ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ସଂସଦରେ ଆଗତ ହୋଇଛି ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ଦେଶରେ ଚାଲୁ ରହିଥିବା ନୂଆ ଆୟକର ବ୍ୟବସ୍ଥାର ଆୟକର ସୀମାକୁ ନେଇ ବଡ଼ ଘୋଷଣା କରାଯାଇଛି।
ନୂଆ ଆୟକର ବ୍ୟବସ୍ଥା ଅନୁସାରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ କିଛି ଆୟକର ଦେବାକୁ ପଡ଼ିବ ନାହିଁ। ୧୨ ଲକ୍ଷ ୭୫ ହଜାର ଟଙ୍କା ଯାଏଁ ଦରମା ପାଉଥିବା ବ୍ୟକ୍ତି ଏହି ସୁବିଧା ପାଇ ପାରିବେ।
ଏବେ ବାର୍ଷିକ ୧୨ ଲକ୍ଷରୁ ୧୬ ଲକ୍ଷ ଟଙ୍କା ଆୟ ପାଇଁ ୧୫ ପ୍ରତିଶତ ଟଙ୍କା ଆୟକର ଦେବାକୁ ପଡ଼ିବ। ସେହିପରି ୧୬ରୁ ୨୦ ଲକ୍ଷ ଟଙ୍କା ଆୟ ପାଇଁ ୨୦ ପ୍ରତିଶତ ଏବଂ ୨୦ରୁ ୨୪ ଲକ୍ଷ ଟଙ୍କା ଆୟ ପାଇଁ ୨୫ ପ୍ରତିଶତ ଟ୍ୟାକ୍ସ ଲାଗିବ। ଏହାସହ ୨୪ ଲକ୍ଷ ଟଙ୍କାରୁ ଅଧିକ ଆୟ ପାଇଁ ୩୦ ପ୍ରତିଶତ ଆୟକର ଲାଗିବ।
ଅନ୍ୟପଟେ ବାର୍ଷିକ ରେଣ୍ଟ ଉପରେ ଲାଗୁଥିବା ଟିଡିଏସର ସୀମାକୁ ୨ ଲକ୍ଷ ୪୦ ହଜାରରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ବୟସ୍କ ବ୍ୟକ୍ତିଙ୍କ ଋଣ ଉପରେ ଲାଗୁଥିବା ଟିଡିଏସର ସୀମାକୁ ୫୦ ହଜାରରୁ ୧ ଲକ୍ଷ ଟଙ୍କା ଯାଏଁ ବଢ଼ାଯାଇଛି।
ନୂଆ ଆୟକର ସୀମା ଲାଗୁ ହେବାପରେ ୧୨ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ ବାର୍ଷିକ ୮୦ ହଜାର ଟଙ୍କାର ସଞ୍ଚୟ ହେବ। ସେହିପରି ୧୮ ଲକ୍ଷ ଟଙ୍କା ଆୟ ଥିଲେ ବାର୍ଷିକ ୭୦ ହଜାର ଟଙ୍କା ସଞ୍ଚୟ ହେବ।
ଆରବିଆଇର ଲିବରାଲାଇଜଡ୍ ରିମିଟାନ୍ସ ସ୍କିମ୍ (ଏଲଆରଏସ) ଅଧୀନରେ ଥିବା ଟଙ୍କା ଟିସିଏସ ସଂଗ୍ରହର ସୀମା ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବଢ଼ିବ। ପାଠପଢ଼ା ଖର୍ଚ୍ଚ ପାଇଁ ବିଦେଶରୁ ପଠା ଯାଉଥିବା ଟଙ୍କା ଉପରେ ଟିସିଏସ୍ ଛାଡ଼ କରାଯିବ।
ଟିଡିଏସ ଓ ଟିସିଏସ ଦାଖଲରେ ବିଳମ୍ବ ପାଇଁ ଥିବା ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଉଚ୍ଛେଦ କରାଯିବ। ଏହାସହ ଆଇଟି ରିଟର୍ଣ୍ଣ ଦାଖଲ ସମୟ ସୀମା ବୃଦ୍ଧି କରାଯାଇଛି। ଏହାକୁ ୨ ବର୍ଷରୁ ୪ ବର୍ଷକୁ ବଢ଼ାଯାଇଛି। ଦେଶରେ ଆସନ୍ତା ସପ୍ତାହରେ ନୂଆ ଆୟକର ବିଲ୍ ଆସିବ।
Tags: #UnionBudget2025-26 #IncomeTax #NirmalaSitharaman #MinistryofFinance #India