ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାରଙ୍କୁ ‘ଡାକ୍ତର ନରେନ୍ଦ୍ର ଦାଭୋଲକର ସ୍ମାରକୀ ଜାତୀୟ ପୁରସ୍କାର’ ପ୍ରଦାନ କରାଯାଇଛି। ସମାଜ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ପୁଣେ ସହରର ଏସଏମ ଯୋଶୀ ଅଡିଟୋରିୟମଠାରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଦେବେନ୍ଦ୍ର ସୁତାରଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା। ମହାରାଷ୍ଟ୍ରର ପ୍ରଥମ ମହିଳା ଆଇପିଏସ ଅଫିସର ତଥା ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଡକ୍ଟର ମୀରାନ ଚଢ଼ା ବୋରୱାଙ୍କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେବେନ୍ଦ୍ର ସୁତାରଙ୍କୁ ସ୍ମାରକୀ ଟ୍ରଫି ସହ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ଆୟୋଜିତ ସଭାରେ ବିଶିଷ୍ଟ ଲେଖକ ଆନ୍ନା ହରି ସାଲୁଙ୍କେ, ଔପନ୍ୟାସିକ ବିଳାସ ସେଲକେ, ଅନୁବାଦିକା ଅଞ୍ଜଳି ଚିପଲ୍କକଟି, ନାଟ୍ୟକାର ବାମନ ପଣ୍ଡିତ, ଶିକ୍ଷାବିତ ଡକ୍ଟର ଶରତ ଜାଭଡେକର, ଡକ୍ଟର ରୁପେଶ ପାଟକର, ଚଳଚ୍ଚିତ୍ର ନିର୍ଦ୍ଦେଶକ ମୁକୁନ୍ଦ ଟକସାଲେ, ଶୋଭା ଚିତ୍ରେ, ଡକ୍ଟର ମନିଷା ଗୁପ୍ତା, ଡକ୍ଟର ରମେଶ ଅବସ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଦୈନିକ ଖବରକାଗଜ ‘ସାଧନା’ର ସମ୍ପାଦକ ବିନୋଦ ସିରସାଠେ ସଭା ପରିଚାଳନା କରିଥିଲେ।
ଆମେରିକାରେ ଅବସ୍ଥାପିତ ମହାରାଷ୍ଟ୍ର ଫାଉଣ୍ଡେସନ ପକ୍ଷରୁ ସମାଜରୁ କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର କରିବା ସହ ଲୋକଙ୍କ ଭିତରେ ବୈଜ୍ଞାନିକ ଚେତନାର ପ୍ରଚାର ପ୍ରସାର କରିବା ଦିଗରେ କାମ କରୁଥିବା ବ୍ୟକ୍ତି ବିଶେଷ ଏବଂ ସଂଗଠନକୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।
ଓଡ଼ିଶାରେ ଡାହାଣୀ ହତ୍ୟା ନିରୋଧ ଆଇନ ଆଣିବା ଏବଂ ଏଥିପାଇଁ ସଚେତନତା ସୃଷ୍ଟି କରିବା ଦିଗରେ ଦେବେନ୍ଦ୍ର ସୁତାରଙ୍କର ଅନେକ ଅବଦାନ ରହିଛି। ଏହାସହ ସେ ବାସନ୍ଦ ପ୍ରଥା, ନରବଳି, ଚେଙ୍କ ଚିକିତ୍ସା ଭଳି କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୋଧରେ ସଚେତନତା ପାଇଁ ଦୀର୍ଘ ୪୦ ବର୍ଷ ଧରି କାର୍ଯ୍ୟ ଜାରି ରଖିଛନ୍ତି।
୨୦ ବର୍ଷ ହେବ ଦେବେନ୍ଦ୍ର ସୁତାର ବୈଜ୍ଞାନିକ ଚର୍ଚ୍ଚା ନାମରେ ଏକ ପତ୍ରିକା ଜରିଆରେ ଲୋକଙ୍କୁ ଅନ୍ଧବିଶ୍ୱାସ ବିରୋଧରେ ସଚେତନତା କରିଆସୁଛନ୍ତି। ଲୋକଙ୍କ ଭିତରେ ବୈଜ୍ଞାନିକ ଚେତନାର ପ୍ରସାର କରିବା ତାଙ୍କର ଲକ୍ଷ୍ୟ ରହିଛି।
Tags: #DebendraSutar #SocialReformer #DrNarendraDabholkarMemorialAward #Rationalism #Odisha