ଓଡ଼ିଶାଲାଇଭ୍ ବ୍ୟୁରୋ

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଜିର ଡିଜିଟାଲ ଯୁଗର ଏକ ନୂଆ ସାଧନ ପାଲଟିଛି। ଇଣ୍ଟରନେଟଠାରୁ ଆରମ୍ଭ କରି ବାଣିଜ୍ୟ ଆଦି ସବୁ କ୍ଷେତ୍ରରେ ଏହି ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ବଢୁଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ମନୁଷ୍ୟର ଅନେକ କାମକୁ ହାଲୁକା କରିଦେଉଛି।  ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଜି ଚିକିତ୍ସା କ୍ଷେତ୍ରରେ ମଧ୍ୟ ଉପଯୋଗ ହେଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଏମ୍ସରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରୟୋଗ କରି ରୋଗ ଚିହ୍ନଟ ସହ ଚିକିତ୍ସା କରାଯିବ। ଏନେଇ ଏମ୍ସ ଭୁବନେଶ୍ୱର ପକ୍ଷରୁ ସୂଚନା ଦିଆଯାଇଛି।

ତାଇୱାନର ଚାଙ୍ଗଗୁଙ୍ଗ୍‌ ବିଶ୍ୱବିଦ୍ୟାଳୟ ସହଯୋଗରେ ଏମ୍ସ ଭୁବନେଶ୍ୱରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ଆରମ୍ଭ ହେବ। ଆଗକୁ ଚାଙ୍ଗଗୁଙ୍ଗ୍‌ ବିଶ୍ୱବିଦ୍ୟାଳୟ ଓ ଏମ୍ସ ଭୁବନେଶ୍ୱର ମଧ୍ୟରେ ଏଥିପାଇଁ ବୁଝାମଣାପତ୍ର ସ୍ଵାକ୍ଷର ହେବ। ବୁଧବାର ଚାଙ୍ଗଗୁଙ୍ଗ୍‌ ବିଶ୍ୱବିଦ୍ୟାଳୟର ଇନଫରମେସନ ଟେକ୍ନୋଲୋଜି ବିଭାଗର ପ୍ରଫେସର ପ୍ରସନ୍ନ କୁମାର ସାହୁ ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ପାଇଁ ଏମ୍ସ ପରିଦର୍ଶନରେ ଆସିଛନ୍ତି।

ରୋଗର ନିରାକରଣ ପାଇଁ ଡାକ୍ତରମାନେ ସିଟି, ସିଟିଏ ଏବଂ ଏମ୍‌ଆରଆଇ ଭଳି ବିଭିନ୍ନ ପ୍ରକାରର ପରୀକ୍ଷା କରି ଏହାର ଚିତ୍ର ବ୍ୟବହାର କରନ୍ତି। ଏଗୁଡ଼ିକର ବିଶ୍ଲେଷଣ କରି ସେମାନେ ରୋଗୀର ଚିକିତ୍ସା କରନ୍ତି। ତେବେ ଏହି ଚିତ୍ରଗୁଡ଼ିକର ତ୍ଵରିତ ବିଶ୍ଲେଷଣ ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅନେକ ମାତ୍ରାରେ ସହାୟ ହେବ।

“ରୋଗର ପୂର୍ବାନୁମାନ ତଥା ତ୍ଵରିତ ଚିକିତ୍ସା କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବହୁଳ ଭାବେ ଉପଯୋଗୀ ହେବ। କର୍କଟ ଏବଂ ପରାଲିସିସ୍ ଭଳି ରୋଗୀଙ୍କ ପାଇଁ ଏହା ବେଶ ଗୁରୁତ୍ଵପୂର୍ଣ୍ଣ ରହିବ। ଏହା ଦ୍ଵାରା ଆମେ ଠିକ୍ ସମୟରେ ରୋଗ ଚିହ୍ନଟ କରି ଅନେକ ମୁଲ୍ୟବାନ ଜୀବନ ବଞ୍ଚାଇବାରେ ସଫଳ ହେବୁ”, କହିଛନ୍ତି ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ।

ତାଇୱାନ୍‌ର ଚାଙ୍ଗଗୁଙ୍ଗ୍ ବିଶ୍ୱବିଦ୍ୟାଳୟ ଚିକିତ୍ସା କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାର ଦିଗରେ ଦୀର୍ଘ ବର୍ଷ ହେବ କାର୍ଯ୍ୟ କରିଆସୁଛି। ବିଶ୍ଵର ଅନେକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସହ ବିଶ୍ୱବିଦ୍ୟାଳୟ ଏ କ୍ଷେତ୍ରରେ ସହଯୋଗ କରୁଛି।

Tags: #AIIMSBhubaneswar #ArtificialInteligence #HealthcareSector #ChnagGungUniversity #Taiwan

Comment