ଓଡ଼ିଶାଲାଇଭ୍ ବ୍ୟୁରୋ

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଉପସ୍ଥାପିତ ହୋଇଛି ସାଧାରଣ ବଜେଟ୍। ଶନିବାର ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟରେ କୃଷି କ୍ଷେତ୍ରକୁ ଗୁରୁତ୍ଵ ଦିଆଯାଇଛି। କୃଷି କ୍ଷେତ୍ରର ବିକାଶ ପାଇଁ ମୋଟ ୧ ଲକ୍ଷ ୫୨ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

କୃଷି କ୍ଷେତ୍ରରେ ତୃଣମୂଳ ସ୍ତରରେ ବିକାଶ ପାଇଁ ‘ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା’ ଆଣିବେ କେନ୍ଦ୍ର ସରକାର। ଏଥିରେ ଦେଶର ୧୦୦ଟି କମ୍ ଉତ୍ପାଦନକ୍ଷମ ଜିଲ୍ଲାର ପଞ୍ଚାୟତ ସ୍ତରରେ କୃଷି ଉତ୍ପାଦନ ଏବଂ ସଂରକ୍ଷଣ ବୃଦ୍ଧି କରାଯିବ। ଏହି କାର୍ଯ୍ୟକ୍ରମରେ ୧ କୋଟି ୭୦ ଲକ୍ଷ କୃଷକ ଉପକୃତ ହେବେ।

କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଦେଶର ୭ କୋଟି ୭୦ ଲକ୍ଷ ଚାଷୀ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧ ଚାଷୀଙ୍କୁ ସ୍ୱଳ୍ପକାଳୀନ ଋଣ ପ୍ରଦାନ କରାଯାଉଛି। ଏହି ଋଣ ସୀମାକୁ ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ।

କେନ୍ଦ୍ର ସରକାର ଡାଲି ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପାଇଁ ନାଫେଡ୍ ଏବଂ ଏନସିସିଏଫ ଭଳି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଆଗାମୀ ୪ ବର୍ଷ ମଧ୍ୟରେ ହରଡ଼, ବିରି ଏବଂ ମସୁର ଡାଲିକୁ ଏଜେନ୍ସିଗୁଡ଼ିକରେ ପଞ୍ଜିକରଣ କରି ଚୁକ୍ତିନାମା କରିଥିବା ଚାଷୀଙ୍କଠାରୁ କିଣିବେ।

ସେହିପରି ଖାଇବା ତେଲ ଉତ୍ପାଦନରେ ଆତ୍ମନିର୍ଭର ହେବା ଲକ୍ଷ୍ୟରେ ୬ ବର୍ଷିଆ ସ୍କିମ୍‌ କେନ୍ଦ୍ର ସରକାରଙ୍କ ଦ୍ଵାରା ଆରମ୍ଭ କରାଯିବ। ଏହାସହ ବିହାରରେ ଏକ ମଖାନା ବୋର୍ଡ ଗଠନ କରାଯିବ। ଏହି ବୋର୍ଡ ମଖାନାର ଉତ୍ପାଦନ, ପ୍ରକ୍ରିୟାକରଣ, ମୂଲ୍ୟ ବୃଦ୍ଧି ଏବଂ ମାର୍କେଟିଂରେ ଉନ୍ନତି ଆଣିବା ସହ କୃଷକଙ୍କୁ ତାଲିମ ପ୍ରଦାନ କରିବ।

ଦେଶରେ ସାର ଉତ୍ପାଦନ ବୃଦ୍ଧି ପାଇଁ ଆସାମର ନାମରୂପରେ ୧୨.୭ ଲକ୍ଷ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଏକ ୟୁରିଆ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ।

Tags: #Budget2025 #NirmalaSitharaman #Agriculture #BudgetUpdates

Comment