ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ପବିତ୍ର ଶ୍ରୀପଞ୍ଚମୀ। ମା’ ସରସ୍ୱତୀଙ୍କ ଆରାଧନା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ରବିବାର ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଭକ୍ତମାନେ। ବିଶେଷ କରି ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀ।
ପ୍ରତିବର୍ଷ ଶିକ୍ଷାନୁଷ୍ଠାନମାନଙ୍କରେ ପବିତ୍ର ଶ୍ରୀପଞ୍ଚମୀ ବିଶେଷ ଭାବେ ପାଳନ କରାଯାଇଥାଏ। ବିଦ୍ୟାର୍ଥୀମାନେ ପୂଜା ମଣ୍ଡପକୁ ଅତି ମନୋରମ କରି ସାଜସଜା କରିବା ସହ ବିଦ୍ୟାଦାତ୍ରୀ ମା’ଙ୍କୁ ଆରାଧନା କରନ୍ତି।
ମା’ ସରସ୍ୱତୀଙ୍କ ପୂଜାରେ ଧଳା ଫୁଲ, ଚନ୍ଦନ, ଆଖୁ, ଧଳା ବସ୍ତ୍ର, ମୋତି, ରୂପା, ଧଳାମାଳି ଅଳଙ୍କାର, ଅଦା, ଅଁଳା, ଦହି, ଘିଅ, ନଡ଼ିଆ, ଖିରୀ ଓ ବରକୋଳି ଅର୍ପଣ କରାଯାଏ।
ମା’ଙ୍କ ପୂଜା ଅର୍ଚ୍ଚନା ଓ ପଷ୍ପାଞ୍ଜଳି ସରିବା ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନେ ଉପବାସ ରଖିବେ। ଏହି ଦିନ ମା’ ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି ରତ୍ନ ବିଭୂଷିତ କୁଣ୍ଡଳ ଧାରଣ କରି, ହାତରେ ବୀଣା ଓ ପୁସ୍ତକ ଧରି ଶ୍ୱେତ ପଦ୍ମାସନ ଉପରେ ବିରାଜମାନ ହୋଇଥାନ୍ତି।
ସରସ୍ଵତୀ ପୂଜାରେ ଅନେକ ନୂତନ କାର୍ଯ୍ୟର ଆରମ୍ଭ ମଧ୍ୟ କରାଯାଇଥାଏ। ବିଶେଷ କରି ଛୋଟ ପିଲାଙ୍କର ବିଦ୍ୟା ଆରମ୍ଭ, ନୂତନ ଗୃହ ପ୍ରତିଷ୍ଠା, ଛୋଟ ପିଲାଙ୍କର ଅନ୍ନ ପ୍ରସନ୍ନ ଆଦି କରାଯାଇଥାଏ। ଖାଲି ସେତିକି ନୁହେଁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଏହି ଦିନ ରଥ କାଠ ଅନୁକୂଳ ମଧ୍ୟ କରାଯାଇଥାଏ।
ମା’ ସରସ୍ୱତୀ ବିଦ୍ୟାର୍ଥୀ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାନ୍ତି। ମା’ଙ୍କ ଆଶୀର୍ବାଦ ପ୍ରାପ୍ତି ନିମିତ୍ତ ବିଦ୍ୟାର୍ଥୀମାନେ ପୁସ୍ତକ ଓ କଲମ ମା’ଙ୍କ ନିକଟରେ ରଖି ପୂଜା କରିଥାନ୍ତି।
Tags: #ShreePanchami #SaraswatiPuja #Goddessofknowledge #Culture #Odisha