ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଜିଲ୍ଲା ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ବୁଧବାର ଦୁଇ ମାସ ବିତିଛି। ଏହି ଦୁର୍ଘଟଣାର ଭୟାବହ ଦୃଶ୍ୟ ଏ ଯାଏଁ ଲୋକଙ୍କ ମନରୁ ଯାଇନାହିଁ। ହେଲେ ବର୍ତ୍ତମାନ ସୁଦ୍ଧା ଏହି ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ୨୯ ଜଣ ଯାତ୍ରୀଙ୍କ ପରିଚୟ ମିଳିପାରୁ ନାହିଁ। ଭୁବନେଶ୍ଵର ଏମ୍ସର ଶବାଗାରରେ ସ୍ଵତନ୍ତ୍ର କଣ୍ଟେନରରେ ଏହି ମୃତଦେହଗୁଡ଼ିକୁ ରଖାଯାଇଛି।

ବାହାନଗା ରେଳ ଦୁର୍ଘଟଣା ପରେ ଜୁନ ୪ ତାରିଖ ପରଠୁ ଭୁବନେଶ୍ଵର ଏମ୍ସକୁ ଦୁଇଟି ପର୍ଯ୍ୟାୟରେ ୧୬୨ ଜଣ ଯାତ୍ରୀଙ୍କ ମୃତଦେହ ଆସିଥିଲା। ଏହାପରେ ବିଏମସି ଏବଂ ରେଳବାଇ ପକ୍ଷରୁ ୮୧ ଜଣଙ୍କ ମୃତଦେହକୁ ଚିହ୍ନଟ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ଦିଆଯାଇଥିଲା।

ଅନ୍ୟପଟେ ବାକି ୮୧ଟି ମୃତଦେହକୁ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହୋଇଥିଲା। ଜଣେ ଜଣେ ମୃତକଙ୍କ ପାଇଁ ଏକାଧିକ ପରିବାର ଦାବି କରିଥିଲେ। ତେଣୁ ପ୍ରକୃତ ସମ୍ପର୍କୀୟ କିଏ ଚିହ୍ନଟ କରିବାପାଇଁ ମୃତକଙ୍କ ଡିଏନଏ ପରୀକ୍ଷା ଲାଗି ନମୂନା ଦିଲ୍ଲୀକୁ ପଠାଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ଡିଏନଏ ରିପୋର୍ଟରୁ ୨୯ଟି ମୃତଦେହକୁ ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୫ଟି ପର୍ଯ୍ୟାୟରେ ୫୨ଟି ମୃତଦେହକୁ ଚିହ୍ନଟ କରାଯାଇ ପରିଜନଙ୍କୁ ଦିଆଯାଇଛି। ଏବେ ଆଉ ଶେଷ ୨୯ ଜଣ ଯାତ୍ରୀଙ୍କ ମୃତଦେହ ଚିହ୍ନଟ ହେବାକୁ ବାକି ଅଛି।

ଏବେ ଆଉ ଅଧିକ ଯାତ୍ରୀଙ୍କ ଡିଏନଏ ରିପୋର୍ଟ ମେଳ ଖାଇବାର ସମ୍ଭାବନା ନଥିବା ଏମ୍ସ ପକ୍ଷରୁ କୁହାଯାଇଛି। ମୃତକଙ୍କ ପାଇଁ ଏବେ ଦାବିଦାର ମଧ୍ୟ ବେଶି ନାହାନ୍ତି। ତେଣୁ ଏହି ୨୯ଟି ମୃତଦେହକୁ ନେଇ ସ୍ଥିତି ସ୍ପଷ୍ଟ ହେଉନାହିଁ।

ଅନ୍ୟପଟେ ଏହି ମୃତଦେହଗୁଡ଼ିକୁ ସାମୂହିକ ସତ୍କାର କରିବା ପାଇଁ ଯୋଜନା କରାଯାଉଥିବାବେଳେ ଏହାକୁ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ କିଛି ସୂଚନା ଦିଆଯାଇ ନାହିଁ। ଏବେ ଯଦି କୌଣସି ମୃତକଙ୍କ ପରିଜନ ଆସନ୍ତି, ତେବେ ଉପଯୁକ୍ତ ପରିଚୟ ଏବଂ ପ୍ରମାଣ ଦେବା ସହିତ ଡିଏନଏ ରିପୋର୍ଟ ମ୍ୟାଚ କଲେ ସେମାନଙ୍କୁ ମୃତଦେହ ଦିଆଯାଇ ପାରିବ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି।

Tags: #BahanagaTrainTragedy #TrainAccidentinOdisha #Passengers #BodyIdentification #AIIMSBhubaneswar

Comment