ଚୁକ୍ତିରୁ ଉପୁଜିଥିବା ଆର୍ଥିକ ବିବାଦର ସମାଧାନ ପାଇଁ ଏହି ରାୟ ଶୁଣାଇଥିଲେ। ପାଠପଢ଼ା ପାଇଁ ବାପା ଦେଇଥିବା ୪୩ ଲକ୍ଷ ଟଙ୍କାକୁ ଝିଅ ଗ୍ରହଣ କରିବାକୁ ମନା କରିଦେଇଥିଲା। ଏହା ତାଙ୍କ ମା’ଙ୍କ ସହ ହୋଇଥିବା ସମୁଦାୟ ଭରଣପୋଷଣ ଚୁକ୍ତିର ଏକ ଅଂଶ ବୋଲି ଦର୍ଶାଇଥିଲା। ତେବେ ଅଦାଲତ ରାୟ ଦେଇଥିଲେ ଯେ, ଝିଅ ଆଇନଗତ ଭାବରେ ଏହି ଟଙ୍କା ରଖିବାର ଅଧିକାର ରଖିଛନ୍ତି।
“ଝିଅ ହୋଇଥିବାରୁ ତାଙ୍କର ନିଜ ପିତାମାତାଙ୍କଠାରୁ ଶିକ୍ଷା ଖର୍ଚ୍ଚ ସୁରକ୍ଷିତ କରିବାର ଆଇନଗତ ଏବଂ ବୈଧ ଅଧିକାର ରହିଛି। ଅଭିଭାବକମାନେ ସେମାନଙ୍କ ଆର୍ଥିକ ସମ୍ବଳର ସୀମା ମଧ୍ୟରେ ଶିକ୍ଷା ପାଇଁ ଆବଶ୍ୟକ ପାଣ୍ଠି ଯୋଗାଇଦେବାକୁ ବାଧ୍ୟ ହେବେ’’, ଖଣ୍ଡପୀଠ କହିଛନ୍ତି।
ଝିଅ ନିଜର ସମ୍ମାନ ବଜାୟ ରଖିବା ପାଇଁ ଏହି ରାଶି ରଖିବାକୁ ମନା କରିଦେଇଥିଲେ। ବାପା ତାଙ୍କ ପାଠପଢ଼ାରେ ସହଯୋଗ କରିବା ପାଇଁ ଆର୍ଥିକ ଅକ୍ଷମତା ଦର୍ଶାଇ ମନା କରିଦେଇଥିଲେ। ଖଣ୍ଡପୀଠ କହିଛନ୍ତି, ଯେ ପିତା ବିନା କୌଣସି କାରଣରେ ବିପୁଳ ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହା ଆର୍ଥିକ ସହାୟତା ପ୍ରଦାନ କରିବାର କ୍ଷମତାକୁ ପ୍ରମାଣିତ କରୁଛି।
ଝିଅକୁ ତାଙ୍କ ମା’ କିମ୍ବା ବାପାଙ୍କୁ ଟଙ୍କା ଫେରାଇବାର ଆବଶ୍ୟକତା ନାହିଁ, ବରଂ ସେ ଏହାକୁ ନିଜ ପାଠପଢ଼ା ପାଇଁ ଉପଯୁକ୍ତ ମନେ କରି ବ୍ୟବହାର କରିବାର ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।
୨୦୨୪ ନଭେମ୍ବର ୨୮ତାରିଖରେ ସମ୍ପୃକ୍ତ ଦମ୍ପତି ଓ ତାଙ୍କ ଝିଅଙ୍କ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାରୁ ଏହି ବିବାଦ ଉପୁଜିଥିଲା। ଚୁକ୍ତି ଅନୁଯାୟୀ ଝିଅର ପାଠପଢ଼ା ପାଇଁ ୪୩ ଲକ୍ଷ ଟଙ୍କା ଓ ପତ୍ନୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ଦେବାକୁ ବାପା ରାଜି ହୋଇଥିଲେ।
ସମ୍ବିଧାନର ଧାରା ୧୪୨ ଅନୁଯାୟୀ କ୍ଷମତା ପ୍ରୟୋଗ କରି ଖଣ୍ଡପୀଠ ପାରସ୍ପରର ସହମତିରେ ଦମ୍ପତିଙ୍କ ୨୬ ବର୍ଷର ବିବାହକୁ ଭାଙ୍ଗି ଦେଇଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ପତ୍ନୀଙ୍କୁ ତାଙ୍କ ଭାଗ ୩୦ ଲକ୍ଷ ଟଙ୍କା ମିଳିସାରିଛି ଏବଂ ଛାଡ଼ପତ୍ରକୁ ମନା କରିବାର କୌଣସି କାରଣ ନାହିଁ। ଫଳରେ ଆମେ ପାରସ୍ପରିକ ସହମତିରେ ଛାଡ଼ପତ୍ର ପାଇଁ ନିର୍ଦ୍ଦେଶ ଦେଉଛୁ ବୋଲି କୋର୍ଟ କହିଛନ୍ତି।
ଭବିଷ୍ୟତରେ ଉଭୟ ପକ୍ଷର ପରସ୍ପର ବିରୋଧରେ କୌଣସି ଦାବି ରହିବ ନାହିଁ। ସେମାନେ ବୁଝାମଣା ଚୁକ୍ତିର ସର୍ତ୍ତାବଳୀକୁ ପାଳନ କରିବେ, ଯାହା କି ଏହି ଆଦେଶର ଏକ ଅଂଶ ବୋଲି କୋର୍ଟ କହିଛନ୍ତି।
ବୈବାହିକ ବିବାଦ କ୍ଷେତ୍ରରେ ମଧ୍ୟ ପିଲାଙ୍କ ଶିକ୍ଷା ଅଧିକାରକୁ ବଜାୟ ରଖିବା ଏବଂ ପିତାମାତାଙ୍କଠାରୁ ଆର୍ଥିକ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ପ୍ରତିବଦ୍ଧତାକୁ ଏହି ରାୟ ଦର୍ଶାଉଛି।
Tags: #Education #EducationExpenses #Parents #Daughter #SupremeCourt