ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମଙ୍ଗଳବାର ଏଠାରେ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିପରି ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ନିଶ୍ଚିନ୍ତକୋଇଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାସହ ଗୁରୁତର ଆହତ ହୋଇଥିବା କିଛି ଯାତ୍ରୀଙ୍କୁ କଟକ ଏସସିବି ମେଡିକାଲ ପଠାଯାଇଛି।

ଦୁର୍ଘଟଣା ହୋଇଥିବା ଘରୋଇ ବସଟି ଭଦ୍ରକର ଚାନ୍ଦବାଲିରୁ କଟକ ଅଭିମୁଖେ ଯାଉଥିଲା। ଏଥିରେ ପ୍ରାୟ ୬୦ ଜଣ ଯାତ୍ରୀ ଥିଲେ। ମଙ୍ଗଳବାର ସକାଳ ସାଢ଼େ ୭ଟା ବେଳେ ବସଟି ନିଶ୍ଚିନ୍ତକୋଇଲିର କଟରପଡ଼ା ଛକ ନିକଟରେ କଟକ ଆଡ଼ୁ ଆସୁଥିବା ଏକ ଟ୍ରକକୁ ସାମ୍ନାରୁ ଧକ୍କା ଦେଇଥିଲା।

ଟ୍ରକ ସହ ମୁହାଁମୁହିଁ ଧକ୍କା ଯୋଗୁଁ ବସର ଯାତ୍ରୀମାନଙ୍କୁ ଆଘାତ ଲାଗିଥିଲା। ଅଧିକାଂଶ ଯାତ୍ରୀ ବସରେ ଫସି ଯାଇଥିଲେ। ଏହାପରେ ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ବସ୍ ଭିତରୁ ଉଦ୍ଧାର କରିବା ଆରମ୍ଭ କରିଥିଲେ। ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା।  

ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣା ହେବାପରେ କିଛି ସମୟ ପାଇଁ କଟକ-କେନ୍ଦ୍ରାପଡ଼ା ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ତେବେ ଏ ଯାଏଁ ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିଚୟ ମିଳିପାରିନାହିଁ।

Tags: #RoadAccident #Bus-TruckCollision #Passengers #Nischintkoili #Cuttack      

Comment