ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବିଶ୍ଵ କର୍କଟ ଦିବସ। କ୍ୟାନ୍ସର ବା କର୍କଟ ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଆଜିର ଦିନକୁ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବିଶ୍ୱରେ ସର୍ବାଧିକ ପ୍ରତି ୬ ଜଣରେ ଜଣେ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଥିରେ ପୀଡ଼ିତ ହେଉଥିବା ଅଧିକାଂଶ ରୋଗୀଙ୍କର ଜୀବନ ଚାଲିଯାଉଛି। ବିଶ୍ଵ କର୍କଟ ଦିବସ ଅବସରରେ ଓଡ଼ିଶାର ବିଶିଷ୍ଟ ସମଜସେବୀ ସୁବ୍ରତ ବାଗଚୀ ଗୁଟଖା ଓ ପାନ ମସଲାର ବିଜ୍ଞାପନ କରୁଥିବା ବଲିଉଡ୍ କଳାକାରଙ୍କୁ ଏକ ବଡ଼ ପ୍ରଶ୍ନ କରିଛନ୍ତି।  

ସୁବ୍ରତ ବାଗଚୀ ନିଜ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ଜଣେ କ୍ୟାନ୍ସର ପୀଡ଼ିତଙ୍କୁ ଦେଖିବାକୁ ମିଳିଛି। ସେ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାବେଳେ ଏବେ ଷ୍ଟେଜ୍ ୪ କ୍ୟାନ୍ସରରେ ପୀଡ଼ିତ। ଫଟୋରେ ତାଙ୍କ ପତ୍ନୀ, ଶିଶୁ ଓ ମା’ଙ୍କୁ ଦେଖିବାକୁ ମିଳିଛି। ଅତ୍ୟଧିକ ଗୁଟଖା ଖାଇବାରୁ ବ୍ୟକ୍ତି ଜଣଙ୍କ ଏବେ କ୍ୟାନ୍ସର ସହ ସଂଘର୍ଷ କରୁଛନ୍ତି। ଆଗକୁ ପରିବାରର କ’ଣ ହେବ କାହାରିକୁ ଜଣାନାହିଁ।

“ମୁଁ ଏହି ଫଟୋଟିକୁ ଗୁଟଖା ଓ ପାନ ମସଲାର ବିଜ୍ଞାପନ କରୁଥିବା ବଲିଉଡ୍ କଳାକାରଙ୍କୁ ଦେଖାଇବାକୁ ଚାହୁଁଛି। ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଏବେ ଷ୍ଟେଜ୍ ୪ କ୍ୟାନ୍ସରରେ ପଡ଼ି ଜୀବନ ସହ ଲଢୁଛି। ତାଙ୍କ ପତ୍ନୀଙ୍କୁ ଜଣା ନାହିଁ ଭବିଷ୍ୟତରେ ସେମାନଙ୍କ ସହ କ’ଣ ହେବ। ସିନେ କଳାକାରଙ୍କ ପ୍ରଚାରର କୁପ୍ରଭାବ ସହ ସେମାନେ ଜୀବନ ବିତାବାକୁ ବାଧ୍ୟ ହେବେ”, କହିଛନ୍ତି ସୁବ୍ରତ ବାଗଚୀ।

ଆଜିର ସମୟରେ ସିନେ କଳାକାରଙ୍କ ଦ୍ଵାରା ଗୁଟଖା ଓ ପାନ ମସଲାର ପ୍ରଚାର ପ୍ରସାର ମାତ୍ରାଧିକ ଭାବେ ବଢ଼ିବାରେ ଲାଗିଛି। ସେମାନଙ୍କୁ ଅନୁକରଣ କରି ଯୁବପିଢ଼ି ଗୁଟଖା ପ୍ରତି ଆକର୍ଷିତ ହୋଇ ଏହାର ସେବନ କରୁଛନ୍ତି। ଆରମ୍ଭରେ ସବୁ ଠିକ୍ ଲାଗୁଥିବାବେଳେ ଭବିଷ୍ୟତରେ ସେମାନେ କ୍ୟାନ୍ସରରେ ପଡ଼ି ଏହାର ଯନ୍ତ୍ରଣା ଭୋଗୁଛନ୍ତି। କ୍ୟାନ୍ସର କେବଳ ରୋଗୀଙ୍କ ନୁହେଁ ବରଂ ତାଙ୍କ ପରିବାରର ସବୁ ସୁଖ ଛଡ଼େଇ ନେଉଛି। ଏସବୁ ପଛରେ ସିନେ କଳାକାରମାନେ ଉତ୍ତରଦାୟୀ ରହିବେ କି ବୋଲି ପ୍ରଶ୍ନ କରିଛନ୍ତି ସୁବ୍ରତ ବାଗଚୀ।

Tags: #WorldCancerDay #Cancer #PanmasalaAds #Actors #SubrotoBagchi #Health #India

LEAVE A REPLY

Please enter your comment!
Please enter your name here