ଭାସ୍କର ପରିଚ୍ଛା

ବର୍ତ୍ତମାନ ଏଆଇ ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଯଦିଓ କୃତ୍ରିମ ବୁଦ୍ଧିମତାର ଜନ୍ମ ବେଶୀ ଦିନର ନୁହେଁ, ବିଶ୍ଵର ଅନେକ ବଡ଼ ବଡ଼ କମ୍ପାନି ଏବେ ନୂଆ ଜେନେରେସନର ଏଆଇକୁ ଗ୍ରହଣ କରିବା ଆରମ୍ଭ କଲେଣି। ଏଆଇ ଭବିଷ୍ୟତରେ ବିପଦ ସୃଷ୍ଟି କରିବ କି? ଏହାକୁ ନେଇ ସାଧାରଣରେ ଅନେକ ଅସମାହିତ ପ୍ରଶ୍ନ ଉଠିବାକୁ ଆରମ୍ଭ କଲାଣି।

ଏଆଇ ପ୍ରତି ବଢ଼ୁଥିବା ଲୋକପ୍ରିୟତା ପାଇଁ ମଣିଷ ବିପରେ ପଡ଼ିବନିତ? ମଣିଷର ଚାକିରି ଉପରେ ଏଆଇର ପ୍ରଭାବ ପଡ଼ିବ କି? ଏହିଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଥିବା ବେଳେ ଏହା ଉପରେ ଏକ ବଡ଼ କଥା କହିଛି ଜାତିସଂଘ। ୟୁଏନର ଇଣ୍ଟରନାସନାଲ ଲେବର ଅରଗାନାଇଜେସନ୍ (ଆଇଓଏଲ୍) ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ରଖିଛି ।

ଆଇଓଏଲ୍ ପକ୍ଷରୁ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଏଆଇ ମଣିଷ ପ୍ରତି କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ । ଏଆଇ ପାଇଁ କାହାର ଚାକିରି ବି ଯିବ ନାହିଁ। ବରଂ ଏଆଇ ଦ୍ୱାରା ମଣିଷର କାମ କରିବା ଓ ଚିନ୍ତା କରିବାର ପଦ୍ଧତି ବଦଳିବ। ଏହାଛଡ଼ା ଅନେକ କାମ ସହଜ ଏବଂ ଉନ୍ନତ ମାନର ହୋଇପାରିବ। ନିଶ୍ଚିତରେ ଏହା ଏକ ଆଶ୍ଵସ୍ତିକର ଖବର।

ଅନ୍ୟପଟେ ନିକଟର କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ବର୍ତ୍ତମାନ ଅନେକ ବଡ଼ ବଡ଼ କମ୍ପାନି କାମକୁ ସହଜ କରିବା ପାଇଁ ଏଆଇକୁ ପସନ୍ଦ କରୁଛନ୍ତି। ତେଣୁ ଆଗାମୀ ଦିନରେ ଅଟୋମେସନ୍ କାରଣରୁ ନିଯୁକ୍ତି ଉପରେ ଏବଂ ଶିଳ୍ପ କାରଖାନା ଉପରେ ଆଶିଂକ ପ୍ରଭାବ ପଡ଼ିପାରେ।

ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଆମେରିକାର ଏଲନ୍ ମସ୍କ ମଧ୍ୟ ଏଆଇକୁ ନେଇ ଚିନ୍ତା ପ୍ରକଟ କରିସାରିଛନ୍ତି। ଏଆଇ ଦ୍ୱାରା ଆଗାମୀ ଦିନରେ ଅନେକ ଲୋକଙ୍କ ଚାକିରି ଚାଲିଯାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। କେବଳ ଏଲନ ମସ୍କ ନୁହଁନ୍ତି, ଚାଟ୍ ଜିପିଟି କମ୍ପାନିର ସିଇଓ ସାମ ଅଲ୍ଟମ୍ୟାନ ମଧ୍ୟ ଏଆଇକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ଏହିଭଳି ଅନେକ ଦ୍ୱନ୍ଦ୍ଵ ଭିତରେ ଏଆଇ ଗତି କରୁଛି। ମଣିଷ ଉପରେ ଏହାର ପ୍ରକୃତ ପ୍ରଭାଵ କ’ଣ ରହିବ ତାହା ଏବେଠାରୁ ଅନୁମାନ କରିବା କଷ୍ଟ। ଶେଷ ରାୟ ପାଇଁ ଆମକୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ।

Tags: #ArtificialIntelligence #AITools #Workforce #ILO

 

Comment