ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଜିଲ୍ଲା ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲିଠାରେ ମଙ୍ଗଳବାର ସକାଳେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାର ଲାଗି ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର।

ପ୍ରାୟ ୬୦ ଜଣ ଯାତ୍ରୀଙ୍କୁ ଧରି ଗୋଟିଏ ଘରୋଇ ବସ ଭଦ୍ରକର ଚାନ୍ଦବାଲିଠାରୁ ବାହାରି କଟକ ଅଭିମୁଖେ ଯାଉଥିଲା। ମଙ୍ଗଳବାର ସକାଳ ପ୍ରାୟ ୭ଟା ବେଳେ ନିଶ୍ଚିନ୍ତକୋଇଲିର କଟରପଡ଼ା ଛକ ନିକଟରେ ବସ୍‌ଟି ସାମ୍ନା ପଟୁ ଆସୁଥିବା ଗୋଟିଏ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କୁ ନିଶ୍ଚିନ୍ତକୋଇଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଗୁରୁତର ଆହତ ଯାତ୍ରୀଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଏହି ଦୁର୍ଘଟଣାରେ ୩ ଜଣ ଯାତ୍ରୀ ପ୍ରାଣ ହରାଇଥିବା ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମୃତକଙ୍କ ଲାଗି ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିବା ସହ ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

Tags: #RoadAccident #BusTruckCollision #Passengers #Nischintkoili #Cuttack

LEAVE A REPLY

Please enter your comment!
Please enter your name here