ଓଡ଼ିଶାଲାଇଭ୍ ବ୍ୟୁରୋ

ଶିଳ୍ପ ମହାକୁମ୍ଭ ‘ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫’ରେ ଛୁଟୁଛି ନିବେଶର ସୁଅ। ପ୍ରଥମ ଦିନରେ ମୋଟ ୫୪ଟି ଏମଓୟୁ ସ୍ଵାକ୍ଷରିତ ହୋଇଛି। ଏହି ଏମଓୟୁ ଫଳରେ ରାଜ୍ୟକୁ ସାଢ଼େ ୪ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ। ଏ ନେଇ ସୂଚନା ଦେଇଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା।
ଶିଳ୍ପ ସଚିବଙ୍କ ସୂଚନା ଅନୁସାରେ ଆଦାନୀ ଗ୍ରୁପ ସହ ୨.୨୮ ଲକ୍ଷ କୋଟି ଟଙ୍କାର ଏମଓୟୁ ସ୍ଵାକ୍ଷର ହୋଇଛି।
କେନ୍ଦୁଝର ଜିଲ୍ଲାରେ ୫ ନିୟୁତ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ପାଇଁ ଜେଏସଡବ୍ଲ୍ୟୁ ଗ୍ରୁପ ସହ ଏମଓୟୁ ସ୍ଵାକ୍ଷର ହୋଇଛି। ଜେଏସଡବ୍ଲ୍ୟୁ କେନ୍ଦୁଝରରେ ଇସ୍ପାତ କାରଖାନା କରିବ। ଏ ସମ୍ପର୍କରେ ଆଲୋଚନା ଚାଲିଥିବା ସୂଚନା ଦେଇଛନ୍ତି ଜେଏସଡବ୍ଲ୍ୟୁ ମୁଖ୍ୟ ସଜ୍ଜନ ଜିନ୍ଦଲ। କେନ୍ଦୁଝରରେ ୩୦ରୁ ୪୦ ହଜାର କୋଟି ଟଙ୍କାର ନିବେଶ ଯୋଜନା ରହିଛି।
ଜେଏସପିଏଲ ଗ୍ରୁପ ଅନୁଗୁଳସ୍ଥିତ ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣ ଲାଗି ୭୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ନିମନ୍ତେ ଗ୍ରୁପ ଅଧ୍ୟକ୍ଷ ନବୀନ ଜିନ୍ଦଲ ଘୋଷଣା କରିଛନ୍ତି। ସେ କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ବସାଇବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି।
ଏହି ଅବସରରେ ବିର୍ଲା ଗ୍ରୁପ କପର ଫଏଲ ପ୍ଲାଣ୍ଟ ସ୍ଥାପନ ପାଇଁ ଏମଓୟୁ ସ୍ଵାକ୍ଷର କରିଥିବା ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି। ଏହା ବ୍ୟତୀତ ନିବେଶକଙ୍କଠାରୁ ୧୦୦ରୁ ଅଧିକ ପୁଞ୍ଜି ନିବେଶ ଆଗ୍ରହ ପାଇଛନ୍ତି ରାଜ୍ୟ ସରକାର।
ରାୟଗଡ଼ାରେ ବେଦାନ୍ତ ୩୦ ଲକ୍ଷ ଟନ ଆଲୁମିନିୟମ ପ୍ଲାଣ୍ଟ କରିବାକୁ ଯୋଜନା ରହିଥିବା ସୂଚନା ଦେଇଛନ୍ତି ଅନୀଲ ଅଗ୍ରଓ୍ଵାଲ। ଆଇଓସିଏଲ ୭୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି। ପାରାଦୀପ ଏବଂ ଭଦ୍ରକରେ ପେଟ୍ରୋ କେମିକାଲ କ୍ଷେତ୍ରରେ ନିବେଶ ଯୋଜନା ରହିଛି।
ସେହିପରି ଆବାଡା ଗ୍ରୁପ ୨୦ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବାକୁ ଆଗ୍ରହ ଦେଖାଇଛି। ଏହା ବ୍ୟତୀତ ଅନେକ ନିବେଶକ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।
ଭୁବନେଶ୍ଵରରେ ଜାନୁଆରି ୨୮ ଓ ୨୯ ତାରିଖ ଦୁଇଦିନ ଧରି ଚାଲିବ ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫। ମଙ୍ଗଳବାର ଦିନ ଏହି ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଜ୍ୟ ସରକାର ଓଡ଼ିଶା ପାଇଁ ଯେଉଁ ପୁଞ୍ଜି ନିବେଶ ଲକ୍ଷ୍ୟ ରଖିଛନ୍ତି, ତାହା ପୂରଣ ହୋଇପାରିବ ବୋଲି କନକ୍ଲେଭର ପ୍ରଥମ ଦିନରୁ ଅନୁମାନ କରାଯାଇଛି।
Tags: #UtkarshOdishaMakeInOdishaConclave2025 #UtkarshOdishaConclave #MoU #InvestOdisha #PMNarendraModi #CMOdisha