ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆରମ୍ଭ ହୋଇଛି ଶିଳ୍ପ ମହାକୁମ୍ଭ ‘ଉତ୍କର୍ଷ ଓଡ଼ିଶା: ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୫’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦିନ ଜନତା ମଇଦାନଠାରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଥିବା ବିଭିନ୍ନ କମ୍ପାନିର ସିଇଓମାନଙ୍କ ସହିତ ସ୍ଵତନ୍ତ୍ର ଭାବେ ଆଲୋଚନା କରିଛନ୍ତି।
ଆଲୋଚନାରେ ଇସ୍ପାତ, ଗ୍ରୀନ ଏନର୍ଜି, ଗ୍ରୀନ ଅମୋନିଆ, ଗ୍ରୀନ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, କେମିକାଲ୍ସ, ସେମିକଣ୍ଡକ୍ଟର, ଆଇଟି, ସିମେଣ୍ଟ ଭଳି କ୍ଷେତ୍ରର ପ୍ରାୟ ୧୦୦ରୁ ଊର୍ଦ୍ଧ୍ଵ ପ୍ରତିଷ୍ଠିତ କମ୍ପାନିର ସିଇଓମାନେ ଅଂଶଗ୍ରହଣ କରିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବର୍ତ୍ତମାନ ପ୍ରକୃଷ୍ଟ ସମୟ। ଆଜିର ସମୟରେ ଓଡ଼ିଶାର ଜିଡିପି ଦେଶରେ ସର୍ବୋଚ୍ଚସ୍ତରରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳ୍ପର ଏହି ମହାକୁମ୍ଭକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଓଡ଼ିଶା ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରହିଛି ଏବଂ ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ପ୍ରତି ସମର୍ଥନ ରହିଛି। ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି।”
ସେ ଆହୁରି କହିଛନ୍ତି, ଓଡ଼ିଶାର ପ୍ରତି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରହିଛି। ଏଥିପାଇଁ ଭିତ୍ତିଭୂମିର ବିକାଶ କରାଯାଉଛି। ରାଜ୍ୟରେ ରେଳପଥ,ସଡ଼କପଥ ଓ ପୋର୍ଟ ସେକ୍ଟରର ବିକାଶ କରାଯାଉଛି। ମାଲକାନଗିରି ଭଳି ସୀମାନ୍ତ ଅଞ୍ଚଳରେ ମଧ୍ୟ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠାର ସ୍ଵପ୍ନ ପୂରଣ ହେବାକୁ ଯାଉଛି। ଏହାଦ୍ଵାରା ସମ୍ପୃକ୍ତ ଅଞ୍ଚଳଗୁଡ଼ିକର ଆର୍ଥିକ ଅଭିବୃଦ୍ଧି ହେବା ସହ ଯୁବବର୍ଗଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଜେପି ଓଡ଼ିଶାରେ ସରକାର କରିବାର ମାତ୍ର ସାତ ମାସ ଭିତରେ ରାଜ୍ୟରେ ଜାତୀୟ ସ୍ତରର ବହୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରାଯାଇଛି। ଆଜି ଆୟୋଜିତ ହୋଇଥିବା ଏହି ମେଗା କନକ୍ଲେଭରେ ଓଡ଼ିଶରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ପାଇଁ ନିବେଶକଙ୍କର ପ୍ରସ୍ତାବ ଆସିଛି। ଓଡ଼ିଶା ବିକଶିତ ଭାରତର ଗ୍ରୋଥ ଇଞ୍ଜିନ ହେବାର ଲକ୍ଷ୍ୟ ରହିଛି। ନିବେଶକମାନଙ୍କ ସହଯୋଗ ଦ୍ଵାରା ଏହି ଲକ୍ଷ୍ୟ ପୂରଣ ହୋଇପାରି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଆଲୋଚନା କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସ୍ଵାଗତ ଅଭିଭାଷଣ ରଖିବା ସହ ଅଂଶଗ୍ରହଣକାରୀ ସମସ୍ତ କମ୍ପାନିଙ୍କୁ ଓଡ଼ିଶାକୁ ସ୍ଵାଗତ କରିଥିଲେ। ଉଦ୍ୟୋଗ ସ୍ଥାପନ ନିମନ୍ତେ ସମସ୍ତ ସୁବିଧା ସୁଯୋଗ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ସିଆଇଆଇର ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ ଅଧିବେଶନକୁ ସଞ୍ଚାଳନ କରିଥିବାବେଳେ ପିଡବ୍ଲ୍ୟୁସି ଅଧ୍ୟକ୍ଷ ସଞ୍ଜୀବ କ୍ରିଷ୍ଣନ କାର୍ଯ୍ୟକ୍ରମ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ଶେଷରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।
Tags: #UtkarshOdishaMakeInOdishaConclave2025 #UtkarshOdishaConclave #MoU #InvestOdisha #PMNarendraModi #CMOdisha