ଓଡ଼ିଶାଲାଇଭ୍ ବ୍ୟୁରୋ

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଏବେ ଅନ୍ତର୍ଜାତୀୟ ସ୍ତରରେ ଚହଳ ସୃଷ୍ଟି କରିଛି ଚୀନର ‘ଡିପସିକ୍’। ଲଞ୍ଚ ହେବାର ଅଳ୍ପ ସମୟ ମଧ୍ୟରେ ସାରା ବିଶ୍ଵରେ ଏହା ଲୋକପ୍ରିୟ ହୋଇପାରିଛି। ଏଆଇ କ୍ଷେତ୍ରରେ ନାମ କରିଥିବା ‘ଚାଟ୍ ଜିପିଟି ଓ ‘ମେଟା’ ଭଳି ବଡ଼ ବଡ଼ କମ୍ପାନିକୁ ଟକ୍କର ଦେଉଛି ‘ଡିପସିକ୍’। ଏହି ଏଆଇ ସର୍ଭିସ ଲୋକଙ୍କ ପସନ୍ଦ ପାଲଟିଥିବାବେଳେ, କମ୍ପାନିର ପ୍ରତିଷ୍ଠାତା ତଥା ସିଇଓ ଲିଆଙ୍ଗ ୱେନଫେଙ୍ଗଙ୍କ ନିଆରା ନେତୃତ୍ଵ ତଥା କାର୍ଯ୍ୟଶୈଳୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଲିଆଙ୍ଗ ୱେନଫେଙ୍ଗ ନିଜ କମ୍ପାନିରେ ଯୁବବର୍ଗଙ୍କ ନିଯୁକ୍ତି ପାଇଁ ବେଶୀ ପସନ୍ଦ କରନ୍ତି। ଏହାସହ ସେ ଅଭିଜ୍ଞତା ଅପେକ୍ଷା ସୃଜନଶୀଳତାକୁ ବେଶୀ ଗୁରୁତ୍ଵ ଦେଇଥାନ୍ତି। ଏଆଇ କ୍ଷେତ୍ରର କମ୍ପାନିରେ ଏଭଳି ବହୁତ କମ ଦେଖିବାକୁ ମିଳିଥାଏ।
“ସ୍ୱଳ୍ପ ମିଆଦି ଲକ୍ଷ୍ୟ ହାସଲ କରିବା ପାଇଁ କମ୍ପାନିରେ ଅଭିଜ୍ଞତା ଥିବା କର୍ମଚାରୀଙ୍କ ଆବଶ୍ୟକତା ଥାଏ। ତେବେ ଦୀର୍ଘ ମିଆଦୀ ଫାଇଦା ପାଇଁ ଅଭିଜ୍ଞତା ସେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏନେଇ ପ୍ରାର୍ଥୀଙ୍କଠାରେ ମୌଳିକ କୌଶଳ, ସୃଜନଶୀଳତା ଏବଂ ଉତ୍ସାହ ରହିବା ଅଧିକ ଗୁରୁତ୍ୱପୂର୍ଣ୍ଣ”, କହିଛନ୍ତି ଲିଆଙ୍ଗ ୱେନଫେଙ୍ଗ।
ସେ ଆହୁରି ମଧ୍ୟ କହିଛନ୍ତି, “ଡିପସିକ୍ କମ୍ପାନିରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଅଭିଜ୍ଞତାକୁ ସେତେ ଗୁରୁତ୍ଵ ଦିଆଯାଏନାହିଁ। ଜଣେ ପୂର୍ବରୁ ଗୋଟିଏ କାମ କରିଆସୁଛି, ଏହା ମାନେ ନୁହେଁ ଯେ ସେ ସେହି କାମଟିକୁ ଠିକ୍ ଭାବେ କରୁଛି। ସମସ୍ତଙ୍କ କାମ କରିବାର ନିଜସ୍ଵ ଶୈଳୀ ରହିଛି। ଏଆଇ କ୍ଷେତ୍ରରେ ଅଭିଜ୍ଞ ବିଶେଷଜ୍ଞଙ୍କ ଅପେକ୍ଷା ଯୁବବର୍ଗର କର୍ମଚାରୀମାନେ ସୃଜନଶୀଳ ଚିନ୍ତାଧାରା ଓ ନୂଆ ଶିଖିବା ପାଇଁ ଆଗଭର ରହିଥାନ୍ତି।”
ଅଭିଜ୍ଞ ବିଶେଷଜ୍ଞଙ୍କମାନେ କାମରେ ଗୋଟିଏ ପ୍ରକାର ବାଟ ଆପଣେଇବା ସହ ଅନ୍ୟମାନଙ୍କୁ ଏହାର ଅନୁସରଣ କରିବା ପାଇଁ କହିଥାନ୍ତି। ହେଲେ କମ୍ ଅଭିଜ୍ଞତା ଥିବା କର୍ମଚାରୀମାନେ କାମ ବିଷୟରେ ଗମ୍ଭୀର ଭାବରେ ଚିନ୍ତା କରନ୍ତି ଏବଂ ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମାଧାନ ଖୋଜିଥାନ୍ତି ବୋଲି ଲିଆଙ୍ଗ ୱେନଫେଙ୍ଗ ମତବ୍ୟକ୍ତ କରିଛନ୍ତି।
‘ଡିପସିକ୍’ର ଏହି ୪୦ ବର୍ଷୀୟ ସିଇଓ ନିଜ କମ୍ପାନିକୁ ଆଗେଇ ନେବା ପାଇଁ ଜେନ୍ ଜି (୨୦୦୦ ପରେ ଜନ୍ମିତ), ପଢୁଆ ଏବଂ ଇଂରାଜୀ, ଇତିହାସ, ରାଜନୀତି ବିଜ୍ଞାନ ଭଳି ହ୍ୟୁମାନିଟିଜ ବିଷୟଗୁଡ଼ିକରେ ଭଲ ଥିବା ପ୍ରାର୍ଥୀଙ୍କୁ ନିଯୁକ୍ତ କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି।
Tags: #DeepSeek #AI #LiangWenfeng #Employees #WorkCulture #Leadership